ଭୁବନେଶ୍ୱରରେ ହେଲମେଟ୍ ଚେକିଂ ବେଳେ ଅଭାବନୀୟ ଦୃଶ୍ୟ : ରମାଦେବୀ କଲେଜ ଛକରେ ପୋଲିସର କଲର ଧରି ପିଟିଲେ ଯୁବତୀ

40

କନକ ବ୍ୟୁରୋ : ରାଜଧାନୀର ରାଜରାସ୍ତାରେ ଦେଖିବାକୁ ମିଳିଲା ଯୁବତୀଙ୍କ ଚଣ୍ଡୀବେଶ । ହେଲମେଟ ଚେକିଂ ବେଳେ ମହିଳାଙ୍କୁ ପୋଲିସ ଅଟଳାଇବାରୁ ଉଗ୍ରପୂପ ଧାରଣ କରିଥିଲେ ମହିଳା । ଏପରିକି ଫାଇନ ତ ଦୂରର କଥା, ରାସ୍ତା ଉପରେ ପୋଲିସର କଲର ଧରି ଟ୍ୟୁସନ କରିଥିଲେ ମହିଳା ।

ସୂଚନା ଅନୁସାରେ ଆଜି ହେଲମେଟ ଚେକିଂ ବେଳେ ପୋଲିସ ସହ ଯୁବତୀଙ୍କ ଯୁକ୍ତିତର୍କ ଚାଲିଲା । ଆଉ ଯୁବତୀ ଜଣକ ହଠାତ ପୋଲିସର କଲର ଧରି ରାସ୍ତା ମଝିରେ ଟଣାଓଟରା କରିଥିଲେ । ଗାଳିଗୁଲଜ କରିବା ସହ ଚାକିରି ନେଇଯିବା ଭଳି ଧମକ ଦେଉଥିଲେ । ଲାଗୁଥିଲା ପୋଲିସ ରାସ୍ତା ଉପରେ ଚେକିଂ କରୁନାହିଁ ବରଂ ଯୁବତୀ ଜଣଙ୍କ ପୋଲିସକୁ ଚେକିଂ କରୁଛନ୍ତି । ତୁମର ଆଇକାର୍ଡ ଓ ନେମପ୍ଲେଟ କାହିଁ, ଏପରିକି ଖାକି ପିନ୍ଧିଥିବା ପୋଲିସ ବାବୁଙ୍କୁ ତୁମେ କିଏ ବୋଲି ପ୍ରଶ୍ନ ପଚାରିଥିଲେ ମହିଳା । ମହିଳାଙ୍କ ଏପରି ବ୍ୟବହାର ଦେଖି କିଛି ସମୟ ପାଇଁ ସେ ଚୁପ୍ ହୋଇଯାଇଥିଲେ । ମିଡିଆର ଭୟ ମଧ୍ୟ ଦେଖାଇଥିଲେ । ବେଶ ଅଧଘଂଟାଏ ଧରି ରାଜଧାନୀର ରାଜରାସ୍ତାରେ ଚାଲିଥିଲା ଏହି ହାଇପ୍ରୋଫାଇଲ ଡ୍ରାମା । ରାସ୍ତା ଉପରେ ଯୁବତୀଙ୍କ ଚଣ୍ଡୀବେଶ ଦେଖିବାକୁ ମିଳିଥିଲା । ପୋଲିସର ଭୁଲ ଥିଲା ଏତିକି ଗୋଟିଏ ବାଇକରେ ଯୁବତୀଙ୍କୁ ମିଶାଇ ୩ଜଣ ବିନା ହେଲମେଟରେ ଯାତ୍ରା କରୁଥିଲେ ଆଉ ପୋଲିସ ସେମାନଙ୍କୁ ଅଟକାଇଥିଲା । ତେବେ ଯୁବତୀ ଜଣଙ୍କ ପୋଲିସ ତାଙ୍କୁ ମାଡ ମାରିଥିବା ଅଭିଯୋଗ କରିଥିଲେ ।

ଖାଲି ଏତିକି ନୁହେଁ, ଗତ କିଛିଦିନ ତଳେ ଏଡିଜିଙ୍କ ଝିଅଙ୍କୁ ପୋଲିସ ଖସାଇ ଦେଇଥିବା ବେଳେ ଆମକୁ କାହିଁକି ଅଟକାଗଲା ବୋଲି ଯୁବତୀ ଜଣଙ୍କ ପ୍ରଶ୍ନ ଉଠାଇଥିଲେ । ନିୟମ ଏଡିଜିଙ୍କ ଝିଅ ପାଇଁ ଗୋଟିଏ ଆଉ ମୋ ପାଇଁ ଆଉ ଗୋଟିଏ । ପ୍ରଥମେ ଏଡିଜିିଙ୍କ ଝିଅ ଉପରେ କାର୍ଯ୍ୟାନୁଷ୍ଠାନ ନିଅ ତା ପରେ ଆମକୁ ନାଲି ଆଖି ଦେଖାଇବ ବୋଲି କହିଥିଲେ ଯୁବତୀ । ଯୁବତୀ ଙ୍କ ର୍ଦୁବ୍ୟବହାରର ଶିକାର ହୋଇଥିବା ସିପାହୀ ନିଳାଂଚଳ ଭୋଇ ସହିଦ ନଗର ଥାନାରେ ଏନେଇ ରିପୋର୍ଟ କରିଛନ୍ତି । ଯୁବତୀ ଙ୍କ ବିରୋଧରେ ଦଫା ୩୪୧, ୩୩୨,୩୫୩,୨୯୪,୫୦୬,୩୪ ଆଇପିସିରେ ମାମଲା ରୁଜୁ ହେବା ସହ ସିଆରପିସି ଫର୍ଟି ୱାନରେ ନୋଟିସ କରାଯାଇଛି ।