ଓମେନ୍ସ ବିଜନେସ ମେଳା । ଜନତା ମୈଦାନରେ ଜମୁଛି ଭିଡ, ମିଳୁଛି ନୂଆ ବିଜନେସ ଆଇଡିଆ । ଫୁଡ କୋର୍ଟରେ ବସି ପରିବାର ସହ ମଜା ଉଠାଉଛନ୍ତି ଲୋକେ ।

137

କନକ ବ୍ୟୁରୋ: ଜନତା ମୈଦାନରେ ଜମୁଛି ଦେଶର ପ୍ରଥମ ମେଗା ଓମେନ୍ସ ବିଜିନେସ ମେଳା । ବାଣିଜ୍ୟ ମେଳାର ଏହି ବଡ଼ ପର୍ବରେ ବିନା ଟିକେଟରେ ସାମିଲ ହେଉଛନ୍ତି ହଜାର ହଜାର ଲୋକେ । ଆଉ ବେପାର ବଣିଜ ପାଇଁ ମାଗଣାରେ ନେଉଛନ୍ତି ନୂଆ ନୂଆ ଆଇଡିଆ । କିଛି ନୂଆ କରିବାର ଆଶା ଏବଂ ଆଧୁନିକ ଯୁଗରେ ବିଜିନେସ ପାଇଁ ବାଟ ଖୋଜୁଥିବା ଯୁବ ବ୍ୟବସାୟୀଙ୍କୁ ନୂଆ ରାସ୍ତା ଦେଖାଉଛି ଏହି ମେଳା । ସୁସଜ୍ଜିତ ତୋରଣ ସାଙ୍ଗକୁ ଆଖି ଲାଖିଯିବା ଭଳି ଷ୍ଟଲ ଅନେକଙ୍କୁ ଏହି ମେଳାକୁ ଟାଣି ଆଣୁଛି ।

ଭୁବନେଶ୍ୱରର ଜନତା ମୈଦାନରେ ମେ’ ୪ରୁ ୮ ତାରିଖ ଯାଏଁ ହେଉଥିବା ଦେଶର ପ୍ରଥମ ଓମେନ୍ସ ବିଜନେସ ମେଳାରୁ ବେପାର-ବାଣିଜ୍ୟର ଅନେକ ଆଇଡିଆ ଆପଣ ନିଶ୍ଚୟ ପାଇବେ । ଆଇଡବ୍ଲୁଇସି ପକ୍ଷରୁ ଆୟୋଜିତ ହୋଇଥିବା ଏହି ମେଳା ୨ଦିନ ବିତି ସାରିଲାଣି । ଯେଉଁଥିରେ ସାମିଲ ହୋଇଛନ୍ତି ୧୦୦ରୁ ଅଧିକ ମହିଳା ଉଦ୍ୟୋଗୀ । ଆଉ ଏହି ମହିଳା ଉଦ୍ୟୋଗୀଙ୍କ ସଫଳତାର କାହାଣୀ କହୁଛି ବଡ ବଡ ଷ୍ଟଲରେ ଶୋଭା ପାଉଥିବା ସାମଗ୍ରୀ । ଓଡ଼ିଶାର ଦେଶୀ ସାମଗ୍ରୀକୁ ଦେଶ ବିଦେଶରେ ପରିଚିତ କରିବାର ସବୁଠୁ ବଡ ପ୍ଲାଟଫର୍ମ ପାଲଟିଛି ଓମେନ୍ସ ବିଜନେସ ମେଳା ।

