ୱଣ୍ଡର ୱିମେନ ସୁସ୍ମିତା ସେନ୍ । ପଢନ୍ତୁ ଏହି ସଫଳ ବ୍ରହ୍ମାଣ୍ଡସୁନ୍ଦରୀଙ୍କ ସଫଳତାର କାହାଣୀ …

120

କନକ ବ୍ୟୁରୋ: ସୁସ୍ମିତା ସେନ । ୱଣ୍ଡର ୱିମେନ ଭାବେ ପରିଚିତ । ପୂର୍ବତନ ମିସ୍ ୟୁନିଭର୍ସ, ଅଭିନେତ୍ରୀ ତଥା ମଡେଲଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ସ୍ୱାଧୀନ ଭାବେ ଜୀବନ ଜିଇଁବାକୁ ନେଇଁ ସବୁବେଳେ ଚର୍ଚ୍ଚାରେ ୪୬ବର୍ଷୀୟ ଏହି ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ । ୧୯୯୪ରେ ପ୍ରଥମ ଥର ପାଇଁ ଭାରତର ପ୍ରତିନିଧିତ୍ୱ କରି ବ୍ରହ୍ମାଣ୍ଡ ସୁନ୍ଦରୀ ଟାଇଟଲ ହାସଲ କରିବାର ଗୌରବ ଅର୍ଜନ କରିଥିଲେ ସୁସ୍ମିତା । ବିବାହ କରିନକରି ଦୁଇ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିବାରୁ ସବୁବେଳେ ସେ ପ୍ରଶଂସାର ପାତ୍ର ହୋଇଛନ୍ତି । ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଏହି ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ଏବେ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି । ପ୍ରତିଷ୍ଠିତ ଶିଳ୍ପପତି ଓ କ୍ରିକେଟ୍ ପ୍ରଶାସକ ଲଳିତ ମୋଦୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଏକ ମଧ୍ୟବିତ୍ତ ପରିବାରରୁ ଆସିଥିବା ସୁସ୍ମିତାଙ୍କ ସଫଳତାର କାହାଣୀ ବି ବେଶ ରୋଚକ । ମାତ୍ର ୧୮ବର୍ଷ ବୟସରେ ବ୍ରହ୍ମାଣ୍ଡ ସୁନ୍ଦରୀ ଟାଇଟଲ ବିଜୟୀ ହୋଇଥିଲେ ସୁସ୍ମିତା । ଏହାସହ ଭାରତକୁ ପ୍ରଥମ ଥର ପାଇଁ ଏହି ଟାଇଟଲ ମିଳିଥିଲା । ଏହାପରେ ୧୯୯୬ରେ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ ସୁସ୍ମିତା । ଫିଲ୍ମ ‘ଦସ୍ତକ’ରେ ତାଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା ।

ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବଲିଉଡରେ କାମ କରିବା ସହ ସମାଜସେବୀ କାମରେ ନିଜକୁ ନିୟୋଜିତ କରିଛନ୍ତି ।
ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା
– ୧୯୯୪ରେ ପ୍ରଥମ ଭାରତୀୟ ଭାବେ ବ୍ରହ୍ମାଣ୍ଡ ସୁନ୍ଦରୀ ଟାଇଟଲ ଜିତିଥିଲେ
– ୧୮ ବର୍ଷ ବୟସରେ ଫେମିନା ମିସ୍ ଇଣ୍ଡିଆ ହୋଇଥିଲେ ସୁସ୍ମିତା
– ପରେ ହିନ୍ଦି ଫିଲ୍ମରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ
– ଦୁଇ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ସୁସ୍ମିତା ସେନ୍
– ୧୯୯୬ରେ ପ୍ରଥମେ ହିନ୍ଦୀ ଫିଲ୍ମ ‘ଦସ୍ତକ’ରେ ଅଭିନୟ କରିଥିଲେ
– ‘ବିୱି ନମ୍ବର ୱାନ୍, ‘ସିର୍ଫ ତୁମ୍’, ‘ମେଁ ହୁଁ ନା’ ଭଳି ହିଟ୍ ଫିଲ୍ମରେ ଅଭିନୟ କରିଥିଲେ
– ତାମିଲ ଓ ବେଙ୍ଗଲୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ସୁସ୍ମିତା ସେନ୍
– ୨୦୨୦ରେ ୱେବ ସିରିଜ୍ ‘ଆର୍ଯ୍ୟା’ରେ ନଜର ଆସିଥିଲେ
– ୨୦୨୧ରେ ଏହି ସିରିଜ୍ର ସିଜିନ୍-୨ରେ ପୁଣି ପରଦାକୁ ଫେରିଥିଲେ

ଏବେ ନଜର ପକାନ୍ତୁ ସୁସ୍ମିତା ସେନଙ୍କ ବିଷୟରେ କିଛି ରୋଚକ କଥା ଉପରେ
ସୁସ୍ମିତା ସେନଙ୍କ ବିଷୟରେ ସଂକ୍ଷେପରେ
– ସାରାବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ସେଲିବ୍ରିଟିଙ୍କ ମଧ୍ୟରେ ଅନ୍ୟତମ ସୁସ୍ମିତା ସେନ
– ମାତ୍ର ୧୮ବର୍ଷ ବୟସରେ ମିସ୍ ୟୁନିଭର୍ସ ଟାଇଟଲ ବିଜୟୀ ହୋଇଥିଲେ ସୁସ୍ମିତା
– ପ୍ରଥମ ଭାରତୀୟ ଭାବେ ଏହି ଟାଇଟଲ ହାସଲ କରିଥିଲେ
– ମିସ୍ ଇଣ୍ଡିଆର ଫାଇନାଲ ରାଉଣ୍ଡ ବେଳେ ନିଜ ମାଆ ଓ ସ୍ଥାନୀୟ ଜଣେ ଦରଜୀ ସିଲେଇ କରିଥିବା ଗାଉନ ପିନ୍ଧିଥିଲେ ସୁସ୍ମିତା
– ପ୍ରଥମେ ହିନ୍ଦୀ ମିଡିୟମ ସ୍କୁଲରେ ପାଠପଢୁଥିଲେ
– ପରେ ଇଂରାଜୀରେ ଡିଗ୍ରୀ ହାସଲ କରିଥିଲେ
– ଇଂରାଜୀ ଅନର୍ସ ପରେ ସାମ୍ବାଦିକତା ପାଠ ପଢିଥିଲେ ସୁସ୍ମିତା
– ବିବାହ କରିନଥିଲେ ବି ଦୁଇ ଝିଅକୁ ପୋଶ୍ୟ ଭାବେ ଗ୍ରହଣ କରିଛନ୍ତି
– ସୁସ୍ମିତାଙ୍କ ଦୁଇ ଝିଅଙ୍କ ନାଁ ରେନେ ଓ ଅଲିଶା
– ସମାଜସେବୀରେ ନିଜକୁ ନିୟୋଜିତ ରଖନ୍ତି ସୁସ୍ମିତା
– ‘ଆଇ ଏମ’ ନାଁରେ ଏକ ଚାରିଟେବୁଲ ଟ୍ରଷ୍ଟ ଚଳାନ୍ତି ସୁସ୍ମିତା
– ଝିଅଙ୍କ ପାଠପଢା ଓ ପିଲାଙ୍କ ପାଇଁ ବିକାଶମୂଳକ କାମ କରନ୍ତି
– କବିତା ଲେଖିବାକୁ ଭଲ ପାଆନ୍ତି ଏହି ବ୍ରହ୍ମାଣ୍ଡ ସୁନ୍ଦରୀ
ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ଏହି ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ । ଗତବର୍ଷ ତାଙ୍କ ପୂର୍ବତନ ପୁରୁଷ ବନ୍ଧୁ ରୋହମନ ସଲଙ୍କ ସହ ବ୍ରେକଅପ ହୋଇଥିଲା । ତେବେ ଏହା ପୂର୍ବରୁ ମଧ୍ୟ ବିକ୍ରମ ଭଟ୍ଟ ଓ ରଣଦୀପ ହୁଡାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୁଏ ।

