ଜାଡ଼ରେ ଥରୁଛି ସାରା ଓଡ଼ିଶା ! ୧୦ ବର୍ଷର ରେକର୍ଡ ଭାଙ୍ଗିଲା ପାରଦ

39

କନକ ବ୍ୟୁରୋ : ଆହୁରି ୧୦ ଦିନ ଥରାଇବ ଶୀତ । ସାରା ରାଜ୍ୟରେ ହାଡଭଂଗା ଶୀତ ଅନୁଭୁତ ହେବ । ଏଥରର ଶୀତ ୧୦ ବର୍ଷର ରେକର୍ଡ ଭାଂଗିଛି । ୧୪ଟି ଜିଲ୍ଲାର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା । ଫୁଲବାଣୀରେ ସର୍ବନିମ୍ନ ୩ ଦଶମିକ୍ ୫ଡିଗ୍ରୀ ସେଲସିୟସ ରହିଥିଲା । ସେହିପରି ୪ ଡିଗ୍ରୀ ତାପମାତ୍ରା ସହ ଦ୍ୱିତୀୟରେ ରହିଛି ଓଡିଶାର କଶ୍ମୀର, ଦାରିଙ୍ଗବାଡି । ଉତର-ପଶ୍ଚିମ ଦିଗରୁ ଥଣ୍ଡା ପବନ ବୋହିବା ଯୋଗୁଁ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ପାଣିପାଗ ବିଭାଗ କହିଛି, ଏଭଳି ପାଗ ଆହୁରି ୧୦ ଦିନ ଯାଏଁ ଲାଗି ରହିବ ।

winterସାରା ରାଜ୍ୟରେ ଶୀତର ଲହରୀ । ରାତିକୁ ରାତି ଶୀତ ନୂଆ ରେକର୍ଡ ଭାଙ୍ଗୁଛି । ଦାରିଙ୍ଗବାଡିରେ ରାଜ୍ୟର ସବୁଠୁ କମ୍ ତାପମାତ୍ରା ୩ ଦଶମିକ୍ ୫ଡିଗ୍ରୀ ରେକର୍ଡ ହୋଇଛି । ସେଠାରେ କିଛି ସ୍ଥାନରେ ହାଲକା ତୁଷାରପାତ ବି ଦେଖିବାକୁ ମିଳିଛି। ଏଭଳି ହାଡ଼ଭଙ୍ଗା ଶୀତ ଆହୁରି ୧୦ ଦିନ ପର୍ଯ୍ୟନ୍ତ ଲାଗି ରହିବ । ତାପମାତ୍ରା ଆହୁରି କମିବାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳ ଓଡ଼ିଶାରେ ବି ଶୀତର ପ୍ରଭାବ ରହିଛି । ସାରା ରାଜ୍ୟ ଥରୁଛି । ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ଆଭ୍ୟନ୍ତରୀଣ ଓଡ଼ିଶାର ଫୁଲବାଣୀ, ଦାରିଙ୍ଗବାଡ଼ି, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼ ସହ ପଶ୍ଚିମ ଓଡ଼ିଶା, ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ହାଡ଼ଭଙ୍ଗା ଜାଡ଼ ହେଉଛି । ଭୋର୍ ସମୟରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଏହିପରି ଥଣ୍ଡା ଜାରି ରହିଲେ ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ସ୍ଥାନରେ ତୁଷାରପାତ ସମ୍ଭାବନାକୁ ଏଡ଼ାଇ ହେବନି ।