ଦୋଷୀ ସାବ୍ୟସ୍ତ ହେବା ପରେ ରଦ୍ଦ ହେବ କି ସଦସ୍ୟତା ? ଉପର କୋର୍ଟରେ ମାମଲା ସ୍ଥଗିତ ନ ରହିଲେ କ’ଣ ହେବ ?

277

କନକ ବ୍ୟୁରୋ : ଦୋଷୀ ସାବ୍ୟସ୍ତ ହେବା ପରେ ରଦ୍ଦ ହେବ କି ସଦସ୍ୟତା ? ଉପର କୋର୍ଟରେ ମାମଲା ସ୍ଥଗିତ ନ ରହିଲେ କ’ଣ ହେବ ? ସୁରଟ କୋର୍ଟଙ୍କ ରାୟ ବିରୋଧରେ ରାହୁଲ ହାଇକୋର୍ଟ ଯିବେ । ଆଇପିସିର ଧାରା ୫୦୦ରେ ରାହୁଲ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସଦସ୍ୟତା ରଦ୍ଦ ପାଇଁ ବିଜେପି ଦାବି କରି ଆସୁଛି ।

୪ ବର୍ଷ ତଳ ମାମଲାର ଶୁଣାଣି କରି ଗୁଜରାଟ, ସୁରଟ ସେସନ୍ କୋର୍ଟ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଏହାପରେ ରାହୁଲଙ୍କୁ ୩୦ଦିନର ଜମାନତ ମଧ୍ୟ ମିଳି ଯାଇଛି । ଏହି ଭିତରେ ଉପର ଅଦାଲତରେ ଆବେଦନ କରିବାକୁ ରାହୁଲ ଗାନ୍ଧୀଙ୍କୁ ସମୟ ଦିଆଯାଇଛି । ୨୦୧୯ରେ ଏକ ସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ ରାହୁଲ ।

୧୩ ଏପ୍ରିଲ, ୨୦୧୯ କର୍ଣ୍ଣାଟକ କୋଲାରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବା ସମୟରେ ରାହୁଲ କହିଥିଲେ, ନୀରବ ମୋଦୀ, ଲଲୀତ ମୋଦୀ, ନରେନ୍ଦ୍ର ମୋଦୀ ଏମାନଙ୍କ ସରନେମ୍ କଣ ପାଇଁ ସମାନ ରହିଛି ? ସବୁ ଚୋରଙ୍କ ସରନେମ୍ ମୋଦୀ କାହିଁକି ରହିଥାଏ ? ରାହୁଲ ଗାନ୍ଧୀ ଦେଇଥିବା ଏହି ବିବାଦୀୟ ବୟାନକୁ ନେଇ ବିଜେପି ବିଧାୟକ ପୁର୍ଣ୍ଣେଶ ମୋଦୀ ଏକ ମାନହାନୀ ମକଦ୍ଦମା ଦାୟର କରିଥିଲେ । ଯାହାର ଶୁଣାଣି କରି ଗୁଜାରଟ ସୁରଟ ସେସନ୍ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ତେବେ କୋର୍ଟରେ ଶୁଣାଣି ବେଳେ ରାହୁଲଙ୍କ ଓକିଲ କହିଥିଲେ, ତାଙ୍କ ବୟାନରେ କାହାର କିଛି କ୍ଷତି ହୋଇନାହିଁ । କଂଗ୍ରେସ ସାଂସଦ ଦେଶରେ ସବୁବେଳେ ଭ୍ରଷ୍ଟାଚାର ପ୍ରସଙ୍ଗ ଉଠାଇଥାନ୍ତି । ମାମଲାରେ କେବଳ ଜରିମାନ ଦଣ୍ଡ ଦେବାକୁ କୋର୍ଟଙ୍କୁ ଅପିଲ କରିଥିଲେ ରାହୁଲଙ୍କ ଓକିଲ । ତେବେ କୋର୍ଟ ରାହୁଲଙ୍କୁ ୨ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।