ବିଶ୍ୱବ୍ୟାଙ୍କ : ଭାରତରେ ନିଯୁକ୍ତି ହାର କମିଛି, ବର୍ଷକୁ ଦରକାର ୮୧ ଲକ୍ଷ ଚାକିରି

38

କନକ ବ୍ୟୁରୋ : ଭାରତର ଶ୍ରମ ବଜାରରେ ପ୍ରତି ମାସରେ ୧୩ ଲକ୍ଷ ଲୋକ ପ୍ରବେଶ କରୁଛନ୍ତି। ସେମାନଙ୍କୁ ଚାକିରି ଯୋଗାଇ ଦେବାକୁ ହେଲେ ପ୍ରତି ବର୍ଷ ଭାରତ ସରକାରଙ୍କୁ ୮୧ ଲକ୍ଷ ନୂଆ ଚାକିରି ସୃଷ୍ଟି କରିବାକୁ ପଡ଼ିବ ବୋଲି ବିଶ୍ୱବ୍ୟାଙ୍କ କହିଛି। ନିଜର ନିଯୁକ୍ତି ହାର ବଜାୟ ରଖିବାକୁ ହେଲେ ଭାରତକୁ ହାଇଦ୍ରାବାଦ ସହରର ଜନସଂଖ୍ୟାଠାରୁ ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ ପଡ଼ିବ। ହାଇଦ୍ରାବାଦ ହେଉଛି ଭାରତ ଷଷ୍ଠ ଜନବହୁଳ ସହର।

ଏକ ନୂତନ ରିପୋର୍ଟ ଜାରି କରି ବିଶ୍ୱବ୍ୟାଙ୍କ ଜଣାଇଛି ଯେ ୨୦୦୫ରୁ ୨୦୧୫ ମଧ୍ୟରେ ଭାରତର ନିଯୁକ୍ତି ହାର ହ୍ରାସ ପାଇଛି। ବିଶେଷ କରି ମହିଳାମାନେ କର୍ମ କ୍ଷେତ୍ର ଛାଡ଼ି ଚାଲିଯାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆଗାମୀ ଦିନରେ ନିଜର ନାଗରିକମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବାକୁ ହେଲେ ଭାରତକୁ ବର୍ଷକୁ ୮୧ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରିବାକୁ ହେବ। ରିପୋର୍ଟରେ କୁହାଯାଇଛି ଯେ, କେବଳ ଦେଶର ଅଭିବୃଦ୍ଧି ହାର ବଢ଼ାଇଲେ ନିଯୁକ୍ତି ସୃଷ୍ଟି ହେବ ନାହିଁ। ସେଥିପାଇଁ ଆହୁରି ବହୁତ କିଛି କରିବାକୁ ପଡ଼ିବ। ବିଶେଷ କରି ମହିଳାଙ୍କ ନିଯୁକ୍ତି ପାଇଁ କିଛି ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ହେବ। ଭାରତ ବିଷୟରେ ରିପୋର୍ଟରେ କୁହାଯାଇଛି ଯେ ବିମୁଦ୍ରାକରଣ ଓ ସାମଗ୍ରୀ ଓ ସେବା ଟିକସ (ଜିଏସଟି) ଯୋଗୁଁ ଅର୍ଥନୀତିରେ ଯେଉଁ ବ୍ୟାଘାତ ସୃଷ୍ଟି ହୋଇଥିଲା ତାହା ଦୂର ହୋଇଗଲାଣି। ଦେଶରେ ଘରୋଇ ପୁଞ୍ଜିନିବେଶ ଓ ଘରୋଇ ଉପଯୋଗିତା ଉଭୟ ବୃଦ୍ଧି ପାଇବାରେ ଲାଗିଛି। ସେଥିପାଇଁ ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୭.୩% ହେବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି। ତେବେ ଅଭିବୃଦ୍ଧିକୁ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ାଇବାକୁ ହେଲେ ଭାରତକୁ ନିଜର ପୁଞ୍ଜିନିବେଶ ଓ ରପ୍ତାନି ପରିମାଣ ବଢ଼ାଇବାକୁ ହେବ। ଏହା ସମ୍ଭବ ହେଲେ ୨୦୧୯-୨୦ରେ ଅଭିବୃଦ୍ଧି ହାର ୭.୫%କୁ ବୃଦ୍ଧି ପାଇବ ବୋଲି ବିଶ୍ୱବ୍ୟାଙ୍କ ଜଣାଇଛି।