ଅପରାଜିତାଙ୍କ ପରେ ଅଶ୍ୱିନୀ । ପଦ୍ମ ଦଳରେ ବଢୁଛି ପ୍ରଶାସକଙ୍କର ପତିଆରା, ରାଜ୍ୟ ବିଜେପିରେ ଚାଲିବ କି ବାବୁ-ବାବୁଆଣୀ ରାଜ୍ ?

2,444

କନକ ବ୍ୟୁରୋ : ରାଜ୍ୟ ବିଜେପିରେ ଆଉ ଜଣେ ପ୍ରଶାସକଙ୍କ ଅଭ୍ୟୁଦୟ । ଅପରାଜିତାଙ୍କ ପରେ ଅଶ୍ୱିନୀଙ୍କ ଏଣ୍ଟ୍ରି । ରାଜ୍ୟରେ ଫାଙ୍କା ପଡିଥିବା ୩ ରାଜ୍ୟସଭା ଆସନରୁ ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଅବସରପ୍ରାପ୍ତ ଆଇଏଏସ ଅଫିସର ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିଥିବା ବେଳେ ବିଜେଡି ଅଶ୍ୱିନୀଙ୍କୁ ସମର୍ଥନ ଦେବା ସମସ୍ତଙ୍କୁ ଚମକାଇ ଦେଇଛି । ବିଜେପିର ଅନେକ ରାଜ୍ୟସ୍ତରୀୟ ନେତା ଥିଲେ ମଧ୍ୟ ଜଣେ ପୂର୍ବତନ ପ୍ରଶାସକଙ୍କୁ ପ୍ରାର୍ଥୀ କରିବା ଏକ ଭିନ୍ନ ସଂକେତ ଦେଉଛି ।

ବିଧାନସଭାରେ ଆବଶ୍ୟକୀୟ ସଂଖ୍ୟା ନଥିଲେ ମଧ୍ୟ ଅଶ୍ୱିନୀଙ୍କୁ ପ୍ରାର୍ଥୀ କରିବା ସହ ସମର୍ଥନ ହାସଲ କରିବାରେ ସକ୍ଷମ ହୋଇଛି ବିଜେପି । ଆଉ ଏହା ସମ୍ଭବ ହୋଇଛି ଦିଲ୍ଲୀ ଦରବାରରେ ବସିଥିବା ବିଜେପିର ଶୀର୍ଷ ନେତାଙ୍କ ପାଇଁ । ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଫୋନ କରି ଅଶ୍ୱିନୀଙ୍କ ନାଁ ପ୍ରସ୍ତାବ ଦେବା ପରେ ସମର୍ଥନ ପାଇଁ ରାଜି ହୋଇଛନ୍ତି ନବୀନ । ତେବେ ଦିଲ୍ଲୀ ଦରବାରରୁ ଅଶ୍ୱିନୀଙ୍କ ପାଇଁ ବିଜେପିର ଶୀର୍ଷ ନେତା ସମର୍ଥନ ଯୋଗାଡ କରିବା ଏକ ଭିନ୍ନ ସଂକେତ ଦେଉଛି । ଯେତେବେଳେ ରାଜ୍ୟରେ ବିଜେପିର ଅନେକ ହେଭିୱେଟ ନେତା ରହିଛନ୍ତି ସେତେବେଳେ ଜଣେ ଅବସରପ୍ରାପ୍ତ ପ୍ରଶାସକଙ୍କୁ ଓଡିଶାରୁ ରାଜ୍ୟସଭାକୁ ପଠାଇବା ପାଇଁ ମୋଦି-ଶାହାଙ୍କ ପ୍ରୟାସ ନୂଆ ଏକ ସମୀକରଣକୁ ଜନ୍ମ ଦେଇଥିବା ଚର୍ଚ୍ଚା ହେଉଛି ।

