ରାଜସ୍ଥାନରେ ବେକାରୀ ଓ କୃଷକ କାର୍ଡ ଖେଳିଲେ ରାହୁଲ ! କହିଲେ ଜନତାଙ୍କ ମୁହଁରେ ଦୁଇଟି ପ୍ରଶ୍ନ, କେବେ ଦେବ ଚାକିରି, କେବେ ଛାଡ ହେବ ଋଣ ?

92

କନକ ବ୍ୟୁରୋ : ପାଖେଇ ଆସୁଛି ରାଜସ୍ଥାନ ନିର୍ବାଚନ  । ଭୋଟ ଗ୍ରହଣ ପାଖେଇ ଆସୁଥିବାବେଳେ ପ୍ରଚାରକୁ ଜୋରଦାର କରିଛନ୍ତି ଉଭୟ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ । ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମାରାଥନ ରାଲି ଓ ସଭା କରିଛନ୍ତି । ଆଜି ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ବେକାରୀ, ବିମୁଦ୍ରାକରଣ, କୃଷି ଋଣ, ସର୍ଜିକାଲ ଷ୍ଟ୍ରାଇକକୁ ପ୍ରସଙ୍ଗ କରିବା ସହ ମୋଦିଙ୍କୁ ହିନ୍ଦୁ ଧର୍ମ ବିଷୟରେ କିଛି ଜଣାନାହିଁ ବୋଲି କହିଛନ୍ତି ରାହୁଲ । ଅନ୍ୟପଟେ ସର୍ଜିକାଲ ଷ୍ଟ୍ରାଇକକୁ ବିଜେପିର ସଫଳତା କହି ରାହୁଲଙ୍କ ଉପରେ ବର୍ଷିଛନ୍ତି ଅମିତ୍ ଶାହା ଓ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ।

ରାଜସ୍ଥାନରେ ରାହୁଲଙ୍କ ବେକାରୀ ଓ କୃଷକ କାର୍ଡ । ‘ଯୁବକଙ୍କୁ ଚାକିରି ଦିଅ, କୃଷକଙ୍କ ଋଣ ଛାଡ କର’ । ରାଜସ୍ଥାନ ବିଧାନସଭା ପାଇଁ ଲଗାତାର ଶୋଭାଯାତ୍ରା ଓ ଜନସଭା ଜାରି ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।  ଚିତୋରରେ ଏକ ଜନସଭାକୁ ସମ୍ବୋଦ୍ଧିତ କରି ରାହୁଲ ବେକାରୀ ଓ କୃଷକ କାର୍ଡ ଖେଳିଛନ୍ତି । କହିଛନ୍ତି ରାଜସ୍ଥାନରେ ଜନତାଙ୍କ ମୁହଁରେ ଦୁଇଟି ପ୍ରଶ୍ନ । ବେକାରୀ ଯୁବକମାନଙ୍କୁ କେବେ ଚାକିରି ମିଳିବ । ଓ ଦୟନୀୟ ଅବସ୍ଥା ଦେଇ ଗତି କରୁଥିବା କୃଷକଙ୍କ ଋଣ କେବେ ଛାଡ କରିବେ ସରକାର । ଏଥିପାଇଁ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିଦ୍ଧିଆ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରିଛନ୍ତି ରାହୁଲ ।

ସର୍ଜିକାଲ ଷ୍ଟ୍ରାଇକ୍, ମନମୋହନ ଓ ମୋଦିି । ‘ସେନା ନିଷ୍ପତିକୁ ନେଇ ରାଜନୀତି କରୁଛନ୍ତି ମୋଦି’ । ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ରାଜନୀତି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ । ସମାଲୋଚନା କରି କହିଛନ୍ତି ସେନାର ନିଷ୍ପତିକୁ ରାଜନୈତିିକ କାର୍ଯ୍ୟ ଭାବେ ବ୍ୟବହାର କରୁଛନ୍ତି ମୋଦି । ମନମୋହନ ସରକାର ସମୟରେ ମଧ୍ୟ ୩ଥର ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥିଲା ।

କିନ୍ତୁ ଏହା ସେନାର ସଫଳତା ହୋଇଥିବାରୁ ଉପା ସରକାର ଏହାର ପ୍ରଚାର କରିନଥିଲେ । ସେହିପରି ବିମୁଦ୍ରାକରଣ ନିଷ୍ପତିକୁ ବଡ ଦୁର୍ନୀତି କହିବା ସହ ଏହା ଛୋଟ ଛୋଟ ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗିବା ପାଇଁ ମୋଦିଙ୍କ ଯୋଜନା ବୋଲି କହିଛନ୍ତି ରାହୁଲ । ସେପଟେ ଏହାର ଜବାବ ରଖିଛି ବିଜେପି । ଆସନ୍ତା ୭ତାରିଖରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଏଥର କଂଗ୍ରେସ ପୁଣି ଥରେ କ୍ଷମତାକୁ ଫେରିବାକୁ ନଜର ରଖିଥିବାବେଳେ ବିଜେପି କ୍ଷମତା ବଜାର ରଖିବା ଲକ୍ଷ୍ୟରେ ପ୍ରଚାରକୁ ଜୋରଦାର କରିଛନ୍ତି ।