ପାଠ ପଢିବାକୁ ରାସ୍ତା କଡରେ ଆମ୍ବ ବିକ୍ରି କରୁଥିଲା କୁନି ଝିଅ । ସଂଘର୍ଷ ଦେଖି ଆଗେଇ ଆସିଲେ ଏହି ବ୍ୟକ୍ତି, ଦେଢ ଲକ୍ଷ ଟଙ୍କା ଦେଇ କିଣିନେଲେ ୧୨ଟି ଆମ୍ବ ।

302

କନକ ବ୍ୟୁରୋ : ଏ କାହାଣୀ ସାହାଯ୍ୟର, ମଣିଷପଣିଆର । କରୋନା ମହାମାରୀ ଲୋକଙ୍କ ଆଖିରେ ସ୍ୱାର୍ଥର ପରଦା ଟାଣିଦେଇଥିବାବେଳେ, ଏ କାହାଣୀ କହୁଛି ଆଜି ବି ମଣିଷପଣିଆ ବଂଚିଛି ।

ଝାଡଖଣ୍ଡ ଜାମେସଦପୁରର ୧୧ବର୍ଷୀୟ କୁନି ଝିଅ ତୁଲସୀ କୁମାରୀ । ପାଠ ପଢିବାକୁ ମନରେ ମେଂଚେ ଇଚ୍ଛା । କରୋନା ମହାମାରୀ ପାଇଁ ସ୍କୁଲ ବନ୍ଦ ଥିବା ବେଳେ ଅନଲାଇନରେ ଚାଲିଛି ପାଠପଢା । କିନ୍ତୁ ତୁଲସୀଙ୍କ ପାଖରେ ସ୍ମାର୍ଟଫୋନ ତ ଦୂରର କଥା ସାଧା ଫୋନ୍ ଖଣ୍ଡେ ବି ନାହିଁ ।

ପଂଚମ ଶ୍ରେଣୀରେ ପାଠ ପଢୁଛି ତୁଲସୀ । ସମସ୍ତଙ୍କ ପରି ସିଏ ବି ସ୍ୱପ୍ନ ଦେଖିଛି । ପାଠ ପଢିବ, ବଡ ମଣିଷ ହେବ । କିନ୍ତୁ ଅଭାବ ଅନଟନର ଅନ୍ଧାର ଭିତରେ ଦିନ କଟୁଥିବା ବେଳେ ତୁଲସୀର ପାଠପଢା ମଧ୍ୟ ବନ୍ଦ ହୋଇଯାଇଛି । ଆଉ ସେଇଥିପାଇଁ ତ ସ୍ମାର୍ଟଫୋନ୍ ଟିଏ କିଣିଲେ ପାଠ ପଢିବ ବୋଲି ନିତି ଏମିତି ରାସ୍ତା କଡରେ ଆମ୍ବ ବିକୁଛି ।

କିନ୍ତୁ ଏଣିକି ଆଉ ଏହି କୁନି ଝିଅକୁ ରାସ୍ତାକଡରେ ବସି ଆମ୍ବ ବିକିବାକୁ ପଡିବନି । ସତ ହେବ ତୁଲସୀର ସ୍ୱପ୍ନ । ପାଠପଢିବା ପାଇଁ ସଂଘର୍ଷ କରୁଥିବା ଏହି କୁନି ଝିଅଟି ପାଖରେ ଦେବଦୂତ ସାଜି ପହଂଚିଛନ୍ତି ଭେଲୁଏବୁଲ ଏଡୁଟେନମେଂଟ ପ୍ରାଇଭେଟ୍ ଲିମିଟେଡର ମ୍ୟାନେଜିଙ୍ଗ ଡିରେକ୍ଟର ଅମେୟ ହେଟେ । ଝିଅଟିର କଷ୍ଟ ଦୂର କରିବା ପାଇଁ ତା ପାଖରୁ ମାତ୍ର ୧୨ଟି ଆମ୍ବକୁ ୧ ଲକ୍ଷ ୨୦ ହଜାର ଟଙ୍କା ଦେଇ କିଣିନେଇଛନ୍ତି ।

କୁନି ଝିଅଟିର କଷ୍ଟର କାହାଣୀ ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଆଉ ତୁଲସୀର ଏହି ସଂଘର୍ଷମୟ କାହାଣୀ ବିଷୟରେ ଜାଣିବା ପରେ ସଙ୍ଗେ ସଙ୍ଗେ ତା ପାଖରେ ପହଂଚିଥିଲେ ଅମେୟ । ଆଉ ଝିଅଟି ପାଖରୁ ମାତ୍ର ୧୨ଟି ଆମ୍ବକୁ ୧ ଲକ୍ଷ ୨୦ ହଜାର ଟଙ୍କା ଦେଇ ସେ କିଣିନେଇଥିଲେ । ଅର୍ଥାତ ଗୋଟିଏ ଆମ୍ବର ମୂଲ୍ୟ ୧୦ ହଜାର ଟଙ୍କା ଦେଇଥିଲେ ।

ଅମେୟଙ୍କ ସାହାଯ୍ୟ ପରେ ତୁଲସୀର ମୁହଁରେ ଫୁଟିଛି ହସ । ସେହି ଟଙ୍କାରେ ସେ ଗୋଟିଏ ସ୍ମାର୍ଟଫୋନଟିଏ କିଣିଛି । ଆଉ ପ୍ରତିଦିନ ଅନଲାଇନରେ କ୍ଲାସ ମଧ୍ୟ କରୁଛି । ତେବେ ଅମେୟଙ୍କ ଏହି ଉଦାରପଣିଆ ସମାଜ ଆଗରେ ଏକ ବଡ ଉଦାହରଣ ସାଜିଛି । କରୋନା କଷ୍ଟର ଏମିତି ଅନେକ କାହାଣୀ ଲେଖୁଥିବା ବେଳେ ଅମେୟଙ୍କ ଭଳି ସମସ୍ତେ ଏମିତି ସାହାଯ୍ୟର ହାତ ବଢାଇଲେ, ହୁଏତ କିଛି ଲୋକଙ୍କ କଷ୍ଟ ଦୂର ହୋଇପାରନ୍ତା ।