ଶେଷ ହେବ କି ଚାଷୀ ଆନ୍ଦୋଳନ? ଆସନ୍ତାକାଲି ହୋଇପାରେ ନିର୍ଣ୍ଣୟ । କୃଷକଙ୍କ ବିଭିନ୍ନ ଦାବି ନେଇ କେନ୍ଦ୍ର ସରକାରଙ୍କ ସହ ହେବ ବୈଠକ

125

କନକ ବ୍ୟୁରୋ: ବିବାଦୀୟ କୃଷି ଆଇନ୍ ନେଇ ଚାଷୀଙ୍କ ଦୀର୍ଘ ଦିନର ଆନ୍ଦୋଳନ ପରେ କୃଷି ଆଇନକୁ ପ୍ରତ୍ୟାହାର କରିନେଲେ କେନ୍ଦ୍ର ସରକାର । ହେଲେ ତଥାପି ଶେଷ ହୋଇନି ଚାଷୀ ଆନ୍ଦୋଳନ । ଏମଏସପି, ମୃତ ଚାଷୀଙ୍କୁ କ୍ଷତି ପୂରଣ, ଏବଂ କୃଷକଙ୍କ ଉପରୁ ମାମଲା ପ୍ରତ୍ୟାହାର କରିବା ଭଳି ବିଭିନ୍ନ ଦାବି ନେଇ ଏବେ ବି ଜାରି ରହିଛି କୃଷକ ଆନ୍ଦୋଳନ । ହେଲେ ଏବେ ଚାଷୀଙ୍କ ସବୁ ଦାବିକୁ ପୂରଣ କରିବା ପାଇଁ ରାଜି ହୋଇଯାଇଛନ୍ତି ମୋଦୀ ସରକାର ।

  • ଶେଷ ହେବ ଚାଷୀ ଆନ୍ଦୋଳନ
  • କୃଷକଙ୍କ ସବୁ ଦାବିକୁ ପୂରଣ କରିବେ କେନ୍ଦ୍ର ସରକାର!

ଦୀର୍ଘ ଦିନ ଧରି ଜାରି ରହିଥିବା ଚାଷୀ ଆନ୍ଦୋଳନରେ ପଡିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ । କାରଣ କୃଷକଙ୍କ ସବୁ ଦାବିକୁ ମାନିନେବାକୁ ପ୍ରସ୍ତୁତ ହୋଇଛନ୍ତି କେନ୍ଦ୍ର ସରକାର । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାର ଚାଷୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ କହିଛନ୍ତି । ଏହାସହ ଚାଷୀଙ୍କ ସମସ୍ତ ଦାବି ପୂରଣ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ମୋଦୀ ସରକାର । ଏନେଇ ବୁଧବାର ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର ସରକାର ।

ମିଳିଥିବା ସୂଚନା ଅନୁସାରେ …

  • ଚାଷୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାରଙ୍କ ଆବେଦନ
  • କୃଷକଙ୍କ ସମସ୍ତ ଦାବି ପୂରଣ ପାଇଁ ପ୍ରତିଶ୍ରୁତି
  • ଲିଖିତ ଭାବେ ପ୍ରତିଶ୍ରୁତି ଦେବାକୁ ପ୍ରସ୍ତୁତ କେନ୍ଦ୍ର ସରକାର
  • ଏମଏସପିକୁ ଆଇନ୍ରେ ପରିଣତ, ଚାଷୀଙ୍କ ବିରୋଧରେ ସବୁ ମାମଲା ପ୍ରତ୍ୟାହାର ଏବଂ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ପ୍ରସ୍ତୁତ ମୋଦୀ ସରକାର
  • ବୁଧବାର ଦିନ ୨ଟାରେ ଆଲୋଚନା ପାଇଁ କୃଷକଙ୍କୁ ଡାକିଛନ୍ତି କେନ୍ଦ୍ର ସରକାର

କେନ୍ଦ୍ର ସରକାରଙ୍କ ଏହି ସୂଚନା ପରେ ମଙ୍ଗଳବାର ସିଂଘୁ ସୀମାରେ କୃଷକ କମିଟି ବୈଠକ ଅନୁଷ୍ଠିତ ହୋଇଛି । ସରକାରଙ୍କ ଲିଖିତ ପ୍ରତିଶ୍ରୁତି ନୁହେଁ ତାଙ୍କ କାର୍ଯ୍ୟଶୈଳୀ ଉପରେ ଚାଷୀ ଆନ୍ଦୋଳନ ନିର୍ଭର କରେ ବୋଲି ଚାଷୀ ନେତା କହିଛନ୍ତି । ସରକାର ସହ ଆଲୋଚନା ପାଇଁ କୃଷକଙ୍କ ଏକ କିମିଟି ପ୍ରସ୍ତୁତ କରାଯାଇଛି । ଯେଉଁମାନେ ନିଜ ଦାବିକୁ ସରକାରଙ୍କ ପାଖରେ ଉପସ୍ଥାପନ କରିବେ । ଏହି କମିଟି ହିଁ ବୁଧବାର କେନ୍ଦ୍ର ସରକାରଙ୍କ ସହ ବୈଠକରେ ଯୋଗଦେବେ । ବିବାଦୀୟ କୃଷି ଆଇନ ପ୍ରତ୍ୟାହୃତ ହୋଇଥିବା ପରେ ବି ଚାଷୀ ଆନ୍ଦୋଳନ ଜାରି ରହିଛି ।