ଉଦଘାଟନୀ ଉତ୍ସବରେ ସାମିଲ ହୋଇ ଯେମିତି ବଲିଉଡ ଅଭିନେତ୍ରୀ ଲାରା ଦତ୍ତା ମହିଳା ବ୍ୟବସାୟୀଙ୍କୁ ଉତ୍ସାହିତ କରିଥିଲେ । ଠିକ୍ ସେହିପରି ଆଉ ୩ ଦିନ ଧରି ଅନେକ ବଲିଉଡ ତାରକା ଓ ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ବିଜନେସ ଟିପ୍ସ ପାଇପାରିବେ ଆପଣ । ଏପରିକି ସଫଳ ମହିଳା ଉଦ୍ୟୋଗୀଙ୍କ ସଫଳତାର କାହାଣୀ ଜାଣିବା ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଓ ଫୁଡ୍ କୋର୍ଟରେ ବସି ଓଡ଼ିଶାର ସବୁ ପ୍ରାନ୍ତରୁ ଆସିଥିବା ପ୍ରସିଦ୍ଧ ଖାଇବାର ମଜା ବି ଆପଣ ଉଠାଇପାରିବେ । କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଆଧ୍ୟାତ୍ମିକ ଗୁରୁ ଗୌରାଙ୍ଗ ଦାସ ପ୍ରଭୁ ସାମିଲ ହୋଇ ପରିବାରର ଗୁରୁତ୍ୱ କଣ ତାହା ବୁଝାଇଛନ୍ତି ।

ଆଜି ମେଳାର ୩ୟ ଦିନରେ ରାଜନୀତିରେ ମହିଳାଙ୍କ ଭାଗିଦାରୀ, ଶିକ୍ଷା ଏବଂ ସଶକ୍ତ ନାରୀଙ୍କ ବିଷୟରେ ଆଲୋଚନା ହେବ । ଏବଂ ୪ର୍ଥ ଦିନରେ ମୁଖ୍ୟଆକର୍ଷଣ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କୁ ଦେଖିପାରିବେ ଆପଣ । ସେହିଭଳି ମେଳାର ଦ୍ୱିତୀୟ ଦିନରେ ବଡ ବଡ ସେଲିବ୍ରିଟିଙ୍କୁ ଫିଟ୍ ରଖୁଥିବା ପିଲାଟି କୋଚ୍ ସୁମିତ ପୁରୋହିତ ଯୋଗ ଦେଇ ଉପସ୍ଥିତ ଦର୍ଶକଙ୍କୁ ଏହି ଏକ୍ସରସାଇଜ ଶିଖାଇବା ସହ କହିଛନ୍ତି, ପିଲାଟି ଲୋକଙ୍କୁ ଏକ ସୁସ୍ଥ ଜୀବନ ବଞ୍ଚିବାରେ ସହାୟକ ହେବ । ତେବେ ଏହି ବ୍ୟାୟାମ ମନକୁ ଶାନ୍ତ ରଖିବା ସହ ଶରୀରକୁ ମଧ୍ୟ ଫିଟ୍ ରଖିଥାଏ । ଆଉ ଯେକୌଣସି ବୟସର ଲୋକ ଏହି ବ୍ୟାୟାମ କରିପାରିବେ ବୋଲି କହିଛନ୍ତି ସୁମିତ ।

ବ୍ୟସ୍ତବହୁଳ ଜୀବନ ଭିତରେ ଏହି ମେଳାରେ ଖାଦ୍ୟଠୁ ଖେଳ ସବୁର ମଜା ଉଠାଇ ପାରିବେ ନିଶ୍ଚିତ । ଯେଉଁଠି ୧୦୦ରୁ ଅଧିକ ସଫଳ ମହିଳା ଉଦ୍ୟୋଗୀ ନିଜର ସାମଗ୍ରୀକୁ ପ୍ରଦର୍ଶିତ କରିବା ସହ ନୂଆ ନୂଆ ବିଜନେସ ଆଇଡିଆ ବାବଦରେ ଆପଣଙ୍କୁ ଜଣାଇବେ । ଆଉ ସବୁଠୁ ବଡ କଥା ହେଲା ଏହି ମେଳାରେ ଏଣ୍ଟ୍ରି ପାଇଁ ଆପଣଙ୍କୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିବାକୁ ପଡିବନି । ଅଥାର୍ତ ପୂରା ମାଗଣାରେ ଏହି ମେଗା ମେଳା ବୁଲିପାରିବେ । ତେବେ ଆଉ ଡେରି କାହିଁକି? ଏବେ ହିଁ ପୂରା ପରିବାର ସହ ଆସନ୍ତୁ ମେଳା ବୁଲନ୍ତୁ । ଏଭଳି ଏକ ମେଗା ଇଭେଣ୍ଟରେ ସାମିଲ ହେବାର ସୁଯୋଗକୁ ଆଦୌ ହାତଛଡା କରନ୍ତୁ ନାହିଁ ।