ବଲାଙ୍ଗୀରରେ କ’ଣ କହିବେ ମୋଦି? କାଲି ଟାର୍ଗେଟରେ ରହିବ କିଏ, ନବୀନ ନା କଂଗ୍ରେସ?

121

କନକ ବ୍ୟୁରୋ : ୨୦ ଦିନ ମଧ୍ୟରେ ଆସନ୍ତାକାଲି ତୃତୀୟ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଲାଙ୍ଗୀରରେ ଏକ ବିଶାଳ ଜନସଭାରେ ଯୋଗ ଦେବାକୁ ଓଡିଶା ଆସୁଛନ୍ତି ମୋଦି । ଯାହା ରାଜ୍ୟ ରାଜନୀତିର ପାରାକୁ ବଢାଇ ଦେଇଛି । ହିନ୍ଦୀଭାଷୀ ଅଞ୍ଚଳରେ ବିଜେପି ଚିତ୍ ମାରିବା ପରେ ଏବେ ଦଳର ଫୋକସରେ ରହିଛି ପୂର୍ବ ଭାରତ । ଖାସକରି ଓଡିଶା ଓ ପଶ୍ଚିମବଙ୍ଗ ରହିଛି ବିଜେପି ରାଡାରରେ । ଆଉ ଏଥିପାଇଁ ଘନ ଘନ ଓଡିଶା ଗସ୍ତ କରୁଛନ୍ତି ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ । ବିଜେପି ମୁଖିଆଙ୍କ ମିଶନ ୧୨୦ ଟାସ୍କକୁ ପୂରଣ କରିବା ସହ ବିଜେଡିକୁ ହଟାଇ ଶାସନ ଗାଦିରେ ବସିବା ପାଇଁ ରାଜ୍ୟ ବିଜେପି ଜୋର ଲଗାଇ ଦେଇଥିବା ବେଳେ ମୋଦି କିନ୍ତୁ ବିଜେଡି ପ୍ରତି ନରମ ଆଭିମୁଖ୍ୟ ପ୍ରଦର୍ଶନ କରି ଆସୁଛନ୍ତି । ଯାହା ଦଳୀୟ କର୍ମୀ ମାନଙ୍କୁ ଶଙ୍କାରେ ପକାଇଛି ।

ପୂର୍ବ ଦୁଇଟି ଗସ୍ତ ସମୟରେ ମୋଦି ବିଜେଡିକୁ ସିଧାସଳଖ ଟାର୍ଗେଟ ନକରି ବୁଲେଇ ବଙ୍କେଇ ତୀର ମାରିଛନ୍ତି । ଗୋଟିଏ ପଟେ ରାଜ୍ୟ ନେତୃତ୍ୱ ବିଜେଡିକୁ ବିଭିନ୍ନ ପ୍ରସଙ୍ଗରେ କାଠଗଡାକୁ ଟାଣୁଥିବା ବେଳେ ଅନ୍ୟପଟେ କେନ୍ଦ୍ରୀୟ ନେତୃତ୍ୱ ନବୀନ ସରକାରକୁ ସିଧାସଳଖ ଟାର୍ଗେଟ କରିବାର ଦେଖିବାକୁ ମିଳୁନାହିଁ । କେନ୍ଦ୍ରର ଯେଉଁ ନେତା ମଧ୍ୟ ଓଡିଶା ଆସୁଛନ୍ତି ସେମାନେ ବିଜେଡିକୁ କମ ଓ କଂଗ୍ରେସକୁ ଅଧିକ ଟାର୍ଗେଟ କରୁଥିବାର ଦେଖିବାକୁ ମିଳୁଛି । ଏହାର ଝଲକ ମୋଦିଙ୍କ ପୂର୍ବ ଦୁଇଟି ଓଡିଶା ଗସ୍ତ ସମୟରେ ଦେଖିବାକୁ ମିଳିଥିଲା । ଯେଉଁଠି ନବୀନ ସରକାର ଉପରେ ମୋଦି ପରୋକ୍ଷରେ ବର୍ଷିଥିବା ବେଳେ କଂଗ୍ରେସକୁ ଡାଇରେକ୍ଟ ଆଟାକ କରିଥିଲେ । ସତେ ଯେମିତି ରାଜ୍ୟରେ କଂଗ୍ରେସ ଏମାନଙ୍କର ପ୍ରମୁଖ ପ୍ରତିଦ୍ୱନ୍ଦୀ ।

NABIN MODIଯେତେବେଳେ ଓଡିଶା ଗସ୍ତ ସମୟରେ ମୋଦି ବିଜେଡି ପ୍ରତି ନରମ ଆଭିମୁଖ୍ୟ ପ୍ରଦର୍ଶନ କରୁଛନ୍ତି ଠିକ୍ ସେଭଳି ସ୍ଥିତିରେ ଶଙ୍ଖ ଦଳର ମୁଖିଆ ବିଜେପି ସରକାରକୁ ଟାର୍ଗେଟ କରିବାକୁ ଟିକିଏ ବି ସୁଯୋଗ ହାତଛଡା କରୁନାହାନ୍ତି । ତେବେ ବିଜେଡି ପ୍ରତି ମୋଦିଙ୍କ ନରମ ଆଭିମୁଖ୍ୟ ପଛରେ ମଧ୍ୟ ଏକ ବଡ କାରଣ ଲୁଚି ରହିଥିବା ଚର୍ଚ୍ଚା ହେଉଛି । ବିଭିନ୍ନ ସର୍ଭେ ରିପୋର୍ଟ ଓ ସାଂପ୍ରତିକ ରାଜନୈତିକ ସ୍ଥିତି ଉପରେ ଯଦି ନଜର ପକାଇବା ତେବେ ୨୦୧୯ରେ ବିଜେପି ପୁଣିଥରେ ଶାସନ କ୍ଷମତାକୁ ଫେରିବା ଏତେ ସହଜ ହୋଇନପାରେ । ବିଜେପି ପାଇଁ ୨୦୧୪ ଭଳି ୨୦୧୯ରେ ସେମିତି କିଛି ଚମତ୍କାର ହୋଇନପାରେ ।

