ନୀରବତାର ରାଜନୀତି : କାହିଁକି ଆଫଗାନିସ୍ତାନରେ ଦେଖାଦେଲା ଏମିତି ପରିସ୍ଥିତି?

151

ଲେଖକ : ଜଗବନ୍ଧୁ ରଥ
କନକ ବ୍ୟୁରୋ : ଆଫଗାନିସ୍ତାନର ବିଭିନ୍ନ ଦୃଶ୍ୟ ଏବେ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ବେଳେ ଏହାକୁ ଦେଖିଲେ ଜଣେ ସାଧାରଣ ଲୋକ ବିଚଳିତ ହୋଇପଡ଼ିବା ସ୍ୱାଭାବିକ । ହେଲେ ଆଫଗାନିସ୍ତାନରେ ଏପରି ସ୍ଥିତି କାହିଁକି ଆସିଲା, ଏହା ପଛରେ କାହାର ପ୍ରଛନ୍ନ ହାତ ଏହାକୁ ବୁଝିବାକୁ ହେଲେ ପରଦା ପଛର କିଛି ଘଟଣାର ବିଶ୍ଳେଷଣ ଆବଶ୍ୟକ । ଆମେରିକା ହଠାତ୍ ସେନା ପ୍ରତ୍ୟାହାର କରିନେବା ଓ ତାଲିବାନ ଅଗ୍ରଗତି କରି କାବୁଲ ଦଖଲ କରିବା ପଛରେ ଏକ ବଡ଼ ରହସ୍ୟ ରହିଛି । ବିଶ୍ୱ ବାଣିଜ୍ୟ କେନ୍ଦ୍ରରେ ଅଲକାଏଦା ଆତ୍ମଘାତୀ ଆତଙ୍କୀମାନେ ବିସ୍ଫୋରଣ କରିବା ପରେ ଆଫଗାନିସ୍ତାନରେ ଆକ୍ରମଣ କରିଥିଲା ଆମେରିକା । ଉଦ୍ଦେଶ୍ୟ ଥିଲା ସେତେବେଳର ଅଲକାଏଦା ମୁଖ୍ୟ ତଥା କୁଖ୍ୟାତ ଆତଙ୍କବାଦୀ ଓସାମା-ବିନ୍-ଲାଡେନକୁ ନିପାତ କରିବା ।

ଏଠାରେ କହି ରଖୁ ଯେ, ଗୋଟିଏ ସମୟରେ ଲାଡେନ୍ ଆମେରିକା ପାଇଁ ରୁଷ୍ ବିରୋଧରେ ଲଢ଼େଇ କରୁଥିଲା । ତେବେ ଆମେରିକା ଆଫଗାନିସ୍ତାନେରେ ଓସାମା ବିନ୍ ଲାଡେନକୁ ଧରିବାରେ ବିଫଳ ହେଲା । ଦୁର୍ଗମ ତୋରାବୋରା ଅଂଚଳରେ ଲାଡେନ୍ ଥିବା ବେଳେ ଆମେରିକା ହାତରୁ ଅଳ୍ପକେ ବର୍ତି ଯାଇଥିଲା । ଶେଷରେ ଆମେରିକୀୟ କମାଣ୍ଡୋମାନେ ବାରାକ ଓବାମାଙ୍କ ରାଷ୍ଟ୍ରପତି କାଳରେ ପାକିସ୍ତାନର ଆବୋଟାବାଦରେ ସ୍ୱତନ୍ତ୍ର ଅପରେସନ କରି ଓସାମା ବିନ୍ ଲାଡେନକୁ ନିପାତ କରିଥିଲେ ।

