ଡ୍ରାଇଭିଙ୍ଗ ଲାଇସେନ୍ସ ପାଖରେ ନଥିଲେ ବି ଟ୍ରାଫିକ ପୋଲିସ କାଟିପାରିବେନି ଚାଲାଣ ! ନୂଆ ବାଟ ବାହାର କଲେ ସରକାର

128

କନକ ବ୍ୟୁରୋ : ଅନେକ ଲୋକ ଡ୍ରାଇଭିଙ୍ଗ ଲାଇସେନ୍ସ କିମ୍ବା ଗାଡି କାଗଜପତ୍ର ସାଙ୍ଗରେ ନେବାକୁ ଭଲ ପାଆନ୍ତି ନାହିଁ । ତେଣୁ ଅନେକ ସମୟରେ ଟ୍ରାଫିକ ପୋଲିସ ଧରିଲେ ଚାଲାଣ କାଟିବାକୁ ପଡିଥାଏ । ତେଣୁ ଚାଲାଣ କାଟିବାରୁ ବଞ୍ଚିବାକୁ ଲୋକ ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଆରସିର ଅସଲି କାଗଜପତ୍ର ସାଙ୍ଗରେ ନେଇଥାନ୍ତି । କିନ୍ତୁ ସରକାର ଏବେ ସାଙ୍ଗରେ ଡ୍ରାଇଭିଙ୍ଗ ଲାଇସେନ୍ସର ଅସଲି କପି ରଖିବା ନିୟମରେ ପରିବର୍ତନ ଆଣିଛନ୍ତି । ଏଣିକି ସାଙ୍ଗରେ ଡ୍ରାଇଭିଙ୍ଗ ଲାଇସେନ୍ସ ନ ରଖିଲେ ମଧ୍ୟ ଆପଣଙ୍କୁ ଆଉ ଚାଲାଣ କାଟିବାକୁ ପଡିବ ନାହିଁ । ଏଥିପାଇଁ ଆପଣଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସର କପିକୁ ଡିଜିଟାଲ ଲକର ନାମକ ଆପରେ ରଖିବାକୁ ପଡିବ । ଏହି ଆପରେ ଡ୍ରାଇଭିଙ୍ଗ ଲାଇସେନ୍ସର ସମସ୍ତ ତଥ୍ୟ ରଖିବାକୁ ପଡିବ ।

imagesକ’ଣ ଏହି ଡିଜିଟାଲ ଲକର : ଭାରତ ଏବେ କ୍ଷିପ୍ର ଗତିରେ ଡିଜିଟାଲ ଆଡକୁ ଗତି କରୁଛି । ତେଣୁ ଦେଶର ସମସ୍ତ ଲୋକଙ୍କୁ ଡିଜିଟାଲ ବ୍ୟବସ୍ଥା ସହ ଯୋଡିବାକୁ ସରକାର ବିଭିନ୍ନ ପ୍ରକାର ପ୍ରୟାସ କରୁଛନ୍ତି । ଏଥିମଧ୍ୟରୁ ଡିଜିଟାଲ ଲକର ଅନ୍ୟତମ । ଡିଜିଟାଲ ଲକର ମାଧ୍ୟମରେ ବିଭିନ୍ନ ଦରକାରୀ ସାର୍ଟିଫିକେଟ ଓ କାଗଜପତ୍ରକୁ ସୁରକ୍ଷିତ ରଖା ଯାଇପାରିବ । ସରକାରଙ୍କ ତରଫରୁ ଏହି ଆପକୁ ବିନା ମୂଲ୍ୟରେ ଉପଲବ୍ଧ କରାଯାଇଛି । ସରକାରୀ ସଂସ୍ଥାରେ ମଧ୍ୟ ଏହି ଆପକୁ ଆପଣ ବ୍ୟବହାର କରିପାରିବେ । ଅନେକ ସମୟରେ ସରକାରୀ ସଂସ୍ଥାରେ ବିଭିନ୍ନ ସାର୍ଟିଫିକେଟ ଦରକାର ହୋଇଥାଏ ସେଭଳି ସମୟରେ ମଧ୍ୟ ଏହି ଆପ ସାହାଯ୍ୟରେ ଆପଣ ଇ-ସାଇନିଂ ଦ୍ୱାରା ସବୁକିଛି କାମ ବେଶ ଆରାମରେ କରି ପାରିବେ । ଏବେ ସୁଦ୍ଧା ୩୧ଟି ସଂସ୍ଥା ଏହି ଆପରେ ନିଜକୁ ଯୋଡିଛନ୍ତି । ୭୬ ଲକ୍ଷରୁ ଅଧିକ ଲୋକ ଏବେ ଡିଜିଲକର ଆପରେ ନିଜକୁ ରେଜିଷ୍ଟର କରିଛନ୍ତି ।

