ବର୍ଷା ପାଣିରେ ରାଜଧାନୀ ଉବୁଟୁବୁ ହେବା ପରେ ଚେତା ପଶିଲା । ଇସ୍କନ ମନ୍ଦିର ସାମନାରେ ଯୁଦ୍ଧକାଳୀନ ଭିତରେ କାମ ଆରମ୍ଭ କଲେ ବିଏମସି, ପୂର୍ତ ବିଭାଗ ଓ ଏନଏଚଏଆଇ

40

କନକ ବ୍ୟୁରୋ : ଅଳ୍ପ ବର୍ଷାରେ ରାଜଧାନୀ ରାଜରାସ୍ତାରେ ଗାଡି ମୋଟର ଭାସିଲା । ସ୍ମାର୍ଟ ସିଟିରେ କୃତ୍ରିମ ବନ୍ୟା ସ୍ଥିତି ନେଇ ଜାତୀୟ ସ୍ତରରେ ନିନ୍ଦିତ ହେଲା ଓଡିଶା । ଏନଏଚଏଆଇ ଅଫିସରେ ପଶି କଂଗ୍ରେସ ପାଣି ମାଡ କରି ପ୍ରତିବାଦ କଲା । ଏହାପରେ ଆରମ୍ଭ ହୋଇଛି କାମ । ରାଜଧାନୀର ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ଜମୁଥିବା ପାଣି ନିଷ୍କାସନ ପାଇଁ ଅଂଟା ଭିଡିଛନ୍ତି ବିଏମସି, ପୂର୍ତ ବିଭାଗ ଓ ଏନଏଚଏଆଇ ।

୧ ଜୁଲାଇ ୨୦୧୮ । ଭୁବନେଶ୍ୱର ସ୍ଥିତ ଇସ୍କନ ମନ୍ଦିର ସମ୍ମୁଖରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ସ୍ମାର୍ଟ ସିଟିର ରାଜପଥ ଉପରେ ଭାସିିଲା ଗାଡି ମୋଟର । ଅସରାଏ ବର୍ଷା, ସହରରେ ସୃଷ୍ଟି କରିଥିଲା କୃତ୍ରିମ ବନ୍ୟା । ରାଜଧାନୀର ଏହି ବିକଳ ଚିତ୍ରକୁ ନେଇ ଜାତୀୟ ସ୍ତରରେ ନିନ୍ଦିତ ହେବା ପରେ ଚେତା ପଶିଛି । ବର୍ଷା ଜଳ ନିଷ୍କାସନ ପାଇଁ ଅଂଟା ଭିଡିଛନ୍ତି ବିଡିଏ, ବିଏମସି ପୂର୍ତ ବିଭାଗ ଓ ଏନଏଚଏଆଇ । ଇସ୍କନ ସମ୍ମୁଖ ରାସ୍ତାରେ ଥିବା ସାଇଫନକୁ ଭଂଗାଯାଇଛି । ସେପଟେ ସାଇଫନରୁ ପାଣି ନିଷ୍କାସନ ହେଉଥିବା ଗୋଟିଏ ଡ୍ରେନ୍ ପୋତି ହୋଇଯାଇଥିବାରୁ ତାକୁ ୬୦ ଫୁଟ ଯାଏଁ ଖୋଳାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ନୟାପଲ୍ଲୀ ଓ ଓଭରବ୍ରିଜରୁ ଆସୁଥିବା ପାଣି ନିଷ୍କାସନ ପାଇଁ ଯୋଜନା କରାଯାଇଛି । ବିଶେଷ କରି ଇସ୍କନ ମନ୍ଦିର ସମ୍ମୁଖ ଡ୍ରେନରୁ ଜଳ ନିଷ୍କାସନ ପାଇଁ ୨ଟି ପମ୍ପ ଲାଗିବ । ପମ୍ପରୁ ପାଣି ଉଠାଇ ପାଇପ ଯୋଗେ ମୁଖ୍ୟ ଡ୍ରେନରେ ପକାଯିବ । ସେହିପରି ବର୍ଷା ଜଳ ଯେପରି ଲୋକଙ୍କ ଘରେ ନପଶେ ଏବଂ ସଂପୂଣ୍ଣ କାମର ତଦାରଖ ପାଇଁ ୪ ଜଣ ଅଧିକାରୀଙ୍କୁ ନିୟୋଜିତ କରାଯିବ । ଏସବୁ ଭିତରେ ବାଧକ ସାଜିଛି ଜବରଦଖଲ ।

ବର୍ଷା ଦିନ ଆରମ୍ଭ ହୋଇଯାଇଥିବାରୁ ବର୍ତମାନ ଅସ୍ଥାୟୀ ଭାବେ ଜଳ ନିଷ୍କାସନ ସମସ୍ୟାର ସମାଧାନ କରାଯାଇଛି । ସ୍ଥାୟୀ ସମାଧାନ ପାଇଁ ଏନଏଚଏଆଇକୁ ଡିପିଆର ଦେଇଛି ପୂର୍ତ ବିଭାଗ । ଯେଉଁଥିରେ ନୟାପଲ୍ଲୀ ରାସ୍ତା କଡରେ ଥିବା ନାଳକୁ ଜୟଦେବ ବିହାର ସହ ସଂଯୋଗ କରିବାକୁ ପ୍ରସ୍ତାବ ରହିଛି ।