ବିଧବା ମାଆର ସଂଘର୍ଷର କାହାଣୀ । ଏକା ସଙ୍ଗେ ତିନି ଝିଅଙ୍କୁ କଲେ ଅଫିସର

73

ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କାଲାମ କହିଥିଲେ, “ସ୍ୱପ୍ନ ଦେଖ, ଆଉ ସ୍ୱପ୍ନକୁ ସାକାର କରିବା ପାଇଁ ନିଷ୍ଠାର ସହ କଠିନ ପରିଶ୍ରମ କର ।” ଏହି ଉକ୍ତିକୁ କେହି ମାନୁ କି ନମାନୁ କିନ୍ତୁ ଜଣେ ବିଧବା ମହିଳା ମାନିଛନ୍ତି ଆଉ ନିଜ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିପାରିଛନ୍ତି ।

ନିଜ ଜମିରେ କଠିନ ପରିଶ୍ରମ କରି ନିଜର ତିନି ଝିଅଙ୍କୁ ବଡ ଅଫିସର କରାଇବାର ସ୍ୱପ୍ନକୁ ସଫଳ କରାଇପାରିଛନ୍ତି । ସେ ତାଙ୍କ ସ୍ୱାମୀଙ୍କର ଶେଷ ଇଚ୍ଛାକୁ ପୂରଣ କରିଥିବା କହିଛନ୍ତି । ତାଙ୍କ ସ୍ୱାମୀ ଚାହୁଁଥିଲେ, ତାଙ୍କର ତିନିଝିଅ ଅଫିସର ହୁଅନ୍ତୁ । ଏପରିକି ବାପାଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ତାଙ୍କର ଏକମାତ୍ର ପୁଅ କଠିନ ପରିଶ୍ରମ କରିଥିଲେ ଫଳରେ ତାଙ୍କ ଭଉଣୀ ପାଠ ପଢିପାରିଥିଲେ ।

ଲକ୍ଷ୍ୟପଥରେ ବାଧକ ସାଜିନଥିଲା ଗରିବୀ

ରାଜସ୍ଥାନର ଜୟପୁର ଜିଲ୍ଲା ସାରଙ୍ଗ ଅଂଚଳର ବାସ ଗାଁର ଫଂଚାବନ ବର୍ଷିୟ ବିଧବା ମହିଳା ମୀରା ଦେବୀଙ୍କର ତିନି ଝିଅ କମଳା ଚୌଧୁରୀ, ମମତା ଚୌଧୁରୀ ଓ ଗୀତା ଚୌଧୁରୀ ରାଜସ୍ଥାନ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତାର ସହ କୃତିତ୍ୱ ଅର୍ଦଜନ କରିଛନ୍ତି । ସ୍ୱାମୀଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ମୀରା ଦେବୀ ଶପଥ ନେଇଥିଲେ । ଗୋପାଳ ଚାହୁଁଥିଲେ ତାଙ୍କର ତିନି ଝିଅ ଉଚ୍ଚପଦବୀରେ ଅଧିଷ୍ଠିତ ହୁଅନ୍ତୁ । ବିଧବା ମହିଳାଙ୍କ ସ୍ୱପ୍ନ ପୂରଣ କରିିବା ପାଇଁ ଗରିବୀ ବି ବାଧକ ସାଜିପାରିନଥିଲା । ଭଉଣୀଙ୍କ ପାଇଁ ପୁଅର ତ୍ୟାଗ ବି କମ ନଥିଲା ବୋଲି ସେ କହିଛନ୍ତି ।

ଗାଁର ଏକ ନଡା ଛପର ଘରେ ରହୁଥିଲେ ପରିବାର

ଗାଁର ଏକ ନଡା ଛପର ଘରେ ରହୁଥିଲେ ମୀରା ଦେବୀଙ୍କ ପରିବାର । ସେହି ଛୋଟ ଘରେ ନିଷ୍ଠାର ସହ ପାଠ ପଢୁଥିଲେ ତିନି ଝିଅ । ରାଜ୍ୟ ପ୍ରଶାସନିକ ସେବା ପାଇଁ ତିନି ଝିଅ ଯୋଜନା ମୁତାବକ ଦୁଇ ବର୍ଷ ଧରି ପ୍ରସ୍ତୁତି କରିଥିଲେ । ସେମାନେ ଭାରତୀୟ ପ୍ରଶାସନିକ ସେବା ପାଇଁ ବି ପରୀକ୍ଷା ଦେଇଥିଲେ କିନ୍ତୁ ଅଳ୍ପ କିଛି ନମ୍ବର ପାଇଁ ପଛରେ ରହିଥିଲେ । ତାପରେ ରାଜସ୍ଥାନ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଥିଲେ ।

ବାପାଙ୍କ ଅଧୂରା ସ୍ୱପ୍ନ ପୂରଣ

ମୀରା ଦେବୀ କହିଛନ୍ତି, ତାଙ୍କ ସ୍ୱାମୀ ଅନେକ ଦିନ ଧରି ରୋଗାକ୍ରାନ୍ତ ରହିବା ପରେ ଅ>କେ ବର୍ଷ ହେଲା ମୃତ୍ୟୁବରଣ କରିଛନ୍ତି । ବାପାଙ୍କ ମୃତ୍ୟୁ ପରେ ତିନି ଝିଅ ଦିନ ରାତି ପାଠ ପଢି କେବଳ ବାପାଙ୍କ ସ୍ୱପ୍ନ ପୂରଣ ପାଇଁ ଲାଗିପଡିଥିଲେ । ତିନିଜଣଙ୍କର ସ୍ୱପ୍ନ ଥିଲା ସେମାନେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବେ କିନ୍ତୁ ସେମାନେ ଏଥିରେ ନିଯୁକ୍ତି ପାଇଲେ ।

ଭଉଣୀ ପାଇଁ ଭାଇର ତ୍ୟାଗ

ତିନି ଭଉଣୀଙ୍କୁ ବଡ ଅଧିକାରୀ କରାଇବା ଇଚ୍ଛାରେ ମୀରାଙ୍କ ପୁଅ ରାମ ସିଂହ ଅଧାରୁ ପାଠ ଛାଡିଥିଲେ । ରାମ ସିଂହ କହିଛନ୍ତି, ବାପା ରୋଗରେ ପଡିବା ପରେ ପିଲାଦିନରୁ ଘରର ଦାୟିତ୍ୱ ତାଙ୍କ ଉପରେ ପଡିଥିଲା । ବାପାଙ୍କ ମୃତ୍ୟୁ ପରେ ମାଆଙ୍କ ସହ ମିଶି ସେ ନିଜ ଜମିରେ କାମ କରୁଥିଲେ । ସେ କହିଛନ୍ତି ମୁଁ ଯଦି ପାଠ ପଢିଥାନ୍ତି, ତେବେ ବିଲରେ ତାଙ୍କ ମାଆଙ୍କ ସହ ମିଶି କିଏ କାମ କରିଥାଆନ୍ତା ।