କାରଣ ୨୦୧୪ରୁ ୨୦୧୯ ମଧ୍ୟରେ ଲୋକଙ୍କ ମୁଡରେ ପରିବର୍ତ୍ତନ ଆସିଛି । ମୋଦି ହାୱାରେ ବ୍ରେକ ଲାଗିଛି । ବିଜେପିର କଂଗ୍ରେସ ମୁକ୍ତ ଅଭିଯାନ ରଥ ଅଧା ବାଟରେ ଅଟକିଛି । ସଜ ସଜ ୩ଟି ରାଜ୍ୟର ଶାସନ ଡୋରି ବିଜେପି ହାତରୁ ଖସି ଯାଇଛି । ଆଉ ଏଥି ମଧ୍ୟରୁ ଦୁଇଟି ରାଜ୍ୟ ବିଜେପିର ଗଡ ଭାବେ ପରିଚିତ ହୋଇ ଆସୁଥିଲା । ଏହାଛଡା ୨୦୧୯ ନିର୍ବାଚନ ବିଜେପି ପାଇଁ ଏଥିପାଇଁ ସହଜ ହୋଇନପାରେ କାରଣ ୨୦୧୪ ପରେ ପରେ ଯେପରି ବିଜେପିର ବିଜୟ ରଥ ନନଷ୍ଟପ ଗଡି ଚାଲୁଥିଲା ସେଥିରେ ବ୍ରେକ ଲଗାଇବାକୁ ଏକାଠି ହୋଇଛନ୍ତି ବିରୋଧୀ । ଗୋଟିଏ ପଟେ ମହାମେଣ୍ଟ କରି ବିଜେପିକୁ ରୋକିବାକୁ କଂଗ୍ରେସ ପ୍ରୟାସ ଚଳାଇଥିବା ବେଳେ ଅନ୍ୟପଟେ ୨୦୧୪ରେ ବିଜେପି ସର୍ବାଧିକ ଆସନ ଜିତିଥିବା ଉତ୍ତରପ୍ରଦେଶରେ ହାତ ମିଳାଇଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଅଖିଳେଶ ଓ ମାୟାବତୀ । ଏହାଛଡା ବିଜେପିର ସହଯୋଗୀ ଦଳ ମଧ୍ୟ ଗୋଟିଏ ପରେ ଗୋଟିଏ ଏନଡିଏ ସରକାରର ହାତ ଛାଡୁଥିବା ବେଳେ ଆଉ କିଛି ସହଯୋଗୀ ଦଳ ବିଭିନ୍ନ ପ୍ରସଙ୍ଗକୁ ନେଇ ପଦ୍ମ ଦଳ ଉପରେ ଚାପ ସୃଷ୍ଟି କରୁଛନ୍ତି ।

ଏଭଳି ସ୍ଥିତିରେ ନୂଆ ପାର୍ଟନର ଖୋଜିବା ଅଭିଯାନ ଆରମ୍ଭ କରିଛି ବିଜେପି । ଆଉ ଏହି ପାର୍ଟନର ଖୋଜା ଅଭିଯାନରେ ବିଜେଡି ବିଜେପିର ପ୍ରଥମ ପସନ୍ଦ ଭାବେ ଉଭା ହୋଇଥିବା ଚର୍ଚ୍ଚା ହେଉଛି । ଯଦି ୨୦୧୯ରେ ବିଜେପି ସରକାର ଗଢିବାକୁ ମ୍ୟାଜିଜ ନମ୍ବର ହାସଲ କରିନପାରେ ସେତେବେଳେ ମୋଦିଙ୍କ ପାଇଁ ବିଜେଡି ଟ୍ରମ୍ପକାର୍ଡ ଭାବେ ଉଭା ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବିଜେଡି ଭଳି ଅନ୍ୟ ଆଞ୍ଚଳକି ଦଳକୁ ସାଥୀ କରି ପୁଣିଥରେ ସରକାର ଗଢିବାକୁ ବିଜେପି ଚାଣକ୍ୟ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଶୁଣିବାକୁ ମିଳୁଛି । ତେଣୁ ବିଜେଡି ଉପରେ ଗରମ ନ ହୋଇ ସୁ-ସର୍ମ୍ପକ ସ୍ଥ୍ାପନ କରିବାକୁ ଜୋର ଦେଉଛନ୍ତି କେନ୍ଦ୍ରୀୟ ନେତୃବୃନ୍ଦ । ଆଉ ଏହାର ଝଲକ ମୋଦିଙ୍କ ଭାଷଣରେ ଦେଖିବାକୁ ମିଳୁଛି । ତେବେ ଆସନ୍ତାକାଲି ମୋଦିଙ୍କ ଭାଷଣରେ ସିଧାସଳଖ ନବୀନ ସରକାର ବିରୋଧୀ ସ୍ୱର ଶୁଣିବାକୁ ମିଳିବ କି ନାହିଁ ତାହା ଦେଖିବା ବାକି ରହିଲା ।