ଦିଲ୍ଲୀ ଦରବାରରୁ ଅବସରପ୍ରାପ୍ତ ପ୍ରଶାସକ ଅଶ୍ୱିନୀଙ୍କ ପାଇଁ କଲ୍ ଆସିବା ପରେ ପଦ୍ମ ଦଳର ପ୍ରଶାସକ ପ୍ରେମ ଏବେ ସାମ୍ନାକୁ ଆସିଛି । ପୂର୍ବରୁ ଅପରାଜିତା ଷଡ଼ଙ୍ଗୀକୁ ଦଳରେ ସାମିଲ କରିବା ପରେ ରାଜ୍ୟ ବିଜେପିରେ ନୂଆ ପାୱାର ସେଣ୍ଟର ସୃ୍ଷ୍ଟି ହୋଇଥିବା ଚର୍ଚ୍ଚା ହୋଇଥିଲା । ଆଉ ଏବେ ଅଶ୍ୱିନୀଙ୍କୁ ରାଜ୍ୟସଭା ଟିକେଟ ଦେବା ପରେ ଦଳ ପ୍ରଶାସକଙ୍କୁ ଗୁରୁତ୍ୱ ଦେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ରାଜ୍ୟ ବିଜେପି ପାଇଁ ଦଳର ଏହି ପ୍ରଶାସକ ଫର୍ମୁଲା ଏକ ଭିନ୍ନ ସଂକେତ ମଧ୍ୟ ଦେଉଛି । ନେତା ନୁହଁନ୍ତି ବରଂ ପୂର୍ବତନ ପ୍ରଶାସକଙ୍କ ହାତରେ ରାଜ୍ୟ ବିଜେପିର ମଙ୍ଗ ଦେବାକୁ ଅଙ୍କ କଷୁଥାଇ ପାରନ୍ତି ଦଳର ଶୀର୍ଷ ନେୃତୃତ୍ୱ ।

କାରଣ ଏହା ପୂର୍ବରୁ ଅପରାଜିତା ଦଳରେ ସାମିଲ ହେବା ପରେ ମଧ୍ୟ ଏହିଭଳି କିଛି ଧାରଣା ସୃଷ୍ଟି ହୋଇଥିଲା । ସୋସିଆଲ ମିଡ଼ିଆରେ ଅପରାଜିତାଙ୍କୁ ରାଜ୍ୟ ବିଜେପିର ମଙ୍ଗୁଆଳ କରିବାକୁ ମଧ୍ୟ ତୃଣମୁଳସ୍ତରରୁ ଦାବି ହୋଇଥିଲା । ଅପରାଜିତାଙ୍କ ନେତୃତ୍ୱରେ ଦଳ ନିର୍ବାଚନକୁ ଓହ୍ଲାଉ ବୋଲି ଦଳୀୟ ଶିବିରରେ କିଛି ଦିନ ଆଲୋଚନା ହୋଇଥିଲା । ଦିଲ୍ଲୀ ଲବିରେ ପଦ୍ମ ଶିବିରରେ ଏଣ୍ଟ୍ରି ମାରିଥିବାରୁ ଦଳରେ ଅପରାଜିତାଙ୍କର ମଧ୍ୟ କାଟତି ବଢିଥିଲା । ଆଉ ଏସବୁ ଭିତରେ ବିଜେପିର ଶୀର୍ଷ ନେତୃତ୍ୱ ନେତାଙ୍କ ବଦଳରେ ପ୍ରଶାସକଙ୍କୁ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି । ବଡ ବଡ ତଥା ଲୋକପ୍ରିୟ ପ୍ରଶାସନିକ ଅଧିକାରୀଙ୍କୁ ଦଳରେ ସାମିଲ କରିବା ସହ ଦଳୀୟ ଓ ବଡ ପଦପଦବୀରେ ଥଇଥାନ ମଧ୍ୟ କରାଯାଉଛି । ଯାହାର ଝଲକ ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ଦେଖିବାକୁ ମିଳିଥିଲା । ପୂର୍ବତନ ବୈଦଶିକ ସଚିବ ଏସ୍ ଜୟଶଙ୍କରଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ସହ ବୈଦଶିକ ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ । ତେଣୁ ଓଡିଶା କୋଟାରୁ ନେତାଙ୍କ ବଦଳରେ ଜଣେ ଅବସରପ୍ରାପ୍ତ ପ୍ରଶାସକଙ୍କୁ ରାଜ୍ୟସଭା ପାଇଁ ବାଛିବା ରାଜ୍ୟ ବିଜେପି ସଙ୍ଗଠନ ପାଇଁ ଏକ ଭିନ୍ନ ସଂକେତ ଦେଉଛି ।