ଘରୁ ବାହାର କରିଦେଲା ସ୍ୱାମୀ । ଜୀବନ ଜିଇଁବାକୁ ଛୋଟ ପିଲାକୁ ଧରି ରାସ୍ତା କଡରେ ବିକ୍ରି କରୁଥିଲେ ଲେମ୍ବୁ ପାଣି, କଠିନ ପରିଶ୍ରମ କରି ବନିଲେ ସବ୍ ଇନ୍ସପେକ୍ଟର ।

287

କନକ ବ୍ୟୁରୋ : ପିଲାଙ୍କ ପେଟ ପାଇଁ ଲେମ୍ବୁ ପାଣି ବିକୁଥିଲେ, ଏବେ ସବ୍ ଇନ୍ସପେକ୍ଟର ହେଲେ । ସଂଘର୍ଷ ଓ ଇଚ୍ଛାଶକ୍ତିର ଏହା ଏମିତି ଏକ କାହାଣୀ, ଯାହା ପ୍ରତିଟି ବ୍ୟକ୍ତିଙ୍କ ମନରେ ପ୍ରେରଣା ଭରିଦେବ । କୁହାଯାଏ ଯଦି ମନରେ ଦୃଢ ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ୱାସ ରହିଥାଏ, ତେବେ ପରିଶ୍ରମ ବଳରେ ସବୁ କିଛି ହାସଲ କରିବା ସମ୍ଭବ । ଆଉ ଏହାକୁ ସତ କରି ଦେଖାଇଛନ୍ତି କେରଳର ୩୧ ବର୍ଷୀୟା ମହିଳା ଆନି ଶିବା । ଦିନେ ନିଜେ ବଂଚିବା ସହ ପିଲାଙ୍କ ପେଟ ପୋଷିବା ପାଇଁ ଲେମ୍ବୁ ପାଣି ବିକ୍ରି କରୁଥିଲେ, କିନ୍ତୁ ଦୃଢ ପରିଶ୍ରମ ବଳରେ ସେ ଆଜି ସବ୍ ଇନ୍ସପେକ୍ଟର ହୋଇପାରିଛନ୍ତି । କିନ୍ତୁ ତାଙ୍କ ସଂଘର୍ଷର କାହାଣୀ ଜାଣିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ ।

ଖୁବ କମ୍ ବୟସରେ ଆନିଙ୍କ ବିବାହ ହୋଇଥିଲା । ମାତ୍ର ୧୮ ବର୍ଷ ବୟସରେ ଆନିଙ୍କୁ ନିଜ ଛୋଟ ଛୁଆ ସହ ତାଙ୍କ ସ୍ୱାମୀ ଓ ପରିବାରଲୋକ ଘରୁ ବାହାର କରିଦେଇଥିଲେ । ତେବେ ପିତାମାତାଙ୍କ ଅନିଚ୍ଛାରେ ବିବାହ କରିଥିବାରୁ ବାପା ଘରକୁ ମଧ୍ୟ ଯାଇପାରିନଥିଲେ । ବଂଚିବା ପାଇଁ ସେ ରାସ୍ତାକଡରେ ଲେମ୍ବୁପାଣି ଏବଂ ଆଇସକ୍ରିମ ବିକିଲେ । ଦଇବ ସିନା ଦାଉ ସାଧୁଥିଲା କିନ୍ତୁ ଜୀବନ ସହ ଏହି ଯୁଦ୍ଧରେ ସେ ହାରିଯାଇନଥିଲେ ।

ଆନିଙ୍କ ଏହି ସଂଘର୍ଷ ଦେଖି ଜଣେ ବ୍ୟକ୍ତି ତାଙ୍କୁ ଆର୍ଥିକ ସହାୟତା ଦେବା ସହ ସବ୍ ଇନ୍ସପେକ୍ଟର ପରୀକ୍ଷା ଦେବା ପାଇଁ ପରାମର୍ଶ ଦେଇଥିଲେ । ଆଉ କଠିନ ପରିଶ୍ରମ କରି ଶେଷରେ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ଆନି । ଆଉ ଏବେ ସେ ବନିଯାଇଛନ୍ତି ସବ୍ ଇନ୍ସପେକ୍ଟର ।

ଆନିଙ୍କ ଏହି ସଫଳତା ନେଇ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛି କେରଳ ପୋଲିସ । ଟ୍ୱିଟରେ ଲେଖାଯାଇଛି, ବିଶ୍ୱାସ ଓ ଇଚ୍ଛାଶକ୍ତିର ପ୍ରକୃତ ହିରୋ ହେଉଛନ୍ତି ଆନି । ମାତ୍ର ୧୮ ବର୍ଷ ବୟସରେ ନିଜ ୬ ମାସର ଶିଶୁ ସହ ବଂଚିବା ପାଇଁ ଲଢେଇ କରି ଆନି ଆଜି ନିଜ ପରିଶ୍ରମ ବଳରେ ଜଣେ ସବ୍ ଇନ୍ସପେକ୍ଟର ହୋଇପାରିଛନ୍ତି । ତେଣୁ ସେ ସମସ୍ତଙ୍କ ପ୍ରେରଣାର ଉତ୍ସ । ତେବେ ଏହି ସଫଳତା ପରେ ସୋସିଆଲ ମିଡିଆରେ ଆନିଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।