ଏଟିଏମକୁ ୧୪୦୦ ଟଙ୍କା ଉଠାଇବାକୁ ଯାଇଥିଲେ ମହିଳା । ଆକାଉଣ୍ଟ ଦେଖି ଉଡିଗଲା ହୋସ୍, ଖାତାରେ ଥିଲା ୭୪୧୭ କୋଟି ଟଙ୍କା ।

893

କନକ ବ୍ୟୁରୋ : କଥାରେ ଅଛି ଆଲ୍ଲା ଯବ ଦେତା ହେ, ତୋ ଛପର ଫାଡ୍ କେ ଦେତା ହେ… ଫିଲ୍ମର ଏହି ଡାଏଲଗ୍ ଆପଣ ଅନେକ ଥର ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ସେମିତି ଏକ ସତ କାହାଣୀ କହିବୁ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବୃଦ୍ଧା ୧୪୦୦ ଟଙ୍କା ଉଠେଇବା ପାଇଁ ବ୍ୟାଙ୍କକୁ ଯାଇଥିଲେ । କିନ୍ତୁ ଯେତେବେଳେ ଆକାଉଂଟରେ ସେ ତାଙ୍କ ବାଲାନ୍ସ ଦେଖିଥିଲେ, ତାଙ୍କ ହୋସ ଉଡିଯାଇଥିଲା । ସେ କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ଯେ, ତାଙ୍କ ଆକାଉଂଟରେ ଏତେ ଟଙ୍କା ରହିଥିବ । ତାଙ୍କ ଆକାଉଂଟରେ ଥିଲା ୧ ବିଲିୟନ୍ ଡଲାରରୁ ଅଧିକ ଟଙ୍କା ଅର୍ଥାତ ଭାରତୀୟ ମୁଦ୍ରାରେ ପାଖାପାଖି ୭,୪୧୭ କୋଟି ଟଙ୍କା ।

ଘଟଣାଟି ହେଉଛି ଆମେରିକା ଫ୍ଲୋରିଡାର । ଜୁଲିଆ ୟାଂକୋସ୍କି ନାମକ ଜଣେ ବୟସ୍କ ମହିଳା ତାଙ୍କ ଆକାଉଂଟରୁ ୨୦ ଡଲାର ଉଠେଇବା ପାଇଁ ଏଟିଏମକୁ ଯାଇଥିଲେ । ଏଟିଏମରୁ ଟଙ୍କା ଉଠେଇବା ସମୟରେ ତାଙ୍କୁ ଏକ ଆଲର୍ଟ ମେସେଜ୍ ଆସିଥିଲା ଯେ, ଟଙ୍କା ଉଠାଇଲେ ଅତିରିକ୍ତ ଚାର୍ଜ ଦେବାକୁ ହେବ । ତେବେ ଏହି ମେସେଜକୁ ଅଣଦେଖା କରି ସେ ଟ୍ରାଞ୍ଜାକସନ କରିଥିଲେ ।

ଟଙ୍କା ଉଠାଇବା ପରେ ଯେତେବେଳେ ସେ ତାଙ୍କ ଆକାଉଂଟ ଚେକ୍ କରିଥିଲେ, ସେ ତାଙ୍କ ଆଖିକୁ ବିଶ୍ୱାସ କରିପାରିନଥିଲେ । ବ୍ୟାଙ୍କ ରସିଦରେ ଲେଖାହୋଇଥିଲା ଯେ, ତାଙ୍କ ଆକାଉଂଟରେ ୯କୋଟି ୯୯ଲକ୍ଷ ୮୫ହଜାର ୮୫୫ ଡଲାର ଟଙ୍କା ଅଛି । ଭାରତୀୟ ମୁଦ୍ରାରେ ଏହା ୭୪୧୭ କୋଟି ଟଙ୍କା । ଏତେ ଟଙ୍କା ତାଙ୍କ ଆକାଉଂଟରେ ଥିବା ଜାଣି ପ୍ରଥମେ ଭୟଭୀତ ହୋଇପଡିଥିଲେ ମହିଳା । ଏବଂ ସେ ସେହି ଟଙ୍କାରୁ ଟଙ୍କାଟିଏ ବି ଉଠାଇନଥିଲେ ।

ବ୍ୟାଙ୍କ ପ୍ରତିନିଧିଙ୍କ କହିବା ଅନୁଯାୟୀ, ବ୍ୟାଙ୍କରେ ମହିଳାଙ୍କର ତାଙ୍କ ସ୍ୱର୍ଗତ ସ୍ୱାମୀଙ୍କ ସହ ଜଏଂଟ ଆକାଉଂଟ ରହିଛି । ତେବେ କେମିତି ତାଙ୍କ ବ୍ୟାଙ୍କ ଆକାଉଂଟରେ ଏତେ ଟଙ୍କା ଆସିଲା, ସେନେଇ ମଧ୍ୟ ବ୍ୟାଙ୍କ ପକ୍ଷରୁ ଖୋଳତାଡ କରାଯାଇଥିଲା । ତେବେ କୌଣସି ତ୍ରୁଟି ଯୋଗୁଁ ମହିଳାଙ୍କ ଆକାଉଂଟରେ ଏମିତି ନମ୍ବର ଆସିଯାଇଥିବା ବ୍ୟାଙ୍କ କହିଛି ।