ମାତ୍ର ୨୧ ମିନିଟରେ ପାକିସ୍ତାନ ମାଟିରେ ତାଣ୍ଡବ ରଚିଲା ମିରାଜ! ଜାଣନ୍ତୁ କାହିଁକି ବାୟୁସେନାର ପ୍ରଥମ ପସନ୍ଦ ପାଲଟିଥିଲା ମିରାଜ

261

କନକ ବ୍ୟୁରୋ : ପାକିସ୍ତାନ ମାଟିରେ ଦମ୍ ଦେଖାଇଲା ‘ମିରାଜ’ । ଧୂଳିରେ ମିଶିଲା ଆତଙ୍କୀ ଶିବିର । ତେବେ ବାୟୁସେନା ଏହି ମିଶନରେ ମିରାଜ୍ ବିମାନକୁ କାହିଁକି ବାଛିଥିଲା । ମିରାଜ ବିମାନରେ ଏମିତି କଣ ଖାସିଅତ ଥିଲା ଯେ, ବାୟୁସେନାର ପ୍ରଥମ ପସନ୍ଦ ଭାବେ ଉଭା ହୋଇଥିଲା ।

କାର୍ଗିଲ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ମିରାଜ୍ ଲଢୁଆ ବିମାନ ପୁଣିଥରେ ଦେଖାଇଛି ନିଜ କମାଲ୍ । ପାକିସ୍ତାନର ବାଲାକୋଟ୍, ମୁଜାଫରାବାଦ୍ ଓ ଚିକୋଟିରେ ପଶି ଭାରତୀୟ ବାୟୁସେନାର ୧୨ ମିରାଜ୍ ବିମାନ ଏକାଧିକ ଆତଙ୍କୀ ଶିବିରକୁ ମାଟିରେ ମିଶାଇଛନ୍ତି । ଅତ୍ୟନ୍ତ ଉନ୍ନତ ଧରଣର ଓ ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ଲଢୁଆ ମିରାଜ୍ ବିମାନ ଏଥିସହ ପୁଣିଥରେ ପାରଦର୍ଶିତାର ପ୍ରମାଣ ଦେଇଛି ।

ଜାଣନ୍ତୁ କାହିଁକି ସ୍ୱତନ୍ତ୍ର ମିରାଜ୍ ବିମାନ ?
– ଭାରତୀୟ ବାୟୁସେନାର ଅନ୍ୟତମ ପ୍ରମୁଖ ବିଧ୍ୱଂସକାରୀ ଯୁଦ୍ଧବିମାନ ହେଉଛି ମିରାଜ ୨୦୦୦ ।
– ମିରାଜ୍ ଆକାଶରୁ ଯେକୌଣସି ସ୍ଥାନ ଉପରେ ସିଧାସଳଖ ଆକ୍ରମଣ କରିପାରିବ ।
– ଯୁଦ୍ଧ ବିମାନରେ ୯ଟି ସ୍ଥାନ ରହିଛି ଯେଉଁଠି ଅସ୍ତ୍ରଶସ୍ତ୍ର ସୁରକ୍ଷିତ ଭାବେ ରଖାଯାଇପାରିବ ।
– ଏହାର ଦୁଇ ଡେଣାରେ ମଧ୍ୟ ଯୁଦ୍ଧାସ୍ତ୍ର ରଖିବାର ବ୍ୟବସ୍ଥା ରହିଛି ।
– ଏହା ୬୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ ।
– ଦାସଲ୍ଟ କମ୍ପାନୀ ପ୍ରସ୍ତୁତ ମିରାଜ୍ ବିମାନକୁ ଏବେ ୯ଟି ଦେଶ ବ୍ୟବହାର କରୁଛନ୍ତି ।
– ୧୯୮୪ ମସିହାରେ ଫ୍ରାନ୍ସ ବାୟୁସେନା ପ୍ରଥମେ ଏହାକୁ ସାମିଲ କରିଥିଲା ।

ହିନ୍ଦୀ ସିନେମା ମୌସମରେ ମଧ୍ୟ ମିରାଜର ଭୟଙ୍କର ରୂପ ଦେଖିବାକୁ ପାଇଥିଲେ ଲୋକେ । ଯେଉଁଥିରେ ପାକିସ୍ତାନୀ ଆତଙ୍କୀ କ୍ୟାମ୍ପ୍ ଉପରେ ଆକ୍ରମଣ ପାଇଁ ତିଆରି ହେଉଛି ବ୍ଲୁ ପ୍ରିଂଟ୍ ଆଉ ଯୋଜନା ମୁତାବକ ପାକ୍ ମାଟିରେ ବାୟୁସେନାର ମିରାଜ୍ ବିମାନ ରଚୁଛନ୍ତି ସଂହାରଲୀଳା । ହିନ୍ଦୀ ଫିଲ୍ମର ଦୃଶ୍ୟ ଦେଖିବା ପରେ ସହଜରେ ଅନୁମାନ କରିହେବ କି କିଭଳି ଥିବ ଆକ୍ରମଣର ରୂପରେଖ ଓ ହମଲାରେ କେମିତି ଥିବ ମିରାଜ୍ ୨୦୦୦ ବିମାନର ଭୂମିକା । ପାକ୍ ମାଟିରେ ଏକାଧିକ ଆତଙ୍କୀ ଶିବିର ଧ୍ୱଂସ କରି ବାୟୁସେନା ନିଜ ପାରଦର୍ଶିତାର ପ୍ରମାଣ ଦେଇଛି । ଅନ୍ୟ ପଟେ କାର୍ଗିଲ୍ ପରେ ପୁଣିଥରେ ମିରାଜ୍ ବିମାନର କାର୍ଯ୍ୟଦକ୍ଷତାକୁ ମିଳିଛି ସମସ୍ତଙ୍କର ପ୍ରଶଂସା ।