ସୁସ୍ମିତାଙ୍କ ପ୍ରେମ କାହାଣୀ
– ୨୦୧୮ରେ ମଡେଲ ରୋହମନ୍ ସଲ୍ଙ୍କ ସହ ସୁସ୍ମିତାଙ୍କ ସମ୍ପର୍କ ଗଢି ଉଠିଥିଲା
– ରୋମାନ୍ଙ୍କୁ ସୁସ୍ମିତା ସେନ୍ ଇନ୍ଷ୍ଟାଗ୍ରାମ୍ରେ ଭେଟିଥିଲେ
– ଉଭୟଙ୍କ ପ୍ରେମକୁ ନେଇ ଇଣ୍ଡଷ୍ଟ୍ରିରେ ଖୁବ୍ ଚର୍ଚ୍ଚା ହୋଇଥିଲା
– ଗତ ବର୍ଷ ଡିସେମ୍ବରରେ ଉଭୟଙ୍କ ବ୍ରେକ୍ ଅପ୍ ହୋଇଥିଲା
– ପ୍ରଥମେ ସୁସ୍ମିତା ସେନ୍ ଓ ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା
– ସୁସ୍ମିତାଙ୍କ ପ୍ରଥମ ଫିଲ୍ମ ‘ଦସ୍ତକ’ର କାହାଣୀ ଲେଖିଥିଲେ ବିକ୍ରମ୍ ଭଟ୍ଟ
– ଏହି ଫିଲ୍ମ ସୁଟିଂ ସମୟରେ ଦୁଇ ଜଣଙ୍କ ମଧ୍ୟରେ ମ୍ପର୍କ ଗଢି ଉଠିଥିଲା
– ପାକିସ୍ତାନୀ କ୍ରିକେଟର ୱାସିମ୍ ଆକ୍ରମଙ୍କ ସହ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା
– ଅଭିନେତା ରଣଦୀପ ହୁଡ୍ଡାଙ୍କ ସହ ମଧ୍ୟ ସୁସ୍ମିତା ସେନ୍ଙ୍କ ନାଁ ଯୋଡାଯାଇଛି

ଲଳିତ ମୋଦୀଙ୍କ ସୋସିଆଲ ମିଡିଆ ପୋଷ୍ଟ ପରେ ଏବେ ଚର୍ଚ୍ଚାକୁ ଆସିଯାଇଛି ସୁସ୍ମିତା ଓ ଲଲିତଙ୍କ ପ୍ରେମ କାହାଣୀ । ସୁସ୍ମିତାଙ୍କୁ ରୂପର ରାଣୀ ବୋଲି କୁହାଯାଉଥିବା ବେଳେ ଲଳିତଙ୍କୁ ଚୋରଙ୍କ ରାଜା କୁହାଯାଉଛି ।

ଏବେ କ୍ରିକେଟ ପ୍ରଶାସକ ଲଳିତ ମୋଦୀଙ୍କ ସୋସିଆଲ ମିଡିଆ ପୋଷ୍ଟ ପରେ ପୁଣି ଥରେ ସୁସ୍ମିତାଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ହେଉଛି । ଏବେ ସୁସ୍ମିତା ଓ ଲଳିତ ମୋଦିଙ୍କ ପ୍ରେମ ସମ୍ପର୍କ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି । ଆଇପିଏଲ ଏବେ ବିଶ୍ୱ କ୍ରିକେଟରେ ଏକ ବଡ଼ ବ୍ରାଣ୍ଡ । ହେଲେ ଆଇପିଏଲର ଜନ୍ମଦାତା ଭାବେ ଲଲିତ ମୋଦିଙ୍କୁ ଅନେକ ଶ୍ରେୟ ଦେଇଥାନ୍ତି । ତେବେ ତାଙ୍କ ବିରୋଧରେ ଅର୍ଥ ତୋଷାରପାତର ଅଭିଯୋଗ ଆସିଥିଲା । ଏହାସହ ତାଙ୍କ ନାମରେ ଆଉ କିଛି ମାମଲା ରହିଛି । ଲଳିତ ମୋଦି ଏବେ ବିଦେଶରେ ରହୁଛନ୍ତି ।