କାଲି ଖୋଲିଥିଲେ ପୋଲିସ-ମାଫିଆଙ୍କ ମଧୁଚନ୍ଦ୍ରିକା ଗୁମର, ଆଜି କହିଲେ ମୁଁ ମାନସିକ ରୋଗୀ । ହଠାତ୍ କାହିଁକି ବଦଳିଗଲା ସଞ୍ଜୟଙ୍କ ସ୍ୱର?

117

କନକ ବ୍ୟୁରୋ : କାଲି କହିଥିଲେ ଆଉ ଆଜି ନିଜ କଥାରୁ ଓହରିଗଲେ । ପୋଲିସ ଓ ମଦ ମାଫିଆଙ୍କ ଅସାଧୁ ମଧୁଚନ୍ଦ୍ରିକାର ଗତକାଲି ପେଡି ଖୋଲିଥିଲେ ପୁରୀ ଅବକାରୀ ବିଭାଗ ନୀରିକ୍ଷକ ସଂଜୟ ପଣ୍ଡା । ଆଉ ଆଜି ନିଜେ ଭିଡିଓ ଜାରି କରି କହିଛନ୍ତି ତାଙ୍କ ମାନସିକ ଅବସ୍ଥା ଠିକ୍ ନଥିବାରୁ କେଉଁ କଥା କେତେବେଳେ କହୁଛନ୍ତି ଜାଣି ପାରୁ ନାହାଁନ୍ତି । ପୁରୀ ପୋଲିସ ବିରୋଧରେ ଯେଉଁ ଅଭିଯୋଗ କରିଥିଲେ ଭୁଲବସତଃ କରିଥିଲେ ବୋଲି ସଂଜୟ ପଣ୍ଡା ଏହି ଭିଡିଓରେ କହିଛନ୍ତି । ଗତକାଲି ଅଭିଯୋଗ ଆଣିବା ପରେ ଆଜି ଠାରୁ ହଠାତ୍ ସେ ଛୁଟିରେ ଚାଲି ଯାଇଛନ୍ତି । ତାଙ୍କ ପତ୍ନୀ ମଧ୍ୟ ଏକ ଭିଡିଓ ଜାରି କରି କହିଛନ୍ତି ସଂଜୟଙ୍କ ମାନସିକ ଅବସ୍ଥା ଠିକ୍ ନଥିବାରୁ ସେ ଏଭଳି କଥା କହିଦେଇଥିଲେ । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ପୁରୀ ଅବକାରୀ ବିଭାଗ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା, ପୁଲିସ ଓ ମାଫିଆଙ୍କ ଅସାଧୁ ମଧୁ ଚନ୍ଦ୍ରିକାର ପେଡି ଖୋଲିବା ପରେ  ଅଚାନକ ଛୁଟିରେ ଚାଲିଯିବା ଖବର ଚର୍ଚ୍ଚାର ବିଷୟ ହୋଇଛି । ମାନସିକ ରୋଗର ଚିକିତ୍ସା ପାଇଁ ଛୁଟିରେ ଯିବାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।  ପ୍ରଥମ ଥର ପାଇଁ ଜଣେ ଦାୟିତ୍ୱସମ୍ପର୍ଣ୍ଣ ଅଫିସର ଅବକାରୀ ବିଭାଗର ପୋଷାକ ପିନ୍ଧି ନିଜର ଅସହାୟତା କ୍ୟାମେରା ଆଗରେ କହିବା ପରେ ସାରା ରାଜ୍ୟରେ ଚାଂଚଲ୍ୟ ଖେଳି ଯାଇଥିଲା । ଲାଇଭ୍ କ୍ୟାମେରାରେ ପୁଲିସ ଓ ମାଫିଆଙ୍କ ମଧ୍ୟରେ ଅସାଧୁ ମଧୁ ଚନ୍ଦ୍ରିକାର ଯେମିତି ପେଡି ଖୋଲିଥିଲେ ତାହା ସମସ୍ତଙ୍କୁ ଚକିତ କରିଥିଲା । ହେଲେ, ମାତ୍ର ଦିନକ ପରେ ବଦଳି ଯାଇଛି ତାଙ୍କର ସ୍ୱର । ନିଜେ ଏକ ଭିଡିଓ ଜାରି କରି ସେ ଜଣେ ମାନସିକ ରୋଗୀ ବୋଲି ଦର୍ଶାଇଛନ୍ତି । କହିଛନ୍ତି ୨୦୨୦ରେ ତାଙ୍କୁ କରୋନା ହୋଇଥିଲା । ସେବେଠାରୁ ସେ ମାନସିକ ଓ ଶାରୀରିକ  ଅସୁସ୍ଥ ଅଛନ୍ତି । ଏଥିପାଇଁ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଛନ୍ତି । ହେଲେ କିଛି ଦିନ ହେବ ସେ ଔଷଧ ଖାଉନାହାଁନ୍ତି । ମାନସିକ ଅସୁସ୍ଥତା କାରଣରୁ ସେ ଏପରି କହି ଦେଇଥିଲେ । ଯାହା କହିଛନ୍ତି, ଭୁଲ୍ କହିଛନ୍ତି । ସଞ୍ଜୟ ମାନସିକ ରୋଗରେ ଆକ୍ରାନ୍ତ ବୋଲି ପ୍ରମାଣ ଦେବା ପାଇଁ ତାଙ୍କ ପତ୍ନି ମଧ୍ୟ ଏକ ଭିଡିଓ ଜାରି କରି ସ୍ପଷ୍ଟିକରଣ ରଖିଛନ୍ତି ।

