ସରଗରମ ବିହାର ରାଜ୍ୟ ରାଜନୀତି: ବିଜେପିର ହାତ ଛାଡିବେ କି ନୀତିଶ କୁମାର?

157

କନକ ବ୍ୟୁରୋ: ବିହାର ରାଜନୀତିରେ ହଟଚମଟ ଜାରି ରହିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ଛାଡି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ବିଧାୟକ ଓ ମନ୍ତ୍ରୀଙ୍କ ସହ ଘନଘନ ବୈଠକ କରିବା ସହ ବିଧାୟକଙ୍କୁ ପାଟଣା ବାହାରେ ପାଦ ନ ରଖିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ । ତେବେ ନୀତିଶ କୁମାରଙ୍କ ଏହି ବୈଠକ ବିଜେପି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଅନ୍ୟପଟେ ଆସନ୍ତା ୨୭ ତାରିଖରେ ନୀତିଶ ବିଜେପି ସହ ମେଂଟକୁ ନେଇ କିଛି ବଡ ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି ।

ବିହାର ରାଜନୀତିରେ ହଟଚମଟ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦିନେ କି ଦୁଇ ଦିନ ଭିତରେ ଏକ ବଡ ଫଇସଲା ନେବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି । ଆଉ ଏହି ଫଇସଲା ତାଙ୍କୁ ବିଜେପିଠୁ ଦୂର କରି ପୁରୁଣା ସାଥୀ ଆରଜେଡିର ନିକଟତର କରିପାରେ ବୋଲି କୁହାଯାଉଛି । ରାଜ୍ୟ ରାଜନୀତିରେ ଉଠୁଥିବା ଖବର ଅନୁସାରେ ବିଜେପି ହାତ ଛାଡି ନୀତିଶ କୁଆଡେ ଆରଜେଡି ପାଖକୁ ଫେରିବା ପାଇଁ ବିଚାର କରୁଛନ୍ତି । ଜୁନ ମାସରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ଓ ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନୀତିଶ କୁମାରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଚର୍ଚ୍ଚା ବର୍ତମାନ ବିଜେପିର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସେପଟେ ବିଜେପିକୁ ଡରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ରାମପ୍ରିତ ପାଶେୱାନ ।

ଏହି ଚର୍ଚ୍ଚା ସେତିକି ବେଳେ ଜୋର ଧରିଥିଲା ସୋମବାର ଯେତେବେଳେ ବିଧାୟକଙ୍କୁ କଡ଼ା ନିର୍ଦ୍ଦେଶ ଦେଇ ପାଟଣା ବାହାରେ ଆସନ୍ତା ୭୨ ଘଂଟା ପାଦ ରଖିବାକୁ ବାରଣ କରିଥିଲେ ନୀତିଶ । ସେପଟେ ଦଳର ବିଧାୟକ.ମନ୍ତ୍ରୀଙ୍କ ଘନ ଘନ ବୈଠକ ନୀତିଶଙ୍କ ନୂଆ ଯୋଜନାକୁ ନେଇ ଆଭାସ ଦେଉଛି । ୨୭ ତାରିଖରେ ନୀତିଶ ବିଜେପି ସହ ମେଂଟକୁ ନେଇ କିଛି ବଡ ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି ।

ସୋମବାର ଏହି ଚର୍ଚ୍ଚାକୁ ଅଧିକ ଖୋରାକ ମିଳିଥିଲା ଯେତେବେଳେ ନୀତିଶ ଜାତିଗତ ଜନଗଣନା କରାଯିବା ନେଇ ବଡ ବୟାନ ଦେଇଥିଲେ । ଏହି ଗଣନାକୁ ବିଜେପି ବିରୋଧ କରୁଥିବାବେଳେ ନୀତିଶଙ୍କୁ ଏବେ ଗଣନା କରିବାକୁ ମନ ବଳାଇଛନ୍ତି ।

ବିଜେପି ଓ ନୀତିଶଙ୍କ ମଧ୍ୟରେ ସର୍ମ୍ପକ ପୂର୍ବପରି ମଧୁର ନାହିଁ । ବିହାରରେ ମୁଖ୍ୟମନ୍ତ୍ରୀ ନିତିଶ ଥିଲେ ବି ବିଜେପି ଇସାରାରେ ଶାସନ ଚାଲୁଛି । ଯାହାକୁ ନେଇ ନୀତିଶ ଅସନ୍ତୁ୍ଷ୍ଟ ଥିବା କୁହାଯାଉଛି । ତେଣୁ ଆଗାମୀ ଦିନରେ ମେଂଟକୁ ନେଇ ନୀତିଶ ବଡ ନିଷ୍ପତି ନେବେ ଓ ଲାଲୁ ଯାଦବଙ୍କ ସହ ସର୍ମ୍ପକ ଯୋଡି ନୂଆ ରାଜନୀତି ଯାତ୍ରା ଆରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଛି ।