ଓସାକ୍ସରେ ପାଳିତ ହେଲା ବିଶ୍ୱ ଏଡସ୍ ଦିବସ । “ସମାନତା” ବିଷୟକୁ ନେଇ ଏଡସ୍ ଦିବସ ପାଳନ ।

49

କନକ ବ୍ୟୁରୋ: ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି (ଓସାକ୍ସ)ରେ “ସମାନତା” ବିଷୟକୁ ନେଇ ଆଜି ବିଶ୍ୱ ଏଡସ୍ ଦିବସ ପାଳନ କରାଯାଇଛି । ସମଗ୍ର ବିଶ୍ୱରେ ଏଡସ୍ ଯୋଗୁ ହେଉଥିବା ଅସମାନତାକୁ ଦୂର କରି ସମାନତା ଆଣିବା ଏବଂ ୨୦୩୦ ସୁଦ୍ଧା ଏଡସ୍ ସଂକ୍ରମଣର ମୂଳୋତ୍ପାଟନ ଲକ୍ଷ୍ୟ ହାସଲ ପାଇଁ ଓସାକ୍ସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ।

ସମସ୍ତଙ୍କ ପାଇଁ ଏଚ.ଆଇ.ଭି. ସମ୍ପର୍କିତ ପରୀକ୍ଷା, ନିରୂପଣ ଓ ଚିକିତ୍ସା ସହ ଔଷଧ ବିତରଣ ପାଇଁ କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜରେ ଥିବା ଏ.ଆର.ଟି. କେନ୍ଦ୍ରକୁ ଉକ୍ରର୍ଷ କେନ୍ଦ୍ର ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଏକ ଭିଡିଓ ବାର୍ତାରେ ଘୋଷଣା କରିଥିଲେ । ଏହାଦ୍ୱାରା ରାଜ୍ୟର ସମସ୍ତ ଏଚ.ଆଇ.ଭି. ପିଡିତ ବ୍ୟକ୍ତିଙ୍କୁ ଏଠାରେ ଉନ୍ନତ ମାନର ଚିକିତ୍ସା ଓ ପ୍ରଶିକ୍ଷଣ ଅଭିଜ୍ଞ ଡାକ୍ତର ସମୂହଙ୍କ ଦ୍ୱାରା ପ୍ରଦାନ କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତମାନ ରାଜ୍ୟରେ ୨୦ଟି ଏ.ଆର.ଟି କେନ୍ଦ୍ର କାର୍ଯ୍ୟ କରୁଛି । ଉନ୍ନତ ସ୍ୱାସ୍ଥ୍ୟସେବାକୁ ବ୍ୟାପକ କରି ଏଚ.ଆଇ.ଭି. ସଂକ୍ରମିତ ବ୍ୟକ୍ତିମାନଙ୍କୁ ମାଗଣା ଔଷଧ ସୁବିଧାରେ ଯୋଗାଣ ପାଇଁ ଆଗାମୀ ଦିନରେ ଗଜପତି, ବାରିପଦା ଓ କେନ୍ଦ୍ରାପଡାରେ ନୂତନ ଏ.ଆର.ଟି କେନ୍ଦ୍ର ପ୍ରତିଷ୍ଠା ନିଷ୍ପତି ନିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଦୀନବନ୍ଧୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରୀକ୍ଷା ଓ ଚିକିତ୍ସା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏଥିସହ ସେ ପିଡିତ ବ୍ୟକ୍ତିମାନଙ୍କ ସହ ଭେଦଭାବ ନରଖି ସମାନତା ଆଣିବା କ୍ଷେତ୍ରରେ ସମସ୍ତେ ସଚେତନ ହେବାକୁ ଆହ୍ୱାନ ଦେଇଥିଲେ ।

ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶିକା ଡ. ଉର୍ମିଳା ମିଶ୍ର ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ସଂକ୍ରମିତ ବ୍ୟକ୍ତିଙ୍କ ପ୍ରତି ସମାଜରେ ଥିବା ଅସମାନତାକୁ ଦୂର କରିପାରିଲେ ସମସ୍ତେ ବିନା ଦ୍ୱିଧାରେ ନିଜର ସ୍ଥିତି ଜାଣିପାରିବେ ଏବଂ ଏଡସ୍ ସଂକ୍ରମଣକୁ ଆମେ ଦୂର କରିପାରିବା ।

