ଓସ୍କାରରେ କ୍ରିସ ରକଙ୍କୁ ୱିଲ ସ୍ମିଥ ଚାପୁଡା ମାରିବା ପ୍ରସଙ୍ଗ: ୱିଲ ସ୍ମିଥଙ୍କ ଉପରେ ବ୍ୟାନ ଲଗାଇଲା ଓସ୍କାର ଏକାଡେମୀ

121

କନକ ବ୍ୟୁରୋ: ପୁଣି ଚର୍ଚ୍ଚାକୁ ଆସିଲେ ଆମେରୀକିୟ ଅଭିନେତା ୱିଲ ସ୍ମିଥ । ୨୦୨୨ ଓସ୍କାର ସମାରୋହ ଚାଲିଥିବା ସମୟରେ ମଂଚ ଉପରକୁ ଚଢି ଚାପୁଡା ମାରିବା ଅଭିନେତା ୱିଲ ସ୍ମିଥଙ୍କୁ ମହଙ୍ଗା ପଡିଛି । ମଂଚ ଉପରେ କମେଡିଆନ କ୍ରିସ ରକଙ୍କୁ ଚାପୁଡା ମାରିବା ଘଟଣାକୁ ଗୁରୁତର ସହ ନେଇ ତାଙ୍କ ଉପରେ କଟକଣା ଲଗାଯାଇଛି । ଚାପୁଡା ମାରିବା ଘଟଣାରେ ୱିଲ ସ୍ମିଥଙ୍କୁ ଆସନ୍ତା ୧୦ବର୍ଷ ଯାଏଁ ଓସ୍କାର କାର୍ଯ୍ୟକ୍ରମ ପାଇଁ ବ୍ୟାନ କରାଯାଇଛି । ଏକାଡେମି ଅଫ ମୋସନ ପିକଚର ଆର୍ଟ୍ସ ଆଣ୍ଡ ସାଇନ୍ସସେସ, ଅଭିନେତା ୱିଲ ସ୍ମିଥଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ବ୍ୟାନ ଲଗାଇଛି । ସେପଟେ ଘଟଣାକୁ ନେଇ ୱିଲ ସ୍ମିଥ କହିଛନ୍ତି, ଅନୁଷ୍ଠାନର ନିଷ୍ପତିକୁ ମୁଁ ସମ୍ମାନ ଜଣାଉଛି ଓ ଏହି ନିଷ୍ପତ୍ତିକୁ ସ୍ୱିକାର କରୁଛି ।

ଓସ୍କାର ଆୱାର୍ଡରେ ଘଟିଥିବା ଅରୁଚିକର ଘଟଣା ପାଇଁ ୨ସପ୍ତାହ ପରେ ୱିଲ ସ୍ମିଥଙ୍କ ଉପରେ କାର୍ଯର୍୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏବେ ୧୦ବର୍ଷ ପର୍ଯ୍ୟନ୍ତ ଓସ୍କାରର କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ନାହିଁ ହଲିଉଡର ଏହି ଅଭିନେତା ।

ଏକାଡେମିର ଅଧ୍ୟକ୍ଷ ଡ୍ୟାଭିଡ ରୁବିନ କହିଛନ୍ତି ଯେ, ଚଳିତ ବର୍ଷ ଓସ୍କାର କାର୍ଯ୍ୟକ୍ରମ ବେଳେ କମେଡିଆନ କ୍ରିସ ରକଙ୍କୁ ୱିଲ ସ୍ମିଥ ଚାପୁଡା ମାରିବା ଘଟଣା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି । ବୋର୍ଡ ମଧ୍ୟ ଏହି ନିଷ୍ପତ୍ତିକୁ ସମର୍ଥନ ଜଣାଇଛି । ଗତ ମାର୍ଚ୍ଚ ୨୭ତାରିଖରେ ଆମେରିକାର ଲସ ଏଂଜଲେସରେ ଚାଲିଥିବା ୯୪ ତମ ଓସ୍କାର ସମାରୋହରେ ଏମିତି କିଛି ଘଟଣା ଘଟିଥିଲା ଯାହା ଦଶର୍କଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । କାର୍ଯ୍ୟକ୍ରମ ସମୟରେ କମେଡିଆନ କ୍ରିସ, ଅଭିନେତା ୱିଲ ସ୍ମିଥଙ୍କ ରୋଗାଗ୍ରସ୍ତ ପତ୍ନୀଙ୍କ ନାରେ ଥଟ୍ଟା କରିଥିଲେ ।

ଯାହା ୱିଲ ସ୍ମିଥଙ୍କ ପାଇଁ ଅସହ୍ୟ ହୋଇପଡିଥିଲା । ଏବଂ ୱିଲ ମଂଚ ଉପରକୁ ଚଢି କ୍ରିସ ରକଙ୍କୁ ଚାପୁଡା ମାରିଥିଲେ । ଯାହା ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଥିଲା । ତାଙ୍କ ପତ୍ନୀଙ୍କ ନାଁରେ ଥଟ୍ଟା କରିଥିବାରୁ ସେ ଚାପୁଡା ମାରିଥିବା ୱିଲ ସ୍ମିଥ କହିଥିଲେ । ଏହାପରେ ନିଜେ ୱିଲ ସ୍ମିଥ ମଧ୍ୟ ଭାବବିହ୍ୱଳ ହୋଇପଡିଥିଲେ ଏବଂ କ୍ରିସ ଓ ଓସ୍କାର ଏକାଡେମିକୁ କ୍ଷମା ମାଗିଥିଲେ । ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୱିଲ ୱିଥଙ୍କ ଓସ୍କାରର ସମସ୍ତ କାର୍ଯ୍ୟକ୍ରମରୁ ୧୦ ବର୍ଷ ଯାଏଁ ବ୍ୟାନ କରାଯାଇଛି ।