ଆଜି ସରୁଛି ଆଂଶିକ ଲକଡାଉନର ଅବଧି : ଅନଲକ ନେଇ ସଂଧ୍ୟା ସୁଦ୍ଧା ଘୋଷଣା କରିପାରନ୍ତି ରାଜ୍ୟ ସରକାର; ସଂକ୍ରମଣ କମ୍ ଥିବା ୨୧ ଜିଲ୍ଲାରେ କଟକଣା କୋହଳ ସମ୍ଭାବନା

331

କନକ ବ୍ୟୁରୋ : ଖୋଲିବ କି ଓଡିଶା ? ଆସନ୍ତାକାଲି ସକାଳ ୫ଟାରେ ସରକାର ଘୋଷଣା କରିଥିବା ଚତୁର୍ଥ ପର୍ଯ୍ୟାୟ ତଥା ଆଂଶିକ ଲକଡାଉନ ଅବଧି ଶେଷ ହେବା ପାଇଁ ଯାଉଛି । ସାରା ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଏବେ ଗୋଟିଏ ଚର୍ଚ୍ଚା ଅନଲକ ପ୍ରକ୍ରିୟାରେ ଆଉ କିଛି କଟକଣା କୋହଳ ହେବ କି । ଯଦି ହେବ କେଉଁ ଆଧାରରେ, କେଉଁ କେଉଁ ଜିଲ୍ଲାରେ ଓ କେଉଁ ମଡେଲରେ । ଏନେଇ ଆଜି ଅପରାହ୍ଣ ସୁଦ୍ଧା ଘୋଷଣା କରିବେ ସରକାର ।

ଏବେ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ୍ ଜାରି ରହିଥିବା ବେଳେ ଅଧିକ ସଂକ୍ରମଣ ପ୍ରବଣ ଜିଲ୍ଲାଗୁଡିକରେ ଦିନ ଗୋଟାଏ ଯାଏଁ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ଖୋଲୁଛି । ସେହିଭଳି କମ୍ ସଂକ୍ରମଣ ଥିବା ଜିଲ୍ଲା ଗୁଡିକରେ ଅପରାହ୍ଣ ୫ ଯାଏଁ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ରହିଛି । ତେଣୁ ଏ ସମୟ କଟକଣାକୁ ଆଉ ଟିକିଏ କୋହଳ କରାଯିବାର ଯଥେଷ୍ଟ ସମ୍ଭାବନା ଅଛି । ଖୋର୍ଦ୍ଧା, କଟକ, ପୁରୀ, ବାଲେଶ୍ୱର ଓ ମୟୂରଭଂଜ ଭଳି ଜିଲ୍ଲାରେ ଅଧିକ ସଂକ୍ରମଣ ହାର ଥିବାରୁ ସେଠାରେ କଟକଣା ଅଧିକ ରହିପାରେ ।