ସୁରଟ ଆଡୁ ଓଡ଼ିଶାକୁ ପୁଣି ଆସିବ କି ସଙ୍କଟ ? ସୁରଟ ସମେତ ଗୁଜୁରାଟର ୪ ସହରରେ ନାଇଟ୍ କର୍ଫ୍ୟୁ, ଓଡ଼ିଶା ଫେରିବାକୁ ଅଣ୍ଟା ଭିଡିଲେଣି ପ୍ରବାସୀ । ଗଞ୍ଜାମରେ ପୁଣି ଫେରିବନି ତ’ ଗତବର୍ଷର ଭୟ ?

336

କନକ ବ୍ୟୁରୋ : କରୋନାର ବିଭୀଷିକା ସେତେବେଳେ ଉଗ୍ରରୂପ ନେଇଥିଲା ଯେତେବେଳେ ପ୍ରବାସୀ ଓଡିଆମାନେ ସୁରଟରୁ ଓଡିଶା ମୁହାଁ ହୋଇଥିଲେ । ଗତବର୍ଷ କରୋନା ସଂକ୍ରମଣ ବଢିବା ସମୟରେ ପ୍ରାୟ ୪ଲକ୍ଷ ପ୍ରବାସୀ ଓଡିଆ ଫେରିଥିବା ବେଳେ ୭୦ ପ୍ରତିଶତ ସୁରଟରୁ ଗଞ୍ଜାମକୁ ଫେରିଥିଲେ । ଆଉ ଏବେ ଗୁଜରାଟରେ ଗୋଟିଏ ଦିନରେ ୮୦୦ରୁ ଅଧିକ ସଂକ୍ରମିତ ହେବା ଏବଂ ଗୁଜୁରାଟରେ ସୁରଟ ସଂକ୍ରମଣ ହାରରେ ଏକ ନମ୍ବର ସ୍ଥାନରେ ରହିବା, ପ୍ରବାସୀ ଓଡିଆଙ୍କୁ ପୁଣି ଥରେ ଓଡିଶା ଫେରିବା ପାଇଁ ଚିନ୍ତା କରିବାକୁ ବାଧ୍ୟ କରିଛି । ପୁଣିଥରେ ସୁରତରୁ ଓଡିଶା ଫେରିବା ପାଇଁ ଯୋଜନା କଲେଣି ପ୍ରବାସୀ ଓଡିଆ । ଯାହାକି ଚିନ୍ତାର ବିଷୟ ହୋଇଛି । କାରଣ ଗତବର୍ଷ ଗଞ୍ଜାମରେ ସଂକ୍ରମଣ ବଢିବା ପଛରେ ମୁଖ୍ୟ କାରଣ ଥିଲା ସୁରଟରୁ ଫେରିଥିବା ପ୍ରବାସୀ ଓଡିଆ ।

କେବଳ ଗୁଜରାଟ କଥା ଯଦି ଦେଖିବା, ସୋମବାର ୮୯୦ଟି ନୂଆ ସକ୍ରିୟ ମାମଲା ଆସିବା ପରେ ମୋଟ ସଂକ୍ରମଣ ସଂଖ୍ୟା ପହଞ୍ଚିଛି ୨ଲକ୍ଷ୭୯ହଜାର୯୭ରେ । ଆଉ ସବୁଠୁ ଅଧିକ ସଂକ୍ରମିତ ହୋଇଛନ୍ତି ସୁରତରେ । ଗତ ୨୪ ଘଂଟା ମଧ୍ୟରେ ସୁରଟରେ ୨୬୨ଜଣ, ଅହମ୍ମଦାବାଦରେ ୨୦୯, ଭଦୋଦରାରେ ୯୭ ଏବଂ ରାଜକୋଟରେ ୯୫ଜଣ ସଂକ୍ରମିତ ହୋଇଛନ୍ତି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ଏହି ୪ଟି ସ୍ଥାନରେ ନାଇଟ କର୍ଫ୍ୟୁ ଜାରି କରିଛନ୍ତି । ଅହମ୍ମଦାବାଦ, ସୁରଟ, ଭଦୋଦରା, ଏବଂ ରାଜକୋଟରେ ରାତି ୧୦ଟାରୁ ସକାଳ ୬ଟା ଯାଏଁ ଏହା କାର୍ଯ୍ୟକାରୀ ହେବ । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ ।

ନଜର ପକାନ୍ତୁ ଆଜିର ଦିନରେ କରୋନା ସଂକ୍ରମଣକୁ ନେଇ ଭାରତର ସ୍ଥିତି ଉପରେ । ଗତ ୨୪ ଘଂଟା ମଧ୍ୟରେ ଭାରତରେ ୨୪ହଜାର ୪୯୨ଟି ନୂଆ ସଂକ୍ରମଣ ମାମଲା ଆସିଛି । ସେହିପରି ଗତ ୨୪ ଘଂଟା ମଧ୍ୟରେ ୧୩୧ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର, ପଞ୍ଜାବ, ଗୁଜୁରାଟ ପରେ କର୍ଣ୍ଣାଟକ ଓ କେରଳରେ ଉପରମୁହାଁ ହୋଇଛି କରୋନା ମିଟର ।