ହସ୍ପିଟାଲରେ ମରଣ ସହ ଲଢେଇ କରୁଛି ସ୍ୱାମୀ । ଜୀବନ ବଞ୍ଚାଇବାକୁ କୁନି ପୁଅକୁ ଧରି ଘର ଘର ବୁଲି ସ୍ତ୍ରୀ ମାଗୁଛି ଭିକ ।

277

କନକ ବ୍ୟୁରୋ: କାଖରେ କଅଁଳା ପୁଅ, ଛାତିରେ ଛାତିଏ କୋହ, ଆଖିରୁ ଅନବରତ ଝରୁଛି ଲୁହ । ମୃତ୍ୟୁ ସହ ଅହରହ ଲଢେଇ କରୁଥିବା ସ୍ୱାମୀର ଜୀବ ବଞ୍ଚାଇବାକୁ ଘର ଘର ବୁଲି କାନି ପତାଉଛି ସ୍ତ୍ରୀ । ପାଟିରେ ଗୋଟିଏ ବିକଳ ପ୍ରାର୍ଥନା ମୋ ସ୍ୱାମୀଙ୍କୁ ଫେରାଇଆଣ, ମୋ ସ୍ୱାମୀଙ୍କୁ ଭଲ କରିଦିଅ । ତାଙ୍କ ଛଡା ମୋର ଆଉ କେହି ନାହିଁ । ମୋତେ ଦୟାକର । ଏପରି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜଳେଶ୍ୱର ବ୍ଲକ ଦେଉଳା ଗାଁରେ ।

ଶଙ୍ଖା ସିନ୍ଦୁର ପାଇଁ କାନ୍ଦି କାନ୍ଦି ଭିକ ମାଗୁଛନ୍ତି ମାମିନା । ମାମିନାର ବିକଳ ଦେଖି କାନ୍ଦ କାନ୍ଦୁଛି ସାରା ଗାଁ । ହସ୍ପିଟାଲରେ ମରଣ ସହ ସଂଗ୍ରାମ କରୁଛି ସ୍ୱାମୀ । ସ୍ୱାମୀକୁ ବଞ୍ଚାଇବାକୁ ଘର ଘର ବୁଲି ଭିକ୍ଷା ମାଗୁଛି ସ୍ତ୍ରୀ । ଏକଥା ଦେଖି କାହା ଛାତି ବା ସହିବ ।

ଦେଉଳା ଗାଁର ସୁଶୀଲ ସେଠୀ ନିଜ ପରିବାର ପାଇଁ ବମ୍ବେ ଯାଇ ସେଠାରେ କାମ ସେଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସରଳ ସ୍ୱଭାବ ଯୋଗୁଁ ସୁଶୀଲ ଗାଁ ଲୋକଙ୍କର ଭାରି ପ୍ରିୟ ଥିଲେ । ପିଲାଟି ଦିନରୁ ବାପା, ମା’ଙ୍କୁ ହରାଇଥିବା ସୁଶୀଲ ୨ ବର୍ଷ ତଳେ ମାମିନାଙ୍କୁ ବିବାହ କରିଥିଲେ । ଦଶମାସର ପୁଅ ଓ ସ୍ତ୍ରୀକୁ ନେଇ ବେଶ୍ ହସଖୁସିରେ ଚାଲିଥିଲା ସୁଶୀଲଙ୍କ ଜୀବନ । ହେଲେ ହଠାତ୍ ଘୋଟି ଆସିଲା କଳାବାଦଲ । କିଛି ଦିନ ପୂର୍ବରୁ ହଠାତ୍ ସୁଶୀଲଙ୍କ ଉଚ୍ଚ ରକ୍ତଚାପ ବଢିଯିବା କାରଣରୁ ସୁଶୀଲଙ୍କର ବ୍ରେନ୍ ହାମ୍ରେଜ୍ ହୋଇଥିଲା । ତାଙ୍କର କୋମା ପରି ପରିସ୍ଥିତି ହୋଇଗଲା । ସେଠାରେ ତାଙ୍କ ସାଙ୍ଗସାଥୀମାନେ ସୁଶୀଲଙ୍କୁ ତୁରନ୍ତ ନେଇ ମୁମ୍ବାଇ ତନୱାର ହସ୍ପିଟାଲରେ ଭର୍ତ୍ତି କରାଇଲେ । ସୁଶୀଲଙ୍କୁ ଠିକ୍ କରିବାକୁ ହେଲେ ଏକ ଅସ୍ତ୍ରୋପଚାର ଦରକାର ବୋଲି କହିଥିଲେ ଡାକ୍ତର, ଯାହାପାଇଁ ପାଖାପାଖି ୧୫ରୁ ୨୦ ଲକ୍ଷ ଟଙ୍କା ଆବଶ୍ୟକ । ଏକଥା ଶୁଣିବା ପରେ ନିଜର ସବୁ ଗହଣା ବିକି ସେଠାକୁ ଟଙ୍କା ପଠାଇଲେ ମାମିନା । ହେଲେ ଏତେ ଟଙ୍କା ଆଉ ଯୋଗାଡ କରିବାକୁ ସମର୍ଥ ନାହିଁ । ତେଣୁ କୁନି ପୁଅକୁ କାଖରେ ଜାକି ଘର ଘର ବୁଲି ନିଜ ଶଙ୍ଖା ସିନ୍ଦୁ ବଞ୍ଚାଇବାକୁ ମାଗୁଛନ୍ତି ଭିକ ।

ମାମିନାଙ୍କ ବୁକୁଫଟା କାନ୍ଦ ଦେଖି ଗାଁ ଲୋକଙ୍କ ଆଖି ବି ବୋଲ ମାନୁନି । କି ପୁରୁଷ କି ମହିଳା ସମସ୍ତେ ବାହୁନି ବାହୁନି କାନ୍ଦୁଛନ୍ତି । ଖାଲି ମାମିନା ନୁହଁନ୍ତି ଗାଁ ସାରା ଲୋକେ ମାଗୁଛନ୍ତି ସୁଶୀଲଙ୍କ ପାଇଁ ସାହାଯ୍ୟ ।ଯଦି ସରକାର କିମ୍ବା କୌଣସି ଦ୍ସହୃଦୟ ବ୍ୟକ୍ତି ସୁଶୀଲଙ୍କୁ ସାହାଯ୍ୟ କରିବାକୁ ଚାହାଁନ୍ତି ଏଥିପାଇଁ ଠିକଣା
ସୁଶୀଲଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ ଠିକଣା:
ଫୋନ ନଂ-୬୨୯୦୩୮୪୦୯୬
ବ୍ୟାଙ୍କ ଆକାଉଣ୍ଟ ନଂ -୬୦୨୧୦୦୧୩୮୧୩୩୫୭
ଆଇଏଫଏସସି କୋଡ୍- ୭୫୬୭୫୦୨୦୨