ଟିମ୍ ଇଣ୍ଡିଆର ଟି-୨୦ ଟିମକୁ ଆଉ ଫେରିପାରିବେ ତ କୋହଲି ଓ ରୋହିତ? କୋଚ୍ ଦ୍ରାବିଡଙ୍କ ସଂକେତ ବଢାଇଲା ଚର୍ଚ୍ଚା ।

3,049

କନକ ବ୍ୟୁରୋ : ଭାରତୀୟ ଟି-୨୦ ଦଳରେ ଆଉ ରୋହିତ ଓ ବିରାଟଙ୍କୁ ଦେଖିବାକୁ ମିଳିନପାରେ । କେବଳ ଏହି ଦୁଇ ଖେଳାଳୀ ନୁହନ୍ତି ବରଂ ଅନ୍ୟ ସିନିୟର ଖେଳାଳିଙ୍କୁ ମଧ୍ୟ ଟିମ୍ ଇଣ୍ଡିଆର ଟି-୨୦ ଫର୍ମାଟରେ ସ୍ଥାନ ମିଳିନପାରେ । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍ ପରେ ଏନେଇ ସଂକେତ ଦେଇଛନ୍ତି କୋଚ୍ ରାହୁଲ ଦ୍ରାବିଡ । ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି, ଆମର ପୂରା ଫୋକସ ଏବେ ଦିନିକିଆ ବିଶ୍ୱକପ ଓ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଉପରେ ରହିଛି । ତେଣୁ ଟି-୨୦ ଫର୍ମାଟରେ ଏବେ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯିବା ସହ ଦଳ ପାଇଁ ନୂଆ ପ୍ରତିଭା ଚିହ୍ନଟ କରାଯିବ ।

ଆଉ ଦ୍ରାବିଡଙ୍କ ଏଭଳି ବୟାନ ସଂକେତ ଦେଇଛି ଯେ, କୋହଲି ଓ ରୋହିତଙ୍କୁ ଏବେ କେବଳ ଟେଷ୍ଟ ଓ ଦିନିକିଆ ଉପରେ ଧ୍ୟାନ ଦେବାକୁ ହେବ । କାରଣ ଚଳିତବର୍ଷ ଶେଷ ଆଡକୁ ଭାରତରେ ଦିନିକିଆ ବିଶ୍ୱକପ ଆୟୋଜିତ ହେବାକୁ ଯାଉଛି । ସେହିଭଳି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ସ୍ଥାନ ପକ୍କା କରିବାକୁ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ୪ଟି ଟେଷ୍ଟ ମ୍ୟାଚ ବେଶ ଗୁରୁତ୍ୱ ବହନ କରୁଛି । ତେଣୁ ଉଭୟ ରୋହିତ ଓ କୋହଲିଙ୍କ ପ୍ରଦର୍ଶନ ଏହି ଦୁଇଟି ଫର୍ମାଟରେ ଟିମ୍ ଇଣ୍ଡିଆ ପାଇଁ ଅଧିକ ଆବଶ୍ୟକ ।

କୋହଲି ଓ ରୋହିତ ଶେଷ ଟି-୨୦ ମ୍ୟାଚ୍ ଗତ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଖେଳିଥିଲେ । ଏହାପରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଖେଳିଥିଲା । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଏହି ସିରିଜରେ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ସେହିଭଳି ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ପାଣ୍ଡ୍ୟା ଦଳର ନେତୃତ୍ୱ ନେଉଛନ୍ତି । ଏଭଳି ସ୍ଥଳେ ଆଗାମୀ ଦିନରେ ରୋହିତ ଶର୍ମାଙ୍କୁ ଟି-୨୦ ଅଧିନାୟକ ପଦ ଛାଡିବାକୁ ପଡିପାରେ ଓ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ ସାଜିପାରନ୍ତି ।