ଏସବୁ ଭିତରେ ଅନ୍ୟ ଏକ ଘଟଣାକ୍ରମ ଘଟିସାରିଥିଲା । ଆମେରିକାର ଆଫଗାନିସ୍ତାନ ଆକ୍ରମଣ ପୂର୍ବରୁ ସେଠାରେ ତାଲିବାନୀ ସରକାର ଚାଲିଥିଲା । ଏପରିକି ତାଲିବାନ ଶାସନ ସମୟରେ କାନ୍ଦାହାର ବିମାନ ଅପହରଣ ଘଟିଥିଲା । ଆତଙ୍କବାଦୀମାନେ ଭାରତୀୟ ବିମାନକୁ ନେପାଳରୁ ଅପହରଣ କରି କାନ୍ଦାହାରକୁ ନେଇଯାଇଥିଲେ, ଆଉ ପରେ ଆତଙ୍କବାଦୀଙ୍କୁ ମୁକ୍ତି ବଦଳରେ ଭାରତୀୟ ଯାତ୍ରୀଙ୍କୁ ଛାଡ଼ିଥଲେ । ଏହି ବିମାନ ଅପହରଣରେ ଯଦିଓ ପାକିସ୍ତାନୀ ଆତଙ୍କବାଦୀଙ୍କ ହାତ ଥିଲା, ତେବେ ସେମାନଙ୍କୁ ପରୋକ୍ଷରେ ସହଯୋଗ କରିଥିଲା ତାଲିବାନ । ତେବେ ଆମେରିକାର ଆଫଗାନିସ୍ତାନ ଆକ୍ରମଣ ପରେ ସେଠାରେ ତାଲିବାନ ସରକାରର ପତନ ଘଟିଥିଲା, ଆଉ ଦେଶରେ ଗଣତାନ୍ତ୍ରିକ ସରକାର ପ୍ରତିଷ୍ଠା ହୋଇଥିଲା । ହମିଦ କାରଜାଇ ସେତେବେଳେ ଦେଶର ଶାସନ ଭାର ସମ୍ଭାଳିଥିଲେ ।

ଏହାପରେ ଅସ୍ରଫ ଘନି ରାଷ୍ଟ୍ରପତି ଭାବେ ଆଫଗାନିସ୍ତାନର ଶାସନ ଭାର ଗ୍ରହଣ କରିଥିଲେ । ଆଫଗାନିସ୍ତାନରେ ବହୁ ପରିମାଣର ସେନା ରହିବା ନେଇ ଆମେରିକାରେ ଅସନ୍ତୋଷ ଦାନା ବାନ୍ଧିଥିଲା । ଏପରିକି ଏହା ଏକ ରାଜନୈତିକ ପ୍ରସଙ୍ଗ ହୋଇଥିଲା । ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ତାଙ୍କ ନିର୍ବାଚନୀ ପ୍ରଚାର ବେଳେ ଆଫଗାନିସ୍ତାନରୁ ଆମେରିକା ସେନାର ସମ୍ପୂର୍ଣ୍ଣ ଅପସାରଣ ନେଇ ପ୍ରତିଶ୍ରୁତି ଦେଇଥିଲେ । ତେବେ ଆଫଗାନିସ୍ତାନର ଅସ୍ଥିର ପରିସ୍ଥିତି ଯୋଗୁଁ ତାହା ସମ୍ଭବ ହୋଇପାରି ନଥିଲା । ଟ୍ରମ୍ପଙ୍କ ପରେ ଆସିଲେ ବାଇଡେନ୍ । ସେ ରାଷ୍ଟ୍ରପତି ହେବା ପରେ ହିଁ ଘୋଷଣା କଲେ ଯେ, ଆଫଗାନିସ୍ତାନରୁ ଆମେରିକାର ଏହାର ସବୁ ସେନାକୁ ଫେରାଇ ଆଣିବ । ଏହା ତାଲିବାନ ପାଇଁ ଏକ ସୁଯୋଗ ଆଣିଦେଲା । ସେମାନେ ଆଗକୁ ବଢ଼ିବାକୁ ଆରମ୍ଭ କଲେ । ଯଦିଓ ଆଫଗାନ ସେନା ସେମାନଙ୍କୁ ରୋକିବାକୁ ଚେଷ୍ଟା କଲା , ହେଲେ ତାଲିବାନ ଆଗରେ ତିଷ୍ଠି ପାରିଲାନି । ଶେଷରେ ଦେଶର ରାଜଧାନୀ କାବୁଲ ଦଖଲ କଲା ତାଲିବାନ ।

