ପଶ୍ଚିମ ଓଡିଶା ବିକାଶ ପରିଷଦକୁ ରାଜ୍ୟ ସରକାରଙ୍କ ଅନୁଦାନ ୨ ଗୁଣା ହେବ । ୧୦ ଜିଲ୍ଲାରେ ଖୋଲିବ ଡବ୍ଲୁଓଡିସି କାର୍ଯ୍ୟାଳୟ

114

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି । ଏହି ଅବସରରେ ପଶ୍ଚିମ ଓଡିଶାର ବିକାଶ ପାଇଁ ପରିଷଦର ବାର୍ଷିକ ଅନୁଦାନକୁ ଦୁଇ ଗୁଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଯୁବକ ଯୁବତୀ ମାନଙ୍କ ପାଇଁ ଯେପରି ରୋଜଗାରର ଅଧିକ ସୁଯୋଗ ସୃଷ୍ଟି ହେବ, ସେଥିପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ ୧୯୯୯-୨୦୦୦ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ବଜେଟ ପରିମାଣ ବର୍ଷକୁ ୩ କୋଟି ଥିବାବେଳେ ଏବେ ତାହା ୧୦୦ କୋଟିକୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପରିଷଦକୁ ରାଜ୍ୟ ସରକାରଙ୍କ ଅନୁଦାନ ପରିମାଣ ୨୦୨୧-୨୨ ଆର୍ଥିକ ବର୍ଷରେ ୨୦୦ କୋଟି ହେବ।

ଏହାସହିତ ପଶ୍ଚିମ ଓଡିଶାରେ ବିକାଶ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଏବଂ ଲୋକଙ୍କ ପାଖରେ ପ୍ରଶାସନକୁ ପହଞ୍ଚାଇବା ପାଇଁ ପରିଷଦ ଅଧୀନରେ ଥିବା ୧୦ଟି ଜିଲ୍ଲା ଏବଂ ଆଠମଲ୍ଲିକରେ ପରିଷଦର କାର୍ଯ୍ୟାଳୟ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ପଶ୍ଚିମ ଓଡିଶାରେ କାର୍ଯ୍ୟକାରୀ ହେଉଥିବା ଅନେକ ଗୁଡିଏ ବୃହତ ପ୍ରକଳ୍ପକୁ ତ୍ବରାନ୍ବିତ କରି ଠିକ୍‌ ସମୟରେ ଶେଷ କରିବା ପାଇଁ ଡବ୍ଲୁଓଡିସି ପଦକ୍ଷେପ ନେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ବିଜୁ ଏକ୍‌ସପ୍ରେସ ୱେ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଆଦି ବୃହତ ଭିତ୍ତିଭୂମି ପ୍ରକଳ୍ପ ଗୁଡିକ ଦ୍ବାରା ପଶ୍ଚିମ ଓଡିଶାର ବିକାଶରେ କାୟାକଳ୍ପ ହୋଇପାରିବ ବୋଲି ଆଶା କରାଯାଉଛି ।