ଦୁଃଖ ଦେଇଗଲା ସୈତାନ ସ୍ୱାମୀ : ଏସିଡ଼ ମାଡ଼ ପରେ ଜୀବନ ସହ ସଂଗ୍ରାମ କରୁଛନ୍ତି ପୀଡ଼ିତା

30

କନକ ବ୍ୟୁରୋ :  କଟକ ଏସସିବି ମେଡିକାଲ କଲେଜରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଏସିଡ ଆଟାକ ପୀଡିତା । ସଇତାନ ସ୍ୱାମୀର ଏଭଳି ଅମାନବୀୟ କାଣ୍ଡ, ତାଙ୍କ ଶରୀରକୁ ଯେତିକି ଆଘାତ ଦେଇଛି ତାଠାରୁ ବେଶି ମାନସିକ ଭାବେ ଦୋହଲାଇ ଦେଇଛି । ଶରୀରର ପ୍ରାୟ ୨୦ ଭାଗ ପୋଡିଦେଇଛି ଏସିଡ । ମୁହଁ, ବେକ ତଳ ଓ ଗୋଡରେ ଆଘାତ ଲାଗିଛି । ପ୍ଲାଷ୍ଟିକ ସର୍ଜରୀ ସହ ଅନ୍ୟାନ୍ୟ ବିଭାଗର ଡାକ୍ତର ପୀଡିତାଙ୍କ ସ୍ୱତନ୍ତ୍ର ଚିକିତ୍ସା ଚଳାଇଛନ୍ତି ।

ଏସିଡ ପକାଇ ମହିଳାଙ୍କ ମୁହଁକୁ ବିକୃତ କରିଦେବା ଭଳି ମାନସିକତା ଯେତିକି ବିଭତ୍ସ, ଶିକାର ମହିଳାଙ୍କ ଯନ୍ତ୍ରଣା ସେତିକି ଦୁଃଖଦାୟକ । ହସ୍ପିଟାଲ ବେଡରେ ଡାକ୍ତରଙ୍କ ଭରସାରେ ପଡିରହିଥିବା ପୀଡିତା ହୁଏତ ନିଜ ଉପରେ ବିତିଥିବା କରୁଣ କାହାଣୀ ବଖାଣିବାକୁ ଅସମର୍ଥ । ହେଲେ ଆଜି ହସ୍ପିଟାଲରେ ପୀଡିତାଙ୍କୁ ଭେଟିବାକୁ ଆସିଥିଲେ ୨୦୧୫ରେ ସମାନ ଅବସ୍ଥାର ଶିକାର ଆଉଜଣେ ପୀଡିତା । ଆଉ ସେ କହିଛନ୍ତି ନିଜ ଅନୁଭବର କଥା । ଏସିଡ ଆଟାକ ପୀଡିତାଙ୍କ ମନର ବ୍ୟଥା ।

ସେପଟେ ମହିଳା ଥାନାରେ ଅଭିଯୋଗ ସତ୍ୱେ ଅଭିଯୁକ୍ତ ସ୍ୱାମୀ ନିରଞ୍ଜନ ପ୍ରଧାନକୁ ଗିରଫ କରିପାରି ନାହିଁ ପୁଲିସ । ଅଭିଯୁକ୍ତ ଜଣକ ନାଇଟ୍ରିକ ଏସିଡ ଫିଙ୍ଗିଥିବା ସ୍ପଷ୍ଟ ହୋଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡିତାଙ୍କ ବୟାନ ରେକର୍ଡ କରିଛି ପୁଲିସ । ସେପଟେ ଏସସିବି ମେଡିକାଲରେ କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଏକ ଟିମ୍ ପୀଡିତାଙ୍କୁ ଭେଟି ସମସ୍ତ ପ୍ରକାର ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏସଡି ଆଟାକ ପୀଡିତାଙ୍କୁ ସବୁପ୍ରକାର ଆଇନଗତ ଓ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି । ଉଭୟ କଟକ ଓ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏନେଇ ମିଳିତ ଭାବେ କାମ କରୁଛନ୍ତି । ୧୫ ଦିନ ମଧ୍ୟରେ ପୀଡିତାଙ୍କୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଜଣାପଡିଛି ।