କୋରାପୁଟ : ପଛୁଆ ଅଂଚଳର ସାହାରା ପାଲଟିଛି ଦଦରା କାଠପୋଲ, ବିକାଶ ନାଁରେ ମିଳୁଛି ପ୍ରତାରଣା

55

କନକ ବ୍ୟୁରୋ : ସାମ୍ନାକୁ ଆସିଛି ସରକାରୀ ଯୋଜନାର ବାସ୍ତବତା । ରାସ୍ତା ଘାଟ ନଥିବାରୁ ପଛୁଆ ଅଂଚଳରେ ସାହାରା ପାଲଟିଛି ଦଦରା କାଠପୋଲ । ବର୍ଷା ହେଲେ ଜୀବନ ଯାତ୍ରା ଠପ୍ ହୋଇ ଯାଉଥିବା ବେଳେ ବିପଦ ସଂକୁଳ ଅବସ୍ଥାରେ କାଠ ପୋଲ ପାରି ହେଉଛନ୍ତି ଗର୍ଭବତୀ । ସହର ନିକଟରେ ଥାଇ ସରକାରୀ ଯୋଜନା ଠାରୁ ଅନେକ ଦୂରରେ କୋରାପୁଟ ଜିଲ୍ଲା କୁସିମି ପଂଚାୟତ । କଂଗ୍ରେସର ଗଡ଼ ହୋଇଥିବାରୁ ଅଂଚଳର ବିକାଶ ପାଇଁ ବିଜେଡ଼ି ସରକାର ନଜର ଦେଉନଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଆମ୍ବା ବାଓ ନଦୀ ଉପରେ ଥିବା ଦଦରା କାଠପୋଲ ଖୋଲିଛି ସରକାରୀ ଯୋଜନାର ଗୁମର । ଏହି କାଠ ପୋଲ କୋରାପୁଟ ଜିଲ୍ଲା କୁସିମି ପଂଚାୟତକୁ ସହର ସହ ଯୋଗାଯୋଗର ମାଧ୍ୟମ । କୁସୁମି ପଂଚାୟତର ଅନେକ ଗାଁରେ ନାଁ ଅଛି ରାସ୍ତା ନାଁ ବିଜୁଳି । ବିହସ୍ପିଟାଲରେ ପହଂଚିବା ପାଇଁ ଏମିତି ୩ କିଲୋମିଟର ରାସ୍ତା ଚାଲିବାକୁ ପଡିବ । ଏ ତ ଗଲା ସ୍ୱାସ୍ଥ୍ୟ ଓ ଗମନାଗମନର କଥା । ଏବେ ଶିକ୍ଷା ବ୍ୟବସ୍ଥା କଥା । ଗାଁ ଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିବା ସ୍କୁଲ ଓ କଲେଜକୁ ଯିବା ପାଇଁ ୨୨ କିଲୋମିଟର ରାସ୍ତା ଚାଲନ୍ତି ଏଠାକାର ଛାତ୍ରଛାତ୍ରୀ । ତା ପୁଣି ଏହି ଦଦରା ପୋଲ ଦେଇ ।

ନିର୍ବାଚନ ଆସିଲେ କୁସୁମି ପଂଚାୟତକୁ ଛୁଟେ ପ୍ରଶାସନ ଅଧିକାରୀ ଓ ନେତାଙ୍କ ସୁଅ । ଆଉ ଭୋଟ ପାଇଁ ପ୍ରତିଶ୍ରୁତିର ପାହାଡ ଠିଆ କରନ୍ତି ରାଜନେତା । ହେଲେ ଭୋଟ ସରିଲେ ଏମାନେ ହୋଇଯାଆନ୍ତି ଅଲୋଡା । ପକ୍କା ପୋଲଟିଏ ପାଇଁ ବିଡ଼ିଓଙ୍କ ଠାରୁ ଆରମ୍ବ କରି ମନ୍ତ୍ରୀଙ୍କ ଯାଏଁ ସମସ୍ତଙ୍କୁ ଗୁହାରି କରିଛନ୍ତି । ଆମ୍ବ ବାଓ ନଦୀ ଉପରେ ତିଆରି ହୋଇଥିବା କାଠପୋଲ ଗାଁ ଲୋକେ ନିଜେ କରିଛନ୍ତି । ପ୍ରତି ୩ ବର୍ଷକୁ ଥରେ ପୋଲ ମରାମତି ମଧ୍ୟ ନିଜେ ଗ୍ରାମବାସୀ ହିଁ କରୁଛନ୍ତି ।