ଏବେ କଥା ହେଉଛି ଏତେ ସବୁ ଘଟଣାକ୍ରମ ଚାଲିଥିବା ବେଳେ ଅନ୍ତର୍ଜାତୀୟ ରାଜନୀତିର ମଙ୍ଗୁଆଳ ଦେଶମାନେ କ’ଣ କରୁଥିଲେ । ସେନା ଅପସାରଣ କରିନେଇ ଆମେରିକା ଏକ ପ୍ରକାର ଚୁପ୍ ରହିଲା । ତାଲିବାନକୁ ପରୋକ୍ଷରେ ସମର୍ଥନ କରି ମନ୍ତବ୍ୟ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ସେପଟେ ଆଫଗାନିସ୍ତାନରେ ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ପାଇଁ ତିନି ଦେଶୀୟ ବୈଠକ କଲା ରୁଷ୍ । ଏହି ବୈଠକରୁ ଭାରତକୂୁ ଅଲଗା ରଖାଗଲା । ଚୀନ୍ ନୀରବ ରହି ଗୋଟିଚାଳନା ପାଇଁ ଉପଯୁକ୍ତ ସମୟ ଖୋଜିଲା । ଭାରତ ମଧ୍ୟ “କିଛି ନକରିବା ହିଁ ସବୁଠୁ ଭଲ କାମ’ ଭାବି ଚୁପ୍ ରହିଲା । ଯଦିଓ ଆଫଗାନିସ୍ତାନରେ ଭାରତର ନିବେଶ ରହିଛି, ମୋଦି ସରକାର ରିସ୍କ ନନେଇ ସେଫ୍ ଗେମ୍ ଖେଳିବାକୁ ଚେଷ୍ଟା କଲେ । ଇରାନ ପରି ଦେଶ ମଧ୍ୟ ସିଧାସଳଖ ଆଫଗାନିସ୍ତାନ ପ୍ରସଙ୍ଗରେ ନିଜକୁ ସମ୍ପୃକ୍ତ କରିବାକୁ ଚାହିଁଲାନି । ଏହି ସବୁ ଦେଶର ନିରବତା ପଛରେ ଏକ ବଡ଼ କୂଟନୀତି ରହିଛି । କାରଣ ସମସ୍ତେ ୱେଟ୍ ଆଣ୍ଡ ୱାଚ୍ ବା ଅପେକ୍ଷାର ଖେଳ ଖେଳିଲେ, ଏବେବି ଖେଳୁଛନ୍ତି ।

