ଆହୁରି ମଜବୁତ ହେବ ମିଶନ ଶକ୍ତି: ମହିଳା ଉଦ୍ୟୋଗୀଙ୍କ ପାଇଁ ସ୍ଥାପନ ହେବ ଶିଳ୍ପ ପାର୍କ

114

କନକ ବ୍ୟୁରୋ: ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଚତୁର୍ଥ ଦିନରେ ମହିଳା ଉଦ୍ୟୋଗୀ ଅଧିବେଶନରେ ଯୋଗଦେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଘୋଷଣା କରିଛନ୍ତି ଯେ, ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ସ୍ଥାପନ ହେବ ଶିଳ୍ପ ପାର୍କ ।  ସବୁ ଜିଲ୍ଲାରେ ହେବ ମାଇକ୍ରୋ ଓ ସ୍ମଲ ଇଣ୍ଡଷ୍ଟ୍ରୀ ପାର୍କ । ସେହିପରି ମିଶନ ଶକ୍ତିର ପ୍ରତି ଜିଲ୍ଲା ଫେରେଡରେସନ ପାଇଁ ୧ କୋଟି ଟଙ୍କାର ରିଭଲଭିଂ ଫଣ୍ଡ ଓ ପ୍ରତି ବ୍ଲକ ପାଇଁ ୫୦ ଲକ୍ଷ ଟଙ୍କାର ଫଣ୍ଡ ଗଠିତ ହେବ ।   ପଂଚାୟତ ସ୍ତରରେ ଫେଡେରେସନ ପାଇଁ ମାର୍କେଟ କମ୍ପେ୍ଲକ୍ସ ଏବଂ ସ୍ୱତନ୍ତ୍ର ଅଫିସ୍ ଘର ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟ ସ୍ୱୟଂ ସହାୟକ ଗ୍ରୁପ୍ ଭଳି କି ଭଳି ସାମଗ୍ରୀ ତିଆରି କରୁଥିବା ବେଳେ ଏସବୁକୁ ବିଶ୍ୱ ବଜାରରେ ପହଂଚାଇବାକୁ ରୋଡମ୍ୟାପ୍ ତିଆରି ହୋଇଛି । ଇ-କମସ ସଂସ୍ଥା ଫ୍ଲିପକାର୍ଟ ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି । ନିଜ ଉତ୍ପାଦିତ ଦ୍ରବ୍ୟକୁ ଏସଏଚଜି ଏବେ ଫ୍ଲିପକାର୍ଟ ମାଧ୍ୟମରେ ବିକ୍ରି କରିପାରିବେ । ସେହିପରି ଶୁଖୁଆ ଉତ୍ପାଦନ ଓ ବଜାର ବ୍ୟବସ୍ଥା ପାଇଁ ୱାଲର୍ଡଫିସ୍, ଚାଉଳର  ପ୍ରକ୍ରିୟାକରଣ ପାଇଁ ଆଇଆରଆରଆଇ, ଚିନାବାଦାମର ପ୍ରକ୍ରିୟାକରଣ ପାଇଁ ଆଇସିଆରଆଇ ସାଟ୍ ସହ ବୁଝାମଣ ପତ୍ର ସ୍ୱାକ୍ଷର ହୋଇଛି । ଅନ୍ୟପଟେ ରାଜ୍ୟରେ ୧୫ ହଜାର ମହିଳାଙ୍କୁ ବିୟୁଟି ଓ ୱେଲନେସ୍  ଟ୍ରେନିଂ ଦିଆଯିବ । ରାଜ୍ୟର ୫ ଜିଲ୍ଲାରୁ ପ୍ରଥମେ ଏହି ପ୍ରକ୍ରିୟା ଆରମ୍ଭ ହେବ ।

ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ୧ ହଜାର କୋଟିର ନିବେଶ ପାଇଁ ବିଭିନ୍ନ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ମେଡିସିନ ଫାର୍ମାସ୍ୟୁଟିକାଲ କମ୍ପାନୀ କାଡିଲା ଶହେ କୋଟି ଟଙ୍କରୀ ନବେଶ ପାଇଁ ଆଗ୍ରହ ପ୍ରକାଶ କରିଛି ।