କୁମାର ସାନୁଙ୍କୁ ଭରସା କରି ଫଶିଗଲେ ମହିଳା!

315

କନକ ବ୍ୟୁରୋ : ଯଦି ଷ୍ଟାରଙ୍କୁ ଦେଖି ଆପଣ କୌଣସି ପ୍ଲାଟଫର୍ମରେ ଟଙ୍କା ନିବେଶ କରୁଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ବଲିଉଡ ଗାୟକ କୁମାର ସାନୁଙ୍କୁ ଦେଖାଇ ଜଣେ ମହିଳାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି ଦୁଇ ଠକ । କ୍ରିପ୍ଟୋକରେନ୍ସି ସହ ଜଡିତ ଏକ କମ୍ପାନିର ମିଟିଂରେ କୁମାର ସାନୁଙ୍କୁ ଦେଖାଇ ଏହି ଟଙ୍କା ଲୁଟିଛନ୍ତି ଦୁଇ ଠକ । ଆଉ ଠକେଇର ଶିକାର ହେବା ପରେ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଠକେଇର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ଋତୁପର୍ଣ୍ଣା ।

ମୁମ୍ବାଇରେ ରହୁଥିବା ଋତୁପର୍ଣ୍ଣା ମେଡିକାଲ ସାମଗ୍ରୀ ସପ୍ଲାଇର ବ୍ୟବସାୟ କରନ୍ତି । ୨ ବର୍ଷ ଧରି ଦୀପୁ ସାହୁ ନାମକ ବ୍ୟକ୍ତି ଋତୁପର୍ଣ୍ଣାଙ୍କ ଠାରୁ ଏହି ସାମଗ୍ରୀ କିଣୁଥିଲେ । ତେବେ ବ୍ୟବସାୟରେ ପରସ୍ପରକୁ ଜାଣିବା ପରେ ଋତୁପର୍ଣ୍ଣାଙ୍କୁ ଅଷ୍ଟ୍ରେଲିଆର ଏକ କମ୍ପାନି ବାବଦରେ କହିଥିଲେ । ଏପରିକି ଏକ ଜୁମ୍ ମିଟିଂରେ ସାମିଲ ହେବାକୁ ତାଙ୍କୁ କହିଥିଲେ । ଯେଉଁ ମିଟିଂରେ ଦୀପୁ ସାହୁଙ୍କ ସମେତ ବିମନ ଦାସ ନାମକ ବ୍ୟକ୍ତି ଥିଲେ । ଯିଏ ନିଜକୁ ଜଣେ ବଡ କ୍ରିପ୍ଟୋକରେନ୍ସି କମ୍ପାନିର ମାଲିକ ଭାବେ ପରିଚୟ ଦେଇଥିଲେ ଏବଂ କମ୍ପାନିର ମୁଖ୍ୟ କାର୍ଯ୍ୟାଳୟ ଅଷ୍ଟ୍ରେଲିଆରେ ଥିବା କହିଥିଲେ । ଏପରିକି ତାଙ୍କ କମ୍ପାନିରେ ନିବେଶ କଲେ ଦୈନିକ ଦେଢ ପ୍ରତିଶତ ରିଟର୍ଣ୍ଣ ମିଳିବ ବୋଲି ଲୋଭ ଦେଖାଇଥିଲେ । କିନ୍ତୁ ସେତେବେଳେ ଏହି କଥାକୁ ଏତେ ଗୁରୁତ୍ୱ ଦେଇନଥିଲେ ଋତୁପର୍ଣ୍ଣା ।

ପରେ ୧୩ ଏପ୍ରିଲରେ ଏକ ଜୁମ ମିଟିଂରେ ସାମିଲ ହେବାକୁ କୁହାଗଲା । ଯେଉଁ ମିଟିଂରେ ବଲିଉଡ ଗାୟକ କୁମାର ସାନୁ ମଧ୍ୟ ସାମିଲ ଥିଲେ । ଅବଶ୍ୟ କୁମାର ସାନୁ ନିବେଶ ପାଇଁ କିଛି କହିନଥିଲେ । କିନ୍ତୁ କୁମାର ସାନୁଙ୍କୁ ମିଟିଂରେ ଦେଖିବା ପରେ କମ୍ପାନି ଉପରେ ଋତୁପର୍ଣ୍ଣାଙ୍କର ଭରସା ଆସିଥିଲା । ଆଉ ଏହି କମ୍ପାନିରେ ପ୍ରାୟ ୪୦ ଲକ୍ଷ ଟଙ୍କା ନିବେଶ କରିଥିଲେ ଋତୁପର୍ଣ୍ଣା । କିନ୍ତୁ କିଛି ଦିନ ବିତିବା ପରେ ମଧ୍ୟ ଏହି ନିବେଶକୁ ନେଇ କୌଣସି ତଥ୍ୟ ପାଇନଥିଲେ ଋତୁପର୍ଣ୍ଣା । ପରେ ତାଙ୍କୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ ନକଲେ ଆକାଉଣ୍ଟରେ ପୂରା ରାଶି ଦେଖାଇବ ନାହିଁ ବୋଲି କୁହାଯାଇଥିଲା । ତେବେ ବାରମ୍ବାର ଦୀପୁଙ୍କ ନିବେଶ ଟଙ୍କା ବାବଦରେ ପଚାରିବାରୁ ସେ କହିଥିଲେ ଏହି ଟଙ୍କା ଆଉ ଫେରସ୍ତ ହେବ ନାହିଁ । ଆଉ ଏହା ଜାଣିବା ପରେ ଋତୁପର୍ଣ୍ଣା ଆଶ୍ଚଯ୍ୟ ହୋଇଯାଇଥିଲେ । ପରେ ଏନେଇ ଥାନାରେ ଦୀପୁ ଓ ବିମନଙ୍କ ନାଁରେ ମାମଲା ରୁଜୁ କରିଥିଲେ ଋତୁପର୍ଣ୍ଣା ।