କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିବା ପରେ ବିଜେପିରେ ଲୁଲୁସେନା ସାମିଲ ହେବା ନେଇ ଜୋରଧରିଲା ଚର୍ଚ୍ଚା !

53

କନକ ବ୍ୟୁରୋ : ବିଜେପିରେ ସାମିଲ ହେବ କି ଲୁଲୁ ସେନା ? ଏଭଳି କିଛି ଖବର ଏବେ ରାଜଧାନୀରେ ଚର୍ଚ୍ଚା ହେଉଛି । ଗତକାଲି ଲୁଲୁସେନା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଭଞ୍ଜକଳା ମଣ୍ଡପଠାରେ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଘଟଣା ପରେ ରାଜନୈତିକ ମହଲରେ ଏବେ ଲୁଲୁ ସେନାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।
ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ଅବସରରେ ବକ୍ସି ପରିବାରଙ୍କୁ ସମର୍ଦ୍ଧନା ଦେଇଥିବାରୁ ଏହି ପ୍ରତିସମ୍ବର୍ଦ୍ଧନା ଦିଆଯାଇଛି ବୋଲି ଲୁଲୁସେନା ପକ୍ଷରୁ କୁହାଯାଇଛି । ରାଜନୀତିକୁ ଆସିଲେ ମାମୁଁ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆସିବେ ବୋଲି ଲୁଲୁଙ୍କ ଝିଅ ଉପାସନା କହିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପାଇଁ ବହୁତ କିଛି କରିଛନ୍ତି ବୋଲି ସେ କହିଛନ୍ତି ।

ସେପଟେ ଲୁଲୁଙ୍କ ଭାଇ ଏହାକୁ ଭିନ୍ନ ଅର୍ଥରେ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଲୁଲୁସେନା ସହ ଆଲୋଚନା କରି ବିଜେପି ସହ ଯିବା କଥା ଚିନ୍ତା କରିବୁ । ଯଦି ସମସ୍ତେ ଚାହିଁବେ ତାହେଲେ ଲୁଲୁସେନା ତାହା ହିଁ କରିବ । ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇ ଧର୍ମେନ୍ଦ୍ର କହିଛନ୍ତ,ି ‘ଓଡିଶାକୁ ପରିବର୍ତନ କରିବାକୁ ହେଲେ ଲୁଲୁସେନାର ଗୁରୁ ଦାୟିତ୍ୱ ରହିଛି’ । ଧମେନ୍ଦ୍ରଙ୍କ ଏଭଳି ବୟାନ ପରେ ଏବେ ଲୁଲୁ ସେନା ଉପରେ ସମସ୍ତଙ୍କ ନଜର ରହିଛି ।

ଗତବର୍ଷ ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ମୃତ୍ୟୁ ପରେ ତାଙ୍କୁ ଭଲପାଉଥିବା କିଛି ସମର୍ଥକ ଲୁଲୁ ସେନା ନାଁରେ ଏକ ସଂଗଠନ ଆରମ୍ଭ କରିଥିଲେ ।  ଗତକିଛି ଦିନ ପୂର୍ବେ ଶ୍ରୀଜଗନ୍ନାଥଙ୍କ ଉପରେ ଆଶାଳୀନ ମନ୍ତବ୍ୟ ଦେଇଥିବା ହାସ୍ୟ ଅଭିନେତା ପପୁ ପମପମଙ୍କ ଉପରେ କାଳିମାଡ କରି ଲୁଲୁ ସେନା ଚର୍ଚ୍ଚାକୁ ଆସିଥିଲା ।