ଓସାକ୍ସର ନ୍ୟୁଜଲେଟର ଏବଂ ତିନୋଟି ଲଘୁ ଭିଡିଓ ଉନ୍ମୋଚିତ ହୋଇଥିଲା । କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ପାଇଁ ବକ୍ତୃତା ଏବଂ ଗ୍ଲାସ ପେଟିଂ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଚ.ଆଇ.ଭି / ଏଡସ୍ ବିଷୟରେ ଜାଣିବାର ଜିଜ୍ଞାସା ଏବଂ ସଚେତନତା ଯୋଗୁ ରାଷ୍ଟ୍ରୀୟ ଏଡସ ହେଲ୍ପଲାଇନ ୧୦୯୭ ନମ୍ବରରେ ଉତର- ପୂର୍ବାଂଚଳ ଜୋନରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ନାକୋ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ଅନୁସାରେ ସର୍ବାଧିକ ଫୋନ ଗଂଜାମ ଏବଂ ଖୋର୍ଦ୍ଧା ଜିଲାର ବୋଲି ଜଣାପଡିଛି । ସଚେତନତା କ୍ଷେତ୍ରରେ ସଫଳତା ସହ କାର୍ଯ୍ୟ କରିଥିବାରୁ ଏହି ଜିଲାର ଡିପିଏମଙ୍କୁ ସମ୍ମାନିତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ନିର୍ଦ୍ଦେଶକ ବୃନ୍ଦ, ଓସାକ୍ସର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ପ୍ରତିଷ୍ଠାନ ଅଧିକାରୀ, ବିତ ପରାମର୍ଶଦାତା, ଯୁଗ୍ମ ନିର୍ଦ୍ଦେଶକ, ସହ ନିର୍ଦ୍ଦେଶକ ପ୍ରମୁଖଙ୍କ ସହ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ । ଏହାବ୍ୟତୀତ ରାଜ୍ୟର ସମସ୍ତ ଜିଲାରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନେତୃତ୍ୱରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଛି । ଏହାସହିତ ସମସ୍ତ ସରକାରୀ ମେଡିକାଲ କଲେଜରେ ମଧ୍ୟ ଏହି ଦିବସ ପାଳିତ ହୋଇଛି । ରାଜ୍ୟର ବିଭିନ୍ନ କଲେଜ ମାନଙ୍କରେ ଥିବା ରେଡ ରିବନ କ୍ଲବମାନଙ୍କ ଦ୍ୱାରା ତିନି ଦିନ ବ୍ୟାପୀ ବିଭିନ୍ନ ପ୍ରତିଯୋଗିତା ପୂର୍ବକ ଏହି ଦିବସ ପାଳନ କରାଯାଇଛି ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଯୋଗଦେଇଥିଲା ବେଳେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ (ଏମଏସ) ଡ. ଅଜିତ ମହାନ୍ତି ଯୋଗଦେଇଥିଲେ । ଅତିଥି ମାନେ କହିଥିଲେ ଯେ ସାରା ଦେଶରେ, ଓଡ଼ିଶା ଅତ୍ୟଧିକ ଆଶଙ୍କା ପ୍ରବଣ ରାଜ୍ୟ ଭାବେ ପରିଗଣିତ ହେଉନଥିଲେ ସୁଦ୍ଧା ଏଚ.ଆଇ.ଭି ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ଆମ ରାଜ୍ୟରେ ସଂକ୍ରମିତ ବ୍ୟକ୍ତିମାନେ ବିଶେଷକରି ଗରିବ ଶ୍ରେଣୀର । ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରବାସୀ ଶ୍ରମିକ ଏବଂ ତାଙ୍କ ପରିବାର ଏହି ସଂକ୍ରମଣର ଶିକାର ହୋଇଥାଆନ୍ତି । ଓସାକ୍ସର ବ୍ୟାପକ ସଚେତନତା କାର୍ଯ୍ୟକ୍ରମ, ବିନା ମୂଲ୍ୟରେ ଉପଲବ୍ଧ ସ୍ୱାସ୍ଥ୍ୟ ସେବା ଏବଂ ଘୃଣା ଭେଦଭାବ ବିହୀନ ସହାୟତା ସହଯୋଗ ଦ୍ୱାରା ସଂକ୍ରମଣ ନିୟନ୍ତ୍ରଣାଧୀନ ହୋଇପାରିଛି ବୋଲି ସେମାନେ କହିଥିଲେ ।

ଏହି ଅବସରରେ ଓସାକଠାରେ ଦୁଇଟି ଆଇସି ପ୍ରଚାର ଭ୍ୟାନକୁ ସ୍ୱତନ୍ତ୍ର ସଚିବ ଡ. ମହାନ୍ତି ଓ ପ୍ରକଳ୍ପ ନିର୍ଦ୍ଦେଶିକା ଡ. ସାହୁ ଶୁଭାରମ୍ଭ କରିଥିଲାବେଳେ ରାଜ୍ୟର ବିଭିନ୍ନ ଜିଲାରୁ ଆଜିଠାରୁ ସଚେତନାଧର୍ମୀ ଆଇସି ପ୍ରଚାର ଭ୍ୟାନର ଆରମ୍ଭ କରାଯାଇଛି । ଯାହା ଆଗାମୀ ସାତ ଦିନ ଧରି ଏଚ.ଆଇ.ଭି. ଓ ଏଡସ୍ ସଚେତନତା କାର୍ଯ୍ୟ କରିବ । ଆଜିର ଏହି ବୈଠକରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ଡ. ଅଂଜନା ପଣ୍ଡା, ବିତ ପରାମର୍ଶଦାତ୍ରୀ ରଂଜିତା ବେହେରା, ପ୍ରୋକ୍ୟୋରମେଂଟ ଅଧିକାରୀ ବରେନ୍ଦ୍ର ନାଥ ବେଜ ଓ ପ୍ରତିଷ୍ଠାନ ଅଧିକାରୀ ଶୁଭେନ୍ଦୁ ପଟନାୟକ, ଯୁଗ୍ମ ନିର୍ଦ୍ଦେଶକ ଡ. ଡି.ଏସ. ଅରବିନ୍ଦ ଏବଂ ଓସାକ୍ସର ଅନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।