ମୋବାଇଲରୁ ମିଳିବ କି ଧର୍ମେନ୍ଦ୍ରଙ୍କ ମୃତ୍ୟୁ ରହସ୍ୟ? ଫରେନସିକ ଲ୍ୟାବକୁ ମୋବାଇଲ ପଠାଇଲା ପୋଲିସ ।

57

କନକ ବ୍ୟୁରୋ: କମିଶନରେଟ୍ ପୋଲିସର ଡଗ ସ୍କାର୍ଡ ଧରି ଯାଉଥିବା ମୋବାଇଲ ଉପରେ ରହିଛି ସମସ୍ତଙ୍କ ନଜର । ଆଉ ଚର୍ଚ୍ଚା ହେଉଛି ଏହି ମୋବାଇଲରେ ଲୁଚି ରହିଛି ନିମାପଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନର ଜିଲ୍ଳା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ରହସ୍ୟ ।

ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ସୋସିଆଲ ମିଡିଆରେ କରିଥିବା ପୋଷ୍ଟ ସମସ୍ତଙ୍କ ଧ୍ୟାନକୁ ମୋବାଇଲ ଆଡକୁ ଟାଣି ନେଇଥିଲା । ପୋଲିସ ବି ମୋବାଇଲକୁ ଖୋଜାଖୋଜି କରିଥିଲା । ଶେଷରେ ଘରଠାରୁ କିଛି ଦୂରରେ ପଡିଥିବା ଦୁଇଟି ମୋବାଇଲକୁ ଠାବ କରିବାରେ ସକ୍ଷମ ହୋଇଥିଲା ଡଗ୍ ସ୍କାର୍ଡ । ଦୁଇଟି ଯାକ ମୋବାଇଲ ପୋଲିସ ଜବତ କରିବା ପରେ, ପ୍ରକୃତରେ ସେଥିରେ କଣ ରହିଛି ତାର ଯାଞ୍ଚ ପାଇଁ ଫରେନସିକ୍ ଲ୍ୟାବକୁ ପଠାଇଛି । ଆଉ ମୋବାଇଲ ଯାଞ୍ଚରୁ ଧର୍ମେନ୍ଦ୍ରଙ୍କ ମୃତ୍ୟୁର କାରଣ ସହ ଅନେକ ଅକୁହା କଥା ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି ।

ଧର୍ମେନ୍ଦ୍ର ତାଙ୍କ ଫେସବୁକରେ ପୋଷ୍ଟରେ ଫୋନ ଦୁଇଟାରେ ସବୁ ଭିଡିଓ ରହିଥିବା କଥା ଲେଖିଥିଲେ । ଆଉ ସେସବୁକୁ ଲୋକଲୋଚନକୁ ଆଣିବାକୁ ଅପିଲ କରିଥିଲେ । କେବଳ ଏତିକି ନୁହେଁ ମୃତ୍ୟୁର ଚାରି ଦିନ ପୂର୍ବରୁ ସେ ଏକ ଭିଡିଓ ପୋଷ୍ଟ କରି ଅନେକ ସଂକେତ ଦେଇଥିଲେ ।

ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି ଯୁବମୋର୍ଚ୍ଚା । ଗଣଶିକ୍ଷାମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣି ମନ୍ତ୍ରୀଙ୍କ ଇସ୍ତଫା ଦାବି କରି, ଗୋପ ବଜାରରେ ଶୋଭାଯାତ୍ରା କରାଯାଇଛି । ମନ୍ତ୍ରୀଙ୍କ ବିରୋଧରେ ଥାନାରେ ମଧ୍ୟ ଅଭିଯୋଗ କରିଛି ବିଜେପି । ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଭୁବନେଶ୍ୱର ରାମ ମନ୍ଦିର ନିକଟରେ ମଧ୍ୟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କିନ୍ତୁ ଏନେଇ ମନ୍ତ୍ରୀ ସମୀର ଦାସ କିମ୍ବା ତାଙ୍କ ସମର୍ଥକଙ୍କ କୌଣସି ପ୍ରତିକ୍ରିିୟା ମିଳିପାରିନାହିଁ ।

ଶନିବାର ସକାଳେ ଧର୍ମେନ୍ଦ୍ରଙ୍କ ଭୁବନେଶ୍ୱର ବାସଭବନର ପୋର୍ଟିକୋରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା ମୃତଦେହ । କିନ୍ତୁ ପୂର୍ବରୁ ତାଙ୍କର ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ଲାଗି ରହିଥିଲା ସସପେନ୍ସ । ବିଶେଷ କରି ମୋବାଇଲ ଉପରେ ରହିଛି ସମସ୍ତଙ୍କ ନଜର । ସେପଟେ କମିଶନରେଟର ପୋଲିସର ଏକ ୪ଜଣିଆ ଟିମ୍ ମୃତ ଧର୍ମେନ୍ଦ୍ରଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ପଚରାଉଚୁରା କରିଛନ୍ତି ।