କିପରି ଖୋଲିବେ ଆକାଉଣ୍ଟ : ଡିଜିଟାଲ ଲକର ବା ଡିଜିଲକରେ ବେଶ ସହଜରେ ଆକାଉଣ୍ଟ ଖୋଲିହେବ । ଏଥିପାଇଁ ଆପଣଙ୍କୁ ସରକାରୀ ୱେବସାଇଟ ଏଚଟିଟିପିଏସ ଡିଜିଟାଲ ଲକର ଡଟ ଗଭ୍ ଡଟ ଇନ ଲିଙ୍କରେ ଆକାଉଣ୍ଟଖୋଲିବାକୁ ପଡିବ । ଏଥିପାଇଁ ଆପଣଙ୍କ ଆଧାରକାର୍ଡ ନିତାନ୍ତ ଆବଶ୍ୟକ ।

dl 1କିପରି କରିବେ ସାଇନ ଇନ : ଏହି ଆପରେ ସାଇନ ଇନ୍ କରିବାକୁ ହେଲେ ଆଧାର ନମ୍ବର ନିହାତି ଆବଶ୍ୟକ । ଏହାପରେ ଆପଣଙ୍କୁ ଭେରିଫିକେସନ ପାଇଁ ଦୁଇଟି ବିକଳ୍ପ ମଧ୍ୟରୁ ଗୋଟିଏ ବିକଳ୍ପ ବାଛିବାକୁ ପଡିବ । ପ୍ରଥମତଃ ଓଟିପି କୋର୍ଡରେ କ୍ଲିକ କଲେ ଆପଣଙ୍କ ଆକାଉଣ୍ଟର ପାସୱାର୍ଡ ଆଧାରକାର୍ଡରେ ଦିଆଯାଇଥିବା ମୋବାଇଲ ନମ୍ବରରେ ଆସିଯିବ । ଏହି ପାସୱାର୍ଡକୁ ବ୍ୟବହାର କରି ଆକାଉଣ୍ଟକୁ ବ୍ୟବହାର କରି ପାରିବେ । ନଚେତ୍ ଦ୍ୱିତୀୟ ବିକଳ୍ପ ଭାବେ ଯଦି ଆପଣ ଫିଙ୍ଗରପ୍ରିଣ୍ଟ ବିକଳ୍ପ ବାଛୁଥାନ୍ତି ତେବେ ଏହି ଆପରେ ଏକ ପେଜ ଖୋଲିବ ଯେଉଁଠି ଆପଣଙ୍କୁ ଆପଣଙ୍କ ଆଙ୍ଗୁଠିର ଛାପ ଦେବାକୁ ପଡିବ । ଯଦି ଫିଙ୍ଗରପ୍ରିଣ୍ଟ ବୈଧ ଥାଏ, ତେବେ ଆପଣ ଏହି ଆକାଉଣ୍ଟ ପାଇଁ ୟୁଜର ନେମ ଓ ପାସୱାର୍ଡ ପାଇପାରିବେ । ଏହି ଆପରେ କିପରି ଜରୁରୀ