ଆଫଗାନ୍ ଚେସ୍ ବୋର୍ଡର ଆମେରିକା, ଚୀନ୍, ରୁଷ୍, ଭାରତ, ପାକିସ୍ତାନ, ଇରାନ ପରି ପ୍ରମୁଖ ଖେଳାଳିମାନଙ୍କ ମଧ୍ୟରେ ନିଜ ନିଜ ମଧ୍ୟରେ ଥିବା ସନ୍ଦେହ ଓ ଶତ୍ରୁତା ହିଁ ଏହାର କାରଣ । ରୁଷ୍-ଆମେରିକା, ରୁଷ-ଚୀନ୍, ଭାରତ-ପାକିସ୍ତାନ, ଭାରତ-ଚୀନ୍, ଆମେରିକା-ଇରାନ । ଏହି ଦେଶ ଗୁଡ଼ିକ ମଧ୍ୟରେ ଥିବା ଶତ୍ରୁତା ଆଫଗାନିସ୍ତାନରେ କୌଣସି ମିଳିତ କାର୍ଯ୍ୟାନୁଷ୍ଠାନରୁ ଏମାନଙ୍କୁ ଦୂରେଇ ରଖିଲା । ଅତୀତରେ ରୁଷର ଆଫଗାନିସ୍ତାନ ଆକ୍ରମଣ ବେଳେ ମୁଜାହିଦ୍ଦିନକୁ ହାତ କରି ଆମେରିକା ଗୋଟି ଚାଳନା କରିଥିଲା । ରୁଷ୍ ଏବେ ସେହି କୌଶଳ ପ୍ରୟୋଗ କରି ଆମେରିକାକୁ ଜବାବ ଦେବାକୁ ଚେଷ୍ଟା କରୁଛି । ରୁଷ୍ ଓ ଚୀନ୍ ମଧ୍ୟରେ ଏବେ ଭଲ ସମ୍ପର୍କ ଥିବା ବେଳେ ସେମାନେ ଏକାଠି ରଣନୀତି ପ୍ରସ୍ତୁତ କରୁଥିବାର କିଛି ଆଭାସ ମଧ୍ୟ ମିଳୁଛି ।

ଅନ୍ୟପକ୍ଷରେ ପାକିସ୍ତାନର ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ହେଲେ ଆମେରିକା-ପାକିସ୍ତାନ ମଧ୍ୟରେ ସମ୍ପର୍କରେ ତିକ୍ତତା ଓ ବେଜିଂ ସହ ଇସ୍ଲାମାବାଦର ମଧୁର ସମ୍ପର୍କ ଏକ ନୂଆ ପ୍ରକାର ସମୀକରଣ ତିଆରି କରିଛି । ପାକିସ୍ତାନକୁ ଛାଡ଼ି ଆଫଗାନିସ୍ତାନ ସମ୍ପର୍କରେ କିଛି ବଡ଼ ନିଷ୍ପତି ନିଆଯାଇପାରିବନି । ତେଣୁ ଆମେରିକା ପ୍ରଶାସନ ଏବେ ପୁଣି ପାକିସ୍ତାନକୁ ନିଜ ପକ୍ଷକୁ ଆଣିବାକୁ ଜୋରଦାର ଚେଷ୍ଟା ଚଳାଇଛି ।ଏହାକୁ ନେଇ ଭାରତ ବିଚଳିତ ହେବା ସ୍ୱାଭାବିକ । ସବୁଠୁ ବଡ଼କଥା ହେଲା ମାନବିକ ଅଧିକାରର କଥା । ଆଫଗାନିସ୍ତାନର ଲୋକମାନେ ନିଜ ଦେଶଛାଡ଼ି ଅନ୍ୟ ଦେଶରେ ଶରଣ ନେଉଛନ୍ତି । ଭାରତକୁ ମଧ୍ୟ ଅନେକ ଆସିଲେଣି, ଆଗକୁ ଆହୁରି ମଧ୍ୟ ଆସିବେ । ଆଉ କିଛି ପାକିସ୍ତାନ ଓ ଇରାନରେ ଶରଣ ନେଲେଣି । ହେଲେ କୂଟନୀତି ଓ ନିଜ ସ୍ୱାର୍ଥ ପାଇଁ ଦେଶମାନେ ଆଫଗାନିସ୍ତାନର ସାଧାରଣ ଜନତାକୁ ଏବେ କେବଳ କଷ୍ଟ ଓ ନିର୍ଯାତନା ସହିବା ପାଇଁ ଛାଡ଼ି ଦେଇଛନ୍ତି । ଜାତିସଂଘରୁ ମଧ୍ୟ କିଛି ଶବ୍ଦ ଏଯାଏଁ ଶୁଣିବାକୁ ମିଳି ନାହିଁ ।

ଏଠାରେ ପ୍ରକାଶ କରାଯାଇଥିବା ମତ ଲେଖକଙ୍କର ନିଜସ୍ୱ ମତ ।