ପେଟ ଯାଉଛି ପୋଡି, ଲାଜ କରି କି ଲାଭ… ସ୍ୱାମୀ ପକ୍ଷାଘାତରେ ପଡିବା ପରେ ଘରୁ ପାଦ କାଢିଛନ୍ତି ମହିଳା । ପରିବାର ପେଟରେ ଦାନା ଦିମୁଠା ଦେବାକୁ ଦହିବରାକୁ କରିଛନ୍ତି ସାହାରା…

419

କନକ ବ୍ୟୁରୋ: ଯେତବେଳେ ପେଟ ପୋଡି ଯାଉଛି, ସେତେବେଳେ ଲାଜ କରି କି ଲାଭ । ଭୋକର ଜ୍ୱାଳାରେ ଯେତେବେଳେ ଜୀବନ ଜଳି ଯାଉଛି, ଆଖି ଆଗରେ ପରିବାର ଲୋକେ ଆଉଟୁପାଉଟୁ ହେଉଛନ୍ତି ସେଠି ବା ଏ ଲାଜର ମାନେ କଣ ? ଲୁହ ପିଇ ଲକ୍ଷ୍ମଣରେଖା ଭିତରେ ରହିବା ଠାରୁ ବରଂ ଏରୁଣ୍ଡି ଡେଇଁ ଦିପଇସା ରୋଜଗାର କରିବା ଭଲ । ସେଇଥିପାଇଁ ଘରୁ ବାହାରି ରାସ୍ତା କଡରେ ଦହିବରା ବିକୁଛନ୍ତି ଏ ମହିଳା ଜଣଙ୍କ । ପରିବାର ପେଟରେ ଦାନାଗଣ୍ଡେ ଦେବାକୁ, ଦୁଃଖ ଭିତରେ ଭାତ ମୁଠେ ଖାଇବାକୁ ସବୁ ଲାଜକୁ ଲକଡାଉନ କରି ସାଇକେଲ ଧରି ସଙ୍ଘର୍ଷ କରୁଛନ୍ତି ।

ନାଁ- ଅନିତା ସାହୁ । ପୁରୀ ଛପନଛକରେ ଭଡାଘରେ ରହୁଛନ୍ତି । ସ୍ୱାମୀ ଜିତେନ୍ଦ୍ର ସାହୁ ପକ୍ଷାଘାତରେ ପୀଡିତ ହୋଇ ରୋଗଶଯ୍ୟାରେ ଶୋଇଛନ୍ତି । ସ୍ୱାମୀଙ୍କୁ ପାରାଲିସିସ ହେବା ପରେ ଏବେ ପରିବାରର ଦାୟିତ୍ୱ ଅନିତାଙ୍କ ଉପରେ । ଘରେ ଦୁଇ ଦୁଇଟି ଝିଅ, ଶାଶୁ ଶ୍ୱଶୁର ଆଉ ନିଜକୁ ମିଶାଇଲେ ମୋଟ ୬ ଜଣ । ନୟାଗଡ ଇଟାମାଟିରୁ ଆସି ପୁରୀରେ ସ୍ୱାମୀ ସାଇକେଲ ମରାମତି ଦୋକାନଟେ କରିଥିଲେ ଯେଉଁଥିରେ ପେଟକୁ ଖାଇବାକୁ ଗଣ୍ଡେ ମିଳିଯାଉଥିଲା ହେଲେ ଏବେ ସ୍ୱାମୀ ରୋଗାଗ୍ରସ୍ତ ହେବା ପରେ କେମିତି ଚଳିବ ପରିବାର, କେମିତି ବଞ୍ଚିବ ୬ଟି ଜୀବନ । ସେହି ଚିନ୍ତାରେ ଥିବା ଅନିତା ଶେଷରେ ଦହିବରାକୁ ସାହାରା କରିଛନ୍ତି ।

ରାତି ପାହିବା କ୍ଷଣି ରାସ୍ତାକଡୁକୁ ବାହାରି ଆସନ୍ତି ଅନିତା । ସାଇକେଲ ଆଗରେ ଦୁଇଟି ବଡ ବଡ ହାଣ୍ଡିରେ ଦହିବରା ଆଳୁଦମ ଧରି ବୁଲି ବୁଲି ବିକ୍ରି କରନ୍ତି । କେଉଁଦିନ ୧୦୦ ଟଙ୍କା ହୁଏ ତ କେଉଁଦିନ ୫୦୦ ରୋଜଗାର । ସେତିକି ଟଙ୍କାରେ ପୁରୀ ଭଳି ଜାଗାରେ ଘରଭଡା ସହ ୬ ଜଣଙ୍କୁ ଚଳାନ୍ତି ଅନିତା । ଖରାତରାରେ ନିଜକୁ ସିଝାଇ ପରିବାର ମୁହଁରେ ମୁଠେ ଖାଦ୍ୟ ଦିଅନ୍ତି ଏ ମହିଳା ଜଣଙ୍କ ।

ପରିସ୍ଥିତି ସେତିକି ବାଧ୍ୟ ନକଲେ, ସମୟ ସେତିକି ନିଷ୍ଠୁର ନହେଲେ ସାଧାରଣ ଗାଁ ଗହଳିର ମହିଳା ଜଣେ ରାସ୍ତାକୁ ଓହ୍ଲାଏନି । ଯଦିଓ ଓଢଣା ଭିତରେ ରହିବାର ଜମାନା ଗଲାଣି, ମହିଳାମାନେ ସ୍ୱାବଲମ୍ବୀ ହୋଇ ଘରୁ ଗୋଡ କାଢିଲେଣି । କିନ୍ତୁ ଅନିତାଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅଲଗା । ଏଠି ମହିଳାଟିଏ ଏରୁଣ୍ଡି ଡେଉଁଛି ସ୍ୱାମୀକୁ ବଞ୍ଚାଇବାକୁ, ପରିବାର ଚଳାଇବାକୁ ଆଉ ପିଲାଙ୍କ ଭବିଷ୍ୟତ ଗଢିବାକୁ…