ବିଜେପିକୁ ଫାଇଦା ଦେବ କି ତିନି ତଲାକ ରାୟ ! ନଜର ପକାନ୍ତୁ କାହିଁକି ସୁବିଧା ପାଇପାରେ ଦଳ

42

କନକ ବ୍ୟୁରୋ: ତିନି ତଲାକ ପ୍ରଥାକୁ ରଦ୍ଦ କଲେ ସୁପ୍ରିମକୋର୍ଟ । ଏହାପରେ ଏହି ରାୟକୁ ନେଇ ରାଜନୈତିକ ପ୍ରତିକିୟା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଐତିହାସିକ ଓ ମହିଳା ସଶକ୍ତିରଣ ଦିଗରେ ନୂଆ ଅଧ୍ୟାୟ ବୋଲି କହିଛନ୍ତି । ସେପଟେ ଅମିତ ଶାହା ମଧ୍ୟ ଏହାକୁ ସ୍ୱାଗତ କରି କହିଛନ୍ତି ଏହା ମୁସଲିମ ମହିଳାଙ୍କୁ ସମାନତା ଅଧିକାର ଦେବାରେ ସାହାର୍ଯ୍ୟ କରିବ । ଅନ୍ୟପଟେ କଂଗ୍ରେସ ମଧ୍ୟ ଏହି ରାୟକୁ ସ୍ୱାଗତ କରିଛି । ତେବେ ଏହି ତିନିତଲାକର ଅନ୍ତ ବିଜେପି ପାଇଁ ରାଜନୈତିକ ଫାଇଦା ଦେବ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି ।

ଏହା ଭିତରେ ମୁସଲିମଙ୍କ ପାଇଁ ଅନେକ ପଦକ୍ଷେପ ନେଇ ଚର୍ଚ୍ଚାରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତିନି ତଲାକ ପ୍ରସଙ୍ଗରେ ମଧ୍ୟ ମୁସଲିମ ମହିଳାଙ୍କ ସହ ଠିଆ ହୋଇ ସେମାନଙ୍କୁ ସାହାସ ଦେଇଛନ୍ତି । ତିନିତଲାକକୁ ରଦ୍ଦ କରିବା ନେଇ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟ ବିଜେପିକୁ ସୁହାଇବ ବୋଲି କୁହାଯାଉଛି । ଏନେଇ ଆଗାମୀ ୬ମାସ ମଧ୍ୟରେ ଆଇନ ଆଣିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ତେଣୁ ଖୁବଶୀଘ୍ର ଏନେଇ ମମୋଦି ସରକାର ଆଇନ ଆଣି ମୁସଲିମ ଭୋଟକୁ ନିଜ ଆଡକୁ ଆଣିବାକୁ ଚେଷ୍ଟା କରିବେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।

ତିନି ତଲାକକୁ ସମର୍ଥନ କରିବା ଦଳର ବୈଚାରିକ ଆଦର୍ଶ ବୋଲି ଦଳ କହିଛି । ହେଲେ ରାଜନୀତିରେ ଏହାକୁ ସହଜରେ ଗ୍ରହଣ କରାଯାଇପାରିବ ନାହିଁ । କଂଗ୍ରେସ ଓ ଉଦାରବାଦୀ ବାମଦଳ ଗୁଡିକ ପ୍ରତି ଏହା ଖରାପ ସାବ୍ୟସ୍ତ ହୋଇପାରେ । କାରଣ ଦୀର୍ଘଦିନ ଧରି କଂଗ୍ରେସ ନେତୃତ୍ୱରେ ୟୁପିଏ ସରକାର ଦେଶକୁ ଚଳାଉଥିଲେ ବି ଏଭଳି କୁତ୍ସିତ ପ୍ରଥାକୁ ବନ୍ଦ କରିବା ନେଇ କୌଣସି ପଦକ୍ଷେପ ନିଆଯାଇନଥିଲା । ତେଣୁ ବିଜେପି ତୁରନ୍ତ ଆଇନ ଆଣି ମାଇଲେଜ ନେବ ।

ଦିଲ୍ଲୀରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଅମିତ ଶାହ କହିଛନ୍ତି ଯେ, ଆରଏସଏସ ଓ ଭାଜପା ମୁସଲିମ ବିରୋଧୀ ନୁହଁନ୍ତି । ୨୦୧୪ ସାଧାରଣ ନିର୍ବାଚନ ବେଳେ ମୁସଲିମ ସଂପ୍ରଦାୟର ଏକ ରୁଦ୍ଧଦ୍ୱାର ବୈଠକରେ ଜଣେ ବରିଷ୍ଠ ଭାଜପା ନେତାଙ୍କୁ ଡକାଯାଇଥିଲା ବୋଲି ଶାହ କହିଛନ୍ତି । ଉକ୍ତ ବୈଠକରେ ଭାଜପା ମୁସଲିମ ସଂପ୍ରଦାୟକୁ ନଜରଅନ୍ଦାଜ ନ କରିବାକୁ କୁହାଯାଇଥିଲା । ୨୦୧୪ରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା ଓ ଉତ୍ତରପ୍ରଦେଶ ନିର୍ବାଚନ ଏହାର ବଡ ଉଦାହରଣ ।

ତେଣୁ ମୁସଲିମ ଭୋଟକୁ ନିଜ ସପକ୍ଷକୁ ନେବାକୁ ବିଜେପି ସଫଳ ହୋଇପାରେ । ଆଗାମୀ ନିର୍ବାଚନ ପୂର୍ବରୁ ଏହି ତିନିତଲାକ ରଦ୍ଦ ନେଇ ଆଇନ ପ୍ରଣୟନ କରି ଭୋଟକୁ ନିଜ ଆଡକୁ ଗୋଟାଇପାରେ । ତେବେ ଆଗାମୀ ଦିନରେ ଏହି ଷ୍ଟ୍ରାଟେଜୀ କେତେଦୂର ସଫଳ ହେଉଛି ତାହା ଉପରେ ସମସ୍ତଙ୍କର ନଜର ।