ଅଧିକାରୀ ଜଣଙ୍କ କେବଳ ଦୋଷ ସ୍ୱୀକାର କରି ନାହାଁନ୍ତି, ତାଙ୍କର ଚିକିତ୍ସା ପାଇଁ ଛୁଟିରେ ଯାଇଛନ୍ତି । ଛୁଟିପାଇଁ ସଞ୍ଜୟ ପଣ୍ଡା କରିଥିବା ଆବେଦନକୁ ମଞ୍ଜୁରି କରିଛନ୍ତି  ପୁରୀ ଏକ୍ସସାଇଜ୍ ସୁପରିଟେଂଡେଣ୍ଡ ଅଫିସର । ସେ ମାନସିକ ରୋଗରେ ପୀଡିତ ଥିବାରୁ ତାଙ୍କୁ ହେଡକ୍ୱାର୍ଟର ଛାଡି ଚିକିତ୍ସା ପାଇଁ ଛୁଟି ଦେବାକୁ ଅନୁରୋଧ କରିଥିଲେ ।

ପୋଲିସ ବିଭାଗରେ ଚାଲିଥିବା କେଳେଙ୍କାରୀ ସଂପର୍କରେ ଅଭିଯୋଗ ଆଣି ଅବକାରୀ କମିଶନରଙ୍କୁ ଚିଠି ଲେଖିବା, କ୍ୟାମେରା ସାମ୍ନାରେ ବସି ପୋଲିସ ଓ ମାଫିଆଙ୍କ ଗୁମର ଖୋଲିବା ପରେ ହଠାତ୍ ଛୁଟିରେ ଯିବା, ଓ ନିଜର ବୟାନ ବଦଳାଇବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।  ପ୍ରଶ୍ନ ଉଠୁଛି,

– ଦିନକ ପରେ କେମିତି ଓ କାହିଁକି ବଦଳିଗଲା ଅଧିକାରୀଙ୍କ ବୟାନ?

– ଅଭିଯୋଗ ଆଣିବା ପରେ ତାଙ୍କ ଉପରେ ବିଭାଗୀୟ ଚାପ ପଡିଲା କି?

– ଯଦି ସେ ମାନସିକ ରୋଗୀ ସେ ଏତେ ବଡ ଦାୟିତ୍ୱ କେମିତି ତୁଲାଇ ଆସୁଥିଲେ?

–  ସୋମବାର ମାନସିକ ରୋଗରେ ଆକ୍ରାନ୍ତ ଥିଲେ, ମଙ୍ଗଳବାର କେମିତି ଠିକ୍ ହୋଇ ସବୁ ଭୁଲ୍ ସୁଧାରି ଦେଲେ?