ସାଧାରଣ ଜନତାଙ୍କୁ ଟୋଲଟ୍ୟାକ୍ସ କୋରଡ଼ା ମାଡ଼, ମନ୍ତ୍ରୀ ଓ ଭିଆଇପିଙ୍କୁ ଛାଡ଼! ଭିଆଇପି ପରମ୍ପରାରେ କେବେ ପଡ଼ିବ ପୂର୍ଣ୍ଣଛେଦ?

ଆଉ ମାତ୍ର ୧୨୦ ଟି ଟଙ୍କା ଟୋଲଟାକ୍ସ ନଦେବା ଜିଦରେ ରହିଥିଲେ ମନ୍ତ୍ରୀ । ଯାହାକୁ ନେଇ ସ୍ଥାନୀୟ ବିଜେପି ନେତା ସୁରେନ୍ଦ୍ର ସ୍ୱର୍ଣ୍ଣକାର ଏବେ ସୁଶାନ୍ତ ସିଂଙ୍କ ଭିଆଇପି କଲର ନେଇ ପ୍ରଶ୍ନ ଉଠାଇଛନ୍ତି ।

758

କନକ ବ୍ୟୁରୋ: ଆଉ କେତେଦିନ ଚାଲିବ ଭିଆଇପି କଲଚର୍ । ଗଣତନ୍ତ୍ର ରାଷ୍ଟ୍ରରେ ସମ୍ବିଧାନର ଦ୍ୱାହି ଦେଇ ଆଉ କେତଦିନ ସୁବିଧା ପାଇବେ ଭିଆଇପି । ଯେତେବେଳେ ଜଣେ ଦିନ ମଜୁରିଆ କିମ୍ବା ଚାଷୀ ଟୋଲଟ୍ୟାକ୍ସ ଦେଉଛି ସେଠି ସରକାରୀ ଗାଡିରେ ବସି ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ କାହିଁକି ଦେବେ ନାହିଁ ଏହି ଟିକସ । ଏଭଳି ବିଚିତ୍ର ନିୟମ ଦେଖିଲେ ଜନତାଙ୍କ ମନରେ ଗୋଟିଏ କଥା ଉଙ୍କି ମାରୁଛି ତା ହେଲା, ଭିଆଇପି ମାନଙ୍କ ପାଇଁ ଏହି ଟୋଲଟ୍ୟାକ୍ସ ଛାଡ ଆଉ ଗରୀବ ଲୋକଙ୍କ ଉପରେ କୋରଡ଼ା ମାଡ଼ ।

ଭିଆଇପି କଲଚର କଥା ଏଠି ପାଇଁ ଉଠୁଛି ଯେ, ଫେବୃୟାରୀ ପହିଲା ବିଳମ୍ବିତ ରାତିରେ ସୁନ୍ଦରଗଡ ବିଜୁ ଏକ୍ସପ୍ରେସ ୱେର ମସ୍ନିକାନୀ ଟୋଲଗେଟ୍ ଠାରେ ନିଜ ସରକାରୀ ଗାଡି ଓ ପିଏସଓଙ୍କ ସହ ପହଚିଂଥିଲେ ରାଜ୍ୟର ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । ଆଉ ସାଙ୍ଗରେ ପାଇଲଟିଂ କି ଅନ୍ୟ କିଛି ବ୍ୟବସ୍ଥା ନଥିବାରୁ ମନ୍ତ୍ରୀଙ୍କୁ ଚିହ୍ନି ପାରିନଥିଲେ ଟୋଲଗେଟ୍ କର୍ମଚାରୀ । ମନ୍ତ୍ରୀ ଓ ଟୋଲଗେଟ୍ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତତର୍କ ଓ ଠେଲାପେଲା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ଆଉ ମାତ୍ର ୧୨୦ ଟି ଟଙ୍କା ଟୋଲଟାକ୍ସ ନଦେବା ଜିଦରେ ରହିଥିଲେ ମନ୍ତ୍ରୀ । ଯାହାକୁ ନେଇ ସ୍ଥାନୀୟ ବିଜେପି ନେତା ସୁରେନ୍ଦ୍ର ସ୍ୱର୍ଣ୍ଣକାର ଏବେ ସୁଶାନ୍ତ ସିଂଙ୍କ ଭିଆଇପି କଲର ନେଇ ପ୍ରଶ୍ନ ଉଠାଇଛନ୍ତି ।

ସେପଟେ କେବଳ ୧୨୦ ଟି ଟଙ୍କାର ଟୋଲଟ୍ୟାକ୍ସ ଦେଇଥିଲେ ମନ୍ତ୍ରୀଙ୍କୁ ଏଭଳି ହଟହଟା ହେବାକୁ ପଡ଼ିନଥାନ୍ତା । ଏହିଭଳି କଲଚର ଦେଶ ମଧ୍ୟରେ ଏକ ଭେଦଭାବ ସୃଷ୍ଟି କରୁଛି । ତେଣୁ ଦେଶରୁ ଏଭଳି ଭିଆଇପି କଲରର ମୂଳପୋଛ କରିବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ ।