ସଂଧ୍ୟା ସାଢେ ୫ଟା ସୁଦ୍ଧା ମହିଳା କର୍ମଚାରୀ ଅଫିସ ଛାଡିବା ପ୍ରସଙ୍ଗ । ନିର୍ମାଣ ସୌଧ ଅଫିସରେ ପୂର୍ତ୍ତ ବିଭାଗ ଉପସଚିବଙ୍କ ତନାଘନା 

144

କନକ ବ୍ୟୁରୋ: ଗତ ୨୭ ତାରିଖରେ ସର୍ବୋଚ୍ଚ ଯନ୍ତ୍ରୀ ସିଭିଲ୍ କାର୍ଯ୍ୟାଳୟ ପକ୍ଷରୁ ସଂଧ୍ୟା ସାଢେ ୫ଟା ସୁଦ୍ଧା ମହିଳା କର୍ମଚାରୀ ଅଫିସ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ନିର୍ଦ୍ଦେଶନାମା ଜାରି ହେବା ପରେ ନିର୍ମାଣ ସୌଧରେ ଥିବା କାର୍ଯ୍ୟାଳୟକୁ ଯାଇଥିଲେ ପୂର୍ତ ବିଭାଗର ଉପସଚିବ ପାରୁଲ ପଟୁଆରି । ମହିଳା କର୍ମଚାରୀ ଓ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ  ।  ଏହା ପରେ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଲିଖିତ ଜବାବ ତଲବ କରିଛି ପୂର୍ତବିଭାଗ । କାହିଁକି ଏପରି ଏକ ଅଫିସ ଅର୍ଡର ଜାରି କରାଗଲା, ଏନେଇ ଲିଖିତ ଭାବେ ଜବାବ ଦାଖଲ କରିବାକୁ କୁହାଯାଇଛି । ଏଥିପାଇଁ ୭ଦିନ ସମୟ ଦେଇଛି ପୂର୍ତ ବିଭାଗ ଏବଂ ଏହାକୁ ଅତି ଜରୁରୀ ଭାବେ ନେବାକୁ ଦିଆଯାଇଛି ନିର୍ଦ୍ଦେଶ ।

ସର୍ବୋଚ୍ଚ ଯନ୍ତ୍ରୀ ଜାରି କରିଥିବା ନିର୍ଦ୍ଦେଶନାମାକୁ ନେଇ ଜୋରାଦାର ଚର୍ଚ୍ଚା ହେବା ପରେ ଏହାକୁ ଗୁରୁତ୍ୱର ସହ ନେଇଛି ପୂର୍ତ ବିଭାଗ । ଏହି ପରିପ୍ରେକ୍ଷୀରେ ବିଶାଖା ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ଗାଇଡଲାଇନକୁ ପାଳନ କରିବା ପାଇଁ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ । କାର୍ଯ୍ୟସ୍ଥଳରେ ମହିଳାଙ୍କୁ ନିର୍ଯାତନା ବିରୋଧରେ ଗଠିତ ଆଭ୍ୟନ୍ତର ଅଭିଯୋଗ କମିଟିର ପ୍ରିଜାଇଣ୍ଡିଂ ଅଫିସର ରହିଥିବା ପାରୁଲ ପଟୁଆରି  ଆଲୋଚନା କରିଥିବାରୁ ଏହି ପ୍ରସଙ୍ଗକୁ ନେଇ ଅଧିକ ଚର୍ଚ୍ଚା ହୋଇଛି । ମହିଳା କର୍ମଚାରୀଙ୍କ ପାଇଁ ଏଭଳି ସମୟ କଟକଣା ପଛର ପ୍ରକୃତ କାରଣ କ’ଣ ଏନେଇ ପ୍ରଶ୍ନ ଉଠିଛି ।