ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାମୀଙ୍କ ପ୍ରେମିକାକୁ ମାଡ ଘଟଣାରେ ନୂଆ ମୋଡ : ଥାନାରେ ଏତଲା ଦେଲେ ଯୁବତୀ

50

କନକ ବ୍ୟୁରୋ : ଭୁବନେଶ୍ୱର ବିମାନ ବନ୍ଦର ସମ୍ମୁଖରେ ଜଣେ ବ୍ୟକ୍ତିଙ୍କ ତଥାକଥିତ ପ୍ରେମିକାଙ୍କୁ ସ୍ତ୍ରୀ ମାଡ ମାରିବା ଘଟଣା ବେଶ୍ ଚର୍ଚାରେ ରହିଥିଲା । ଏବେ ଏହି ଘଟଣାରେ ଆସିଛି ନୂଆ ମୋଡ । ମାଡ ଖାଇଥିବା ମହିଳା ଜଣକ ଏନେଇ ଏବେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଏହା ପଛରେ ଏକ ଅପହରଣର କାହାଣୀ ଲୁଚି ରହିଥିବା ସେ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି, ତାଙ୍କୁ ବିମାନବନ୍ଦର ସମ୍ମୁଖରୁ ଅପହରଣ କରାଯାଇଥିଲା । ପାଖରେ ଥିବା ସମସ୍ତ ଜିନିଷ ଛଡାଇ ନେବା ସହ, ଲକ୍ଷ୍ମୀସାଗର ଅଂଚଳରେ ଏକ ବନ୍ଦ ଘରେ, ସାଢେ ୩ ଘଂଟା ଧରି ଯୁବତୀଙ୍କୁ ବନ୍ଦି କରି ରଖାଯାଇଥିଲା ବୋଲି ନିଜ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ୧୬ ତାରିଖ ଦିନ ୨ଟାରେ ବାଙ୍ଗାଲୁରୁରୁ ଫେରିବା ବେଳେ ଏହି ଘଟଣା ଘଟିଥିବା ନିଜ ଏତଲାରେ ଉଲ୍ଲେଖ କରିଛନ୍ତି । ଏବଂ କିଛି ଗୁଣ୍ଡା ତାଙ୍କ ଘର ସମ୍ମୁଖରେ ଜଗି ରହିବାରୁ ସେ ଘରୁ ବାହାରି ପାରିବା ନଥିଲେ ଏବଂ ଏବେ ସ୍ପିଡ ପୋଷ୍ଟ ମାଧ୍ୟମରେ ଅଭିଯୋଗ କରିଛନ୍ତି ।

ତେବେ ଘଟଣାକୁ କମିଶନରେଟ ପୁଲିସ ଗୁରୁତର ସହ ନେଇଛି । ଭୁବନେଶ୍ୱର ଡିସିପି ଏହି ଅଭିଯୋଗ ପାଇବା ପରେ, ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏୟାରଫିଲ୍ଡ ଥାନାକୁ କହିଛନ୍ତି । ସେପଟେ ଏହି ଘଟଣା ଏବେ ରୋଚକ ମୋଡ ନେଇଛି । ନିଜ ସ୍ତ୍ରୀ ବିରୋଧରେ ଅଭିଯୋଗ କରିଛନ୍ତି ସ୍ୱାମୀ । ବିମାନବନ୍ଦର ସମ୍ମୁଖରେ ତାଙ୍କ ସ୍ତ୍ରୀ ଜଣେ ରାଜନେତା ଓ କିଛି ଗୁଣ୍ଡାଙ୍କ ସହ ଆକ୍ରମଣ କରି ତାଙ୍କ ଲାପଟପ୍ ଓ ଅନ୍ୟ ସାମଗ୍ରୀ ଛଡାଇ ନେଇଥିବା ସେ ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଏପରିକି ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ନିଜ ଏତଲାରେ ଲେଖିଛନ୍ତି ।