ଓଡ଼ିଶାରେ ବଢ଼ିବାରେ ଲାଗିଛି ଶୀତ ପ୍ରକୋପ ! ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ପ୍ରବଳ କୁହୁଡ଼ି

53

କନକ ବ୍ୟୁରୋ : ଓଡ଼ିଶାରେ ଶୀତ ପ୍ରକୋପ ବଢ଼ିବାରେ ଲାଗିଛି । ରାଜ୍ୟର ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଅଞ୍ଚଳରେ ପାରଦ ଖସୁଛି । ଲଗାତାର ୩ୟ ଦିନ ଲାଗି ଓଡ଼ିଶାର ୧୩ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିବା ବେଳେ ଦାରିଙ୍ଗବାଡ଼ିରେ ଦ୍ୱିତୀୟ ଦିନ ଲାଗି ୩ ଡିଗ୍ରି ଓ ଫୁଲବାଣୀରେ ୪.୫ ଡିଗ୍ରି ରେକର୍ଡ କରାଯାଇଛି । ଦାରିଙ୍ଗବାଡ଼ି ସମେତ ଜିଲ୍ଲାର କେତେକ ସ୍ଥାନରେ ତୁଷାରପାତ ହୋଇଛି । ସକାଳୁ ଘାସ, ଛଣ ନଡ଼ାରେ ତୁଷାରପାତ ହୋଇଥିବା ଲୋକେ ଦେଖିବାକୁ ପାଉଛନ୍ତି । ଥଣ୍ଡା ମାତ୍ରା ଏପରି ବଢ଼ି ଯାଇଛି ଯେ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଲୋକେ ପଦାକୁ ବାହାରିବା ମୁସ୍କିଲ୍ ହୋଇପଡ଼ୁଛି । ୧୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ପ୍ରବଳ କୁହୁଡ଼ି ଜାରି ରହିବ । ୮ ତାରିଖରେ ଅଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ସହ କନ୍ଧମାଳ, ଗଞ୍ଜାମ, କୋରାପୁଟ, କଳାହାଣ୍ଡି, ମାଲକାନଗିରି ଜିଲ୍ଲାରେ କୁହୁଡ଼ି ମାତ୍ରା ବଢ଼ିବ । ୯ ଏବଂ ୧୦ ତାରିଖରେ କଟକ, କେନ୍ଦ୍ରାପଡ଼ା, ପୁରୀ, ଜଗତ୍ସିଂହପୁର, ଗଞ୍ଜାମ, ବାଲେଶ୍ୱର ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ କୁହୁଡ଼ି ହେବ । ୧୧ ତାରିଖ ବେଳକୁ ସ୍ଥିତିରେ କିଛିଟା ପରିବର୍ତନ ଆସିପାରେ । ଆସନ୍ତା ୧୨ରୁ ୧୪ ତାରିଖ ପର୍ୟ୍ୟନ୍ତ ରାତିର ତାପମାତ୍ରା ହ୍ରାସ ପାଇବ । ଏବେ ଯେତିକି ରହୁଛି ତା’ଠାରୁ ୨ ଡିଗ୍ରି ତଳକୁ ଖସିବାର ପୂର୍ବାନୁମାନ କରାଯାଇଛି ।

ଦାରିଙ୍ଗବାଡ଼ି ଓ ଫୁଲବାଣୀକୁ ଛାଡ଼ି ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ୭, ଝାରସୁଗୁଡ଼ାରେ ୭.୮, ଭବାନୀପାଟଣାରେ ୮, କେନ୍ଦୁଝରଗଡ଼ ଓ ହୀରାକୁଦରେ ୮.୨, ସମ୍ବଲପୁର ଓ ଅନୁଗୁଳରେ ୮.୫, ବାରିପଦାରେ ୯.୪, କୋରାପୁଟ ଓ ସୋନପୁରରେ ୯.୫, ବଲାଙ୍ଗିରରେ ୯.୬ ଡିଗ୍ରି ରେକର୍ଡ ହୋଇଛି । ତାଳଚେରରେ ୧୦ ଡିଗ୍ରି ଥିବା ବେଳେ ବାଲେଶ୍ୱରରେ ୧୦.୫, ଟିଟିଲାଗଡ଼ ଓ ଢ଼େଙ୍କାନାଳରେ ୧୧, କଟକରେ ୧୨ ଓ ଭୁବନେଶ୍ୱରରେ ୧୩ ଡିଗ୍ରି ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ତାପମାତ୍ରା ଏକ ଡିଗ୍ରି ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।