ବାରିପଦାରେ କାର ଭିତରୁ ହାତଗୋଡ ବନ୍ଧା ମହିଳା ଉଦ୍ଧାର

30

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା । ସହରର ଜନଗହଳି ପୂର୍ଣ୍ଣ ଷ୍ଟେସନ ବଜାର ଅଂଚଳରେ  ଏକ କାର ମଧ୍ୟରୁ ଗୋଡହାତ ବନ୍ଧା ଜଣେ ମହିଳାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଉକ୍ତ କାରକୁ ଅଟକାଇଥିଲେ । ସେହି କାର ଭିତରେ ଜଣେ ମହିଳାଙ୍କ ଗୋଡହାତ ବନ୍ଧା ହୋଇ ଥିବା ଦେଖିବାକୁ ପାଇ ଉକ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ ଇଲେକଟ୍ରିକ୍ ଖୁଂଟିରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ ସ୍ଥାନୀୟ ଲୋକେ । ଏହା ପରେ ଲୋକମାନେ ଏ ସମ୍ପର୍କରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ ।ପୋଲିସ ଖବର ପାଇ ଉକ୍ତ କାରରେ ଥିବା ଡ୍ରାଇଭର ଏବଂ ବନ୍ଧା ହୋଇ ରହିଥିବା ମହିଳାଙ୍କୁ ଥାନାକୁ ନେଇ ଅଧିକ ତନାଘନା କରିବାରୁ ଜଣା ପଡିଥିଲା ଯେ ଉକ୍ତ ମହିଳା ଜଣକ ହେଲେ କାର ଚଳାଉଥିବା ଡ୍ରାଇଭରର ଦ୍ୱିତୀୟ ପତ୍ନୀ ଏବଂ ତାଙ୍କ ନିଜ ଘର ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଅସ୍ତପୁର ଗ୍ରାମରେ ।

ତେବେ ଉକ୍ତ ଡ୍ରାଇଭର ଜଣକ କେଉଁଠିକୁ ଏବଂ କାହିଁକି ନେଇଯାଉଥିଲେ ବୋଲି ପଚରା ଉଚୁରା କରିବାରୁ ତାଙ୍କ ସ୍ୱାମୀ ତାଙ୍କୁ ବାନ୍ଧି ନେଇ ଜୀବନରୁ ମାରିଦେବା ପାଇଁ ନେଇ ଯାଉଥିବା କହିଥିଲେ ହାତଗୋଡ ବନ୍ଧା ହୋଇଥିବା ମହିଳା ଜଣକ । ଖାଲି ସେତିକି ନୁହେଁ ତାଙ୍କ ସ୍ୱାମୀ ତାଙ୍କର ସମସ୍ତ ଗହଣା ବିକ୍ରି କରି ଦେଇଥବା ମଧ୍ୟ ପୋଲିସ ନିକଟରେ ପ୍ରକାଶ କରିଥିଲେ ଉକ୍ତ ମହିଳା । କିନ୍ତୁ ଏହି କଥାକୁ ଖଣ୍ଡନ କରି ନିଜ ପତ୍ନୀର ମସ୍ତିଷ୍କ ବିକୃତି ଥିବାରୁ ତାଙ୍କୁ ସେ ଏହିପରି ଭାବେ ଚିକିତ୍ସା ପାଇଁ ନେଇଯାଉଥିବା ସଫେଇ ଦେଇଥିଲେ ସେହି ଡ୍ରାଇଭର ଜଣକ । ଉକ୍ତ ମହିଳାଙ୍କ କଥାକୁ ଭିତି କରି ଟାଉନ ପୋଲିସ ଏକ ଅପହରଣ ମାମଲା ରୁଜୁ କରି ଯୁବକ ଜଣକୁ କୋର୍ଟ ଚାଲାଣ କରିଛି ।