ଅକ୍ଟୋବରରେ ଆସିବ କି ଆମେରିକାର କରୋନା ଟିକା ? ଭ୍ୟାକ୍ସିନ ଦେବା ପାଇଁ ପ୍ରସ୍ତୁତ ରହିବାକୁ ଆମେରିକାର ସଜବାଜ, ଦୁଇଟି ଟିକା ଉପରେ ଫୋକସ୍ ।

550

କନକ ବ୍ୟୁରୋ : ବିଧିବଦ୍ଧ ଭାବେ ଟୀକା ଆଣିବା ପୂର୍ବରୁ ଲୋକଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଆମେରିକା । ଅକ୍ଟୋବର ଶେଷ ଆଡ଼କୁ କରୋନା ଭ୍ୟାକ୍ସିନ ଦେବା ପାଇଁ ପ୍ରସ୍ତୁତ ରହିବାକୁ ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର, ସେଠିକାର ଜନସ୍ୱାସ୍ଥ୍ୟ ବିଭାଗ କହିଛି । ଏଥିରେ କରୋନାର ଦୁଇ ପ୍ରକାର ଟିକା କଥା କୁହାଯାଇଛି । ଯାହା ପ୍ରଥମେ ଜରୁରୀକାଳିନ ସେବାରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଦିଆଯିବ । ଟିକା ଆସିବା ପୂର୍ବରୁ ଟିକା ଦେବା ନେଇ ଆମେରିକାର ଯୋଜନା ଏଥିପାଇଁ ଚର୍ଚ୍ଚା ବଢ଼ାଇଛି କାରଣ, ଆଗାମୀ ଦିନରେ ନିର୍ବାଚନକୁ ସାମ୍ନା କରିବାକୁ ଯାଉଛନ୍ତି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ।

କେବେ ଆସିବ କରୋନା ଟିକା ତାକୁ ନେଇ ଚର୍ଚ୍ଚା ବଢୁଥିବା ବେଳେ ନ୍ୟୁୟର୍କ ଟାଇମ୍ସ ଏବଂ ସିଏନଏନ୍ ଭଳି କିଛି ପ୍ରତିଷ୍ଠିତ ଅର୍ନ୍ତଜାତୀୟ ଗଣମାଧ୍ୟମ ସଂସ୍ଥାରେ ପ୍ରକାଶିତ ଏହି ରିପୋର୍ଟ ସାମ୍ନାକୁ ଆଣିଛି ଅନେକ ପ୍ରଶ୍ନ ?

ଅକ୍ଟୋବରରେ ଆସିବ କି ଆମେରିକା ଭ୍ୟାକ୍ସିନ୍ ? ଭ୍ୟାକ୍ସିନ ଦେବା ପାଇଁ କାହିଁକି ପ୍ରସ୍ତୁତ ହେଉଛି ଆମେରିକା ? ଏକାଧିକ ଅର୍ନ୍ତଜାତୀୟ ଏବଂ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର ସିଡିସି ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛିି, ଅକ୍ଟୋବର ଶେଷ ଆଡ଼କୁ କରୋନା ଭ୍ୟାକ୍ସିନ ଦେବା ପାଇଁ ପ୍ରସ୍ତୁତ ରୁହନ୍ତୁ । ଆମେରିକାର ବଡ଼ ବଡ଼ ସହର ଏବଂ ପ୍ରଦେଶର ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏନେଇ ସୂଚନା କରାଯାଇଛି । ଆମେରିକା ଟିକା ପ୍ରସ୍ତୁତ କରିଥିବା ନେଇ ବିଧିବିଦ୍ଧ ଘୋଷଣା କରିନଥିବା ବେଳେ ଟିକା ଦେବା ପାଇଁ ପ୍ରସ୍ତୁତ ରହିବାକୁ କହିବା, ଚର୍ଚ୍ଚାକୁ ବଢ଼ାଇ ଦେଇଛି । ପ୍ରକାଶିତ ରିପୋର୍ଟ ଅନୁସାରେ,

– ଏଥିରେ ଦୁଇ ପ୍ରକାର ଟିକା କଥା କୁହାଯାଇଛି ଭ୍ୟାକ୍ସିନ୍-ଏ ଏବଂ ଭ୍ୟାକ୍ସିନ୍-ବି
– ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ଜରୁରୀସେବାରେ ନିଯୁକ୍ତ କର୍ମଚାରୀ, ଜାତୀୟ ସୁରକ୍ଷାରେ ନିୟୋଜିତ କର୍ମଚାରୀଙ୍କୁ ଏହି ଟୀକା ଦେବାକୁ କୁହାଯାଇଛି

ବଡ଼ କଥା ହେଉଛି ଏହି ଟିକା ସମ୍ପର୍କରେ ସଂପୂର୍ଣ୍ଣ ବିବରଣୀ ଦିଆଯାଇ ନାହିଁ । ଏପଟେ ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ରର ନିର୍ଦ୍ଦେଶକ ରୋବର୍ଟ ରେଡଫିଲ୍ଡ କହିଛନ୍ତି, ଏହା କେବଳ ପ୍ରସ୍ତୁତି ପାଇଁ ଉଦ୍ଦିଷ୍ଟ । ଆଗାମୀ ଦିନରେ ଗୋଟିଏ କିମ୍ବା ଦୁଇଟି ଟୀକା ଆସୁଛି । ଏହାକୁ ଦୃଷ୍ଟିରେ ରଖି କେମିତି ଟିକାକୁ ଠିକ୍ ଭାବରେ ପହଂଚାଇ ହେବ ସେଥିପାଇଁ ଏହି ପ୍ରସ୍ତୁତି । ଆମେରିକା ସାରା କେମିତି ଠିକ୍ ଢ଼ଙ୍ଗରେ ଟିକା ପହଂଚାଇ ହେବ ସେଥି ପ୍ରତି ଯତ୍ନଶୀଳ ଅଛୁ ।

ବିଧିବଦ୍ଧ ଭାବେ ଟିକା ଆସିବା ପୂର୍ବରୁ ଟିକା ଦେବା ପାଇଁ ପ୍ରସ୍ତୁତି କରିବା ଏଥିପାଇଁ ଚର୍ଚ୍ଚା ବଢ଼ାଉଛି କାରଣ ଆଗାମୀ ଦିନରେ ନିର୍ବାଚନକୁ ସାମ୍ନା କରିବାକୁ ଯାଉଛନ୍ତି ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ । ଆଉ ଏଭଳି ପଦକ୍ଷେପ ଭିତରେ ଅନେକ ରାଜନୀତିର ଗନ୍ଧ ଥିବା ନେଇ ବି ଚର୍ଚ୍ଚା କରୁଛନ୍ତି ।