କନକ ବ୍ୟୁରୋ : ଚେନ୍ନାଇ ସୁପର କିଙ୍ଗସ ରେକର୍ଡ ୫ମ ଥର ପାଇଁ ଆଇପିଏଲ ଚାମ୍ପିୟନ ହୋଇଛି । ଆଉ ଚେନ୍ନାଇକୁ ଏହି ବିଜୟ ଭେଟି ଦେଇଛନ୍ତି କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନୀ । ତେବେ ଆଗାମୀ ସିଜିନରେ ଧୋନୀଙ୍କୁ ଆଇପିଏଲରେ ଦେଖିବାକୁ ମିଳିବ କି ନାହିଁ ତାହାକୁ ଏବେ ଚର୍ଚ୍ଚା ଜୋର ଧରିଥିଲା । ଯାହା ଉପରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ଧୋନୀ । କିନ୍ତୁ ଏବେ ଚେନ୍ନାଇ ସୁପର କିଙ୍ଗସ ଏମିତି ଏକ ଭିଡ଼ିଓ ସେୟାର କରିଛି ଯାହାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି ।

Advertisment

ଚେନ୍ନାଇ ସୁପର କିଙ୍ଗସର ସୋସିଆଲ ମିଡ଼ିଆ ପେଜରେ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ଏକ ଭିଡ଼ିଓ ସେୟାର କରାଯାଇଛି । ଯେଉଁଥିରେ କ୍ୟାପସନରେ ଉଲ୍ଲେଖ ଅଛି, ଓହୋ କ୍ୟାପଟେନ, ମାଇଁ କ୍ୟାପଟେନ ।  ଏହି ଭିଡ଼ିଓରେ ଧୋନୀ ସିଢି ଉପରକୁ ଚଢୁଥିବାର ଦେଖିବାକୁ ମିଳିଛି । ଏହାସହ ଭିଡ଼ିଓରେ ଧୋନୀଙ୍କ ବ୍ୟାଟିଂ ଠାରୁ ଆରମ୍ଭ କରି ୱିକେଟକିପିଂ, ଟସ୍ ପକାଇବାର ଫଟୋ ଦେଖିବାକୁ ମିଳିଛି । ତେବେ ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ କ୍ରିକେଟପ୍ରେମୀଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, କଣ ଧୋନୀ ସତରେ ଆଇପିଏଲରୁ ସନ୍ୟାସ ନେଉଛନ୍ତି । ତେବେ ଏନେଇ ସିଏସକେ କିମ୍ବା ଧୋନୀଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ବୟାନ ଆସିନି ।

ଆଇପିଏଲ ୨୦୨୩ରେ ଧୋନୀଙ୍କ ଆଣ୍ଠୁରେ ଯନ୍ତ୍ରଣା ହେଉଥିଲା । ଯେଉଁଥିପାଇଁ ଧୋନୀ ନିଜେ ନିମ୍ନକ୍ରମରେ ବ୍ୟାଟିଂ ଆସୁଥିଲେ । ଏପରିକି ଟିମକୁ ଚାମ୍ପିୟନ କରିବା ପରେ ଧୋନୀ ମୁମ୍ବାଇରେ ନିଜର ଆଣ୍ଠୁ ସର୍ଜରୀ ମଧ୍ୟ କରିଥିଲେ । ଏହାଭିତରେ  ଆଣ୍ଠୁ ସର୍ଜରୀ ସଫଳ ହୋଇଛି । କିନ୍ତୁ ସିଏସକେ ହଠାତ୍ ଏଭଳି ଭାବବିହ୍ୱଳ ଭିଡ଼ିଓ ସେୟାର କରିବା ପରେ ଧୋନୀଙ୍କୁ ନେଇ ବିଭିନ୍ନ ପ୍ରକାର ଆକଳନ କରାଯାଉଛି ।