କାଗଜପତ୍ର ଅପଲୋଡ କରିବେ : ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୟୁଜର ନେମ ଓ ପାସୱାର୍ଡ ବ୍ୟତୀତ ବିଭିନ୍ନ ସୋସିଆଲ ମିଡିଆରେ ଥିବା ଆକାଉଣ୍ଟ ଯେପରିକି ଫେସବୁକ, ଟ୍ୱିଟର ଓ ଜିମେଲର ଆକାଉଣ୍ଟ ସହ ମଧ୍ୟ ଏହି ଆପକୁ ଲିଙ୍କ କରି ଖୋଲାଯାଇପାରିବ ।
ଏହି ଆପରେ ଆପଣ ବିଭିନ୍ନ ଜରୁରୀ କାଗଜପତ୍ର ଓ ସାର୍ଟିଫିକେଟ ଅପଲୋଡ କରି ପାରିବେ । ଯଦି ଆପଣ ସାର୍ଟିଫିକେଟ ଅପଲୋଡ କରିବାକୁ ଚାହୁଁଥାନ୍ତି ତେବେ ମାଇଁ ସାର୍ଟିଫିକେଟ ଅପ୍ସନ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଅପଲୋଡ ଡଳ୍ୟୁମେଣ୍ଟ ଲିଙ୍କ ଉପରେ କ୍ଲିକ୍ କରି ସାର୍ଟିଫିକେଟ ଅପଲୋଡ କରନ୍ତୁ । ଏହିଭଳି ଭାବେ ଆପଣ ସମସ୍ତ ସାର୍ଟିଫିକେଟ ଅପଲୋଡ କରି ପାରିବେ ।

dl checkingକେଉଁ କେଉଁ ଫାଇଲ ଅପଲୋଡ ହୋଇପାରିବ : ଏହି ଡିଜି ଲକର ଆପରେ ପିଡିଏଫ, ଜେପିଜି, ପିଏନଜି, ଜେପିଇଜି, ଜିଆଇଏଫ ଓ ବିଏମପି ଫର୍ମାଟର ଫାଇଲ ଅପଲୋଡ କରାଯାଇ ପାରିବ । ତେବେ ଅପଲୋଡ କରାଯାଇଥିବା ଫାଇଲର ସାଇଜ ୧ ଏମବିରୁ କମ ରହିବା ଆବଶ୍ୟକ । ଏବେ ସାର୍ଟିଫିକେଟ ଅପଲୋଡ କରିବା ପାଇଁ ୧୦ ଏମବିର ସ୍ୱେଶ ମିଳିବ ଯାହାକୁ ପରବର୍ତ୍ତୀ ସମୟରେ ୧ ଜିବିକୁ ବୃଦ୍ଧି କରାଯିବ ।

କିପରି କରିବେ ସେୟାର : ବିଭିନ୍ନ ସାର୍ଟିଫିକେଟ ଅପଲୋଡ କରିବା ପରେ ଏହି ଆପରେ ସେୟାର କରିବା ପାଇଁ ଏକ ବିକଳ୍ପ ରହିଥାଏ । ସେୟାର ଅପ୍ସନ ଉପରେ କ୍ଲିକ୍ କଲେ ଏକ ଡାୟଲଗ ବକ୍ସ ଖୋଲିବ । ଯେଉଁ ବ୍ୟକ୍ତି ବା ସଂସ୍ଥାକୁ ଏହି କାଜଗପତ୍ର ସେୟାର କରିବାକୁ ଚାହୁଁଥିବେ ସେମାନଙ୍କ ଇମେଲ ଆଇଡି ଏହି ଡାଏଲଗ ବକ୍ସରେ ଲେଖି ସେୟାର କରିପାରିବେ ।

ସୌଜନ୍ୟ- ନ୍ୟୁଜ୍ ଏଇଟିନ