ସରିଲା ବିଧାନସଭାର ଶୀତକାଳୀନ ଅଧିବେଶନ : ମାତ୍ର ୮ଟି କାର୍ଯ୍ୟଦିବସ ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି

70

କନକ ବ୍ୟୁରୋ : ଅଧାରେ ସରିଲା ବିଧାନସଭାର ଶୀତକାଳୀନ ଅଧିବେଶନ । କେବେ ବିରୋଧୀ ତ କେବେ ଶାସକ ଦଳର ହଟ୍ଟଗୋଳ ଭିତରେ ମାତ୍ର ୮ ଦିନ ଚାଲିପାରିଲା ଗୃହକାର୍ଯ୍ୟ । ନିର୍ଦ୍ଧାରିତ ସମୟ ପୂର୍ବରୁ ଶୀତକାଳୀନ ଅଧିବେଶନକୁ ଅଧାରୁ ଶେଷ କରିଦିଆଯାଇଛି । ଶୀତକାଳିନ ଅଧିବେଶନ ବନ୍ଦ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ପ୍ରସ୍ତାବକୁ ସମର୍ଥନ ଦେଇଥିଲେ ଶାସକ ଦଳର ବିଧାୟକ । ପ୍ରସ୍ତାବ ଗୃହିତ ହେବା ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ପଦ୍ମପୁର ପ୍ରଚାର ସାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିବେଶନର ଶେଷ କାର୍ଯ୍ୟ ଦିବସରେ ଯୋଗ ଦେଇଥିଲେ ।

ଏବଂ ସହଯୋଗ ପାଇଁ ଧନ୍ୟବାଦ ସମସ୍ତଙ୍କୁ ଦେଇଥିଲେ । ଏହି ସମୟରେ ବିଜେପି ବିଧାୟକ ବିଧାନସଭାରେ ଅନୁପସ୍ଥିତ ରହିଥିଲେ । ତେବେ ଅଧାରୁ ଅଧିବେଶନକୁ ସାରି ଦେଇଥିବାରୁ ଶାସକ ଦଳ ଉପରେ ବର୍ଷିଥିଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ସେ ଅଭିଯୋଗ କରିଛନ୍ତି, ବିରୋଧ ଦଳ ସହ ଆଲୋଚନା ନକରି ବିଧାନସଭା ଶୀତ ଅଧିବେଶନକୁ ମୁଲତବୀ ଘୋଷଣା କରାଯାଇଛି । ସଂଖ୍ୟା ଗରିଷ୍ଠ ଥିବାରୁ ଶାସକ ଦଳ ମନଇଚ୍ଛା ନିଷ୍ପତ୍ତି ନେଉଛନ୍ତି । ଏହାର ଜବାବ ଦେଇ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ବିରୋଧୀ ଦଳ ସଦସ୍ୟଙ୍କୁ ଡାକିଲେ, ସେମାନେ ଆଲୋଚନାକୁ ଆସୁନାହାନ୍ତି । ତେଣୁ ଏପରି ଅଭିଯୋଗର କିଛି ଅର୍ଥ ନାହିଁ ।