କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଗସ୍ତକୁ ନେଇ ବଲାଙ୍ଗୀରବାସୀଙ୍କ ମନରେ ବଢିଲା ଆଶା । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ନେଇ କିଛି ଘୋଷଣା କରିବେ କି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ?

203

କନକ ବ୍ୟୁରୋ: ବଲାଙ୍ଗିର ଗସ୍ତରେ ଯିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ । ମନ୍ତ୍ରୀଙ୍କ ଗସ୍ତକୁ ନେଇ ବେଶ ଆଶାବାଦୀ ଅଛନ୍ତି ଜିଲ୍ଲାବାସୀ । ବଲାଙ୍ଗିର-ଖୋର୍ଦ୍ଧା ରେଳପଥ ହେଉ କି କଂଟାବାଞୀରେ ପ୍ରସ୍ତାବିତ ରେଳ ୱାଗନ କାରଖାନା କାମ ଆଗେଇବ ବୋଲି ଆଶା କରାଯାଉଛି । ସେପଟେ କଂଗ୍ରେସ ବିଧାୟକ କହୁଛନ୍ତି କେନ୍ଦ୍ରମନ୍ତ୍ରୀ ଆସୁଛନ୍ତି ରାଜନୈତିକ ପ୍ରଚାର ପାଇଁ ।

ରେଳବାଇ କ୍ଷେତ୍ରରେ ଓଡିଶାକୁ ଆଗକୁ ନେବା ଉଦେଶ୍ୟ ପ୍ରତିବର୍ଷ ବଜେଟ୍ରେ ଅନୁଦାନ ବଢୁଛି । ନୂଆ ନୂଆ ପ୍ରକଳ୍ପମାନ ଯୋଡି ହେଉଛି । ହେଲେ ପୂର୍ବରୁ ହୋଇଥିବା ପ୍ରକଳ୍ପ କାମ ବର୍ଷ ବର୍ଷ ଧରି ଶେଷ ହେଉନାହିଁ । ଓଡିଶାର ପୂର୍ବାଂଚଳ ଓ ପଶ୍ଚିମାଂଚଳକୁ ରେଳପଥରେ ଯୋଡିବା ପାଇଁ ୧୯୯୪-୯୫ ଆର୍ଥିକ ବର୍ଷରେ ଖୋର୍ଦ୍ଧା–ବଲାଙ୍ଗୀର ରେଳପଥ ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା । ୨୭ ବର୍ଷରେ ପ୍ରକଳ୍ପର ୫୦ ପ୍ରତିଶତ କାମ ହୋଇନାହିଁ । ପ୍ରକଳ୍ପ ପାଇଁ ବଲାଙ୍ଗୀରରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ୨୮୯ କିଲୋମିଟର କାମ ହେବ ।

ଏବେ ସୁଦ୍ଧା କାମ ହୋଇଛି ମାତ୍ର ୯୨ କିଲୋମିଟର । ସେହିଭଳି ବର୍ତମାନ ବଲାଙ୍ଗୀର ପଟୁ ବିଛୁପଲି ପର୍ଯ୍ୟନ୍ତ ରେଳ ଚଳାଚଳ କରୁଛି । ଏହି ରେଳ ଚଳାଚଳ ପାଇଁ ୬ହଜାର ୧୬୨ ଏକର ଜମିର ଅବଶ୍ୟକତା ଥିବା ବେଳେ ୪ ହଜାର ୧୩୨ କିଲୋମିଟର ଜମି ଅଧିଗ୍ରହଣ ହୋଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ବଲାଙ୍ଗୀର ଗସ୍ତ ପରେ ଏ ସବୁ ପ୍ରକଳ୍ପ କାମ ସଂପୂର୍ଣ୍ଣ ହେବ ବୋଲି ଆଶା ରଖିଛନ୍ତି ବଲାଙ୍ଗୀର ଜିଲ୍ଲାବାସୀ ।

ସେପଟେ କଂଗ୍ରେସ କହିଛି ସରକାରୀ କାମ ବାହାନରେ ରେଳମନ୍ତ୍ରୀ ରାଜନୈତିକ ପ୍ରଚାର ପାଇଁ ଆସୁଛନ୍ତି । ମନ୍ତ୍ରୀ ଦଳିୟ ପଚାର ଛାଡି ଅଂଚଳର ବିଭିନ୍ନ ରେଳ ସମସ୍ୟାକୁ ପ୍ରଧାନ୍ୟ ଦେଇ ସମାଧାନ କରନ୍ତୁ ବୋଲି ଦାବି କରିଛନ୍ତି କଂଟାବାଞ୍ଜୀ ବିଧାୟକ ।

ଅଶ୍ୱନୀ ବୈଷ୍ଣବ ରେଳ ବିଭାଗର ଦାୟିତ୍ୱ ନେବା ପରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପର ସମୀକ୍ଷା କରିଥିଲେ । ଏବେ ତାଙ୍କର ଏହି ଗସ୍ତ ପରେ ଜିଲ୍ଲାରେ ଅଟକି ରହିଥିବା ପ୍ରକଳ୍ପ ଆଗକୁ ବଢିବା ସହ କଂଟାବାଞୀରେ ପ୍ରସ୍ତାବିତ ରେଳ ୱାଗନ କାରଖାନା କାମ ଆରମ୍ଭ ହେବ ବୋଲି ଆଶା ରଖିଛନ୍ତି ବଲାଙ୍ଗୀରବାସୀ ।