ତାଇୱାନକୁ ଆକ୍ରମଣ କରିବ କି ଚୀନ୍? ବଡ଼ ରିସ୍କ ନେବାକୁ ଚାହିଁବେ କି ଜିନପିଙ୍ଗ ପଢନ୍ତୁ …

167

କନକ ବ୍ୟୁରୋ: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ ୱେନ । ଜିନପିଙ୍ଗ ପଣ କରିଛନ୍ତିି ତାଇୱାନକୁ ଚୀନରେ ମିଶାଇବାକୁ ସେ ସବୁ କିଛି କରିବେ । ଏନେଇ ସେ ଏକାଧିକ ବାର ନିଜ ଭାଷଣରେ ମଧ୍ୟ କହିଛନ୍ତି । ସେପଟେ ତାଇୱାନ ରାଷ୍ଟ୍ରପତି କହିଛନ୍ତି ଯେ, ସାର୍ବଭମତ୍ୱ ରକ୍ଷା ପାଇଁ ତାଙ୍କ ଦେଶ ସବୁପ୍ରକାର ଚେଷ୍ଟା କରିବ । ହେଲେ ଏସବୁ ଭିତରେ ସବୁଠୁ ବଡ଼ ପ୍ରଶ୍ନ ତାଇୱାନକୁ ଆକ୍ରମଣ କରିବ କି ଚୀନ୍? ତେବେ ତାଇୱାନକୁ ଆକ୍ରମଣ କରିବା ପୂର୍ବରୁ କେତେ ଲାଭ ଓ କେତେ କ୍ଷତି, ତାର ନିଶ୍ଚୟ ଆକଳନ କରିବ ଚୀନ୍

ଅନ୍ୟ ଏକ ବଡ଼ ପ୍ରଶ୍ନ ହେଲା, ଯଦି ତାଇୱାନ ଉପରେ ଚୀନ୍ ଆକ୍ରମଣ କରେ, ତାହେଲେ ଆମେରିକାର ଭୂମିକା କ’ଣ ରହିବ? କାରଣ ଆମେରିକାର ସହଯୋଗ ବିନା ଚୀନ୍ ଆକ୍ରମଣର ମୁକାବିଲା କରିବା ତାଇୱାନ ପକ୍ଷରେ କଷ୍ଟକର ହୋଇପଡ଼ିବ । ହେଲେ ବିଶେଷଜ୍ଞଙ୍କ କହିବା କଥା ୟୁକ୍ରେନ ଘଟଣା ପରି ଆମେରିକା ତାଇୱାନକୁ ଅସ୍ତ୍ରଶସ୍ତ୍ର ଓ ଆର୍ଥିକ ସହଯୋଗ ଯୋଗାଇବ, ହେଲେ ଆମେରିକା ସୈନିକ ଚୀନ୍ ବିରୋଧରେ ସିଧାସଳଖ ଯୁଦ୍ଧ କରିବାର ସମ୍ଭାବନା ଖୁବ୍ କମ୍ । ହେଲେ ଚୀନର ବିରୋଧକୁ ବେଖାତିର କରି ନାନ୍ସି ପେଲୋସିଙ୍କ ଗସ୍ତ ସଙ୍କେତ ଦେଇଛି ଯେ, ତାଇୱାନର ଲୋକତନ୍ତ୍ର ସପକ୍ଷରେ ରହିଛି ଆମେରିକା ।

ଯଦି ଯୁଦ୍ଧ ହୁଏ, ଏହାର ପ୍ରଭାବ କେବଳ ଚୀନ୍ ଓ ତାଇୱାନ ଉପରେ ସୀମିତ ରହିବ ନାହିଁ, ବରଂ ସାରା ବିଶ୍ୱରେ ଏହାର ପ୍ରଭାବ ଦେଖାଯିବ । ଆର୍ଥିକ କ୍ଷେତ୍ରରେ ତାଇୱାନ ଏକ ବଡ଼ ଶକ୍ତି । ମୋବାଇଲ ଓ ଅନ୍ୟ ଇଲେକଟ୍ରୋନିକ୍ସ ସାମଗ୍ରୀରେ ଲାଗୁଥିବ ସେମିକଣ୍ଡକଟର ଓ ଚିପସ୍ ବନାଇବାରେ ତାଇୱାନର ବିଶ୍ୱର ଏକ ନମ୍ବର ଦେଶ । ତେଣୁ ଚୀନ୍ ଯଦି ଆକ୍ରମଣ କରେ, ତାହେଲେ ତାଇୱାନର ଏହି ଶିଳ୍ପ ଗଭୀର ଭାବେ ପ୍ରଭାବିତ ହେବ, ଆଉ ଏହାର ପ୍ରଭାବ ସାରା ବଶ୍ୱ୍ୱରେ ପଡ଼ିବ । ଏହା ସହ ଚୀନ୍ ବିଶ୍ୱର ଏକ ପ୍ରମୁଖ ରପ୍ତାନୀକାରୀ ଦେଶ । ଏଠାରୁ ବିଶ୍ୱର ଅନେକ ରାଷ୍ଟକୁ ବହୁ ପ୍ରକାର ଜିନିଷ ରପ୍ତାନୀ ହୋଇଥାଏ । ଯୁଦ୍ଧ ହେଲେ ସପ୍ଲାଏ ଚେନ୍ ବା ଯୋଗାଣ ଶୃଙ୍ଖଳରେ ବାଧା ଉପୁଜି । ଏହାଯୋଗୁଁ ବିଭିନ୍ନ ଜିିନିଷର ଦରବୃଦ୍ଧି ହେବ । ଏସବୁ ସ୍ଥିତିରେ ଏବେ ମନ୍ଥର ହୋଇପଡ଼ିଥିବା ବିଶ୍ୱ ଅର୍ଥନୀତି ମାନ୍ଦାବସ୍ଥା ଆଡ଼କୁ ମୁହାଁଇବାର ଆଶଙ୍କା ରହିଛି