ହାତୀ ଗୋଡରେ କାହିଁକି ପଡିଲା ବେଡି? ହାତୀ ଗୋଡ଼ରେ ୩ଦିନ ହେଲା ବେଡ଼ି ପଡ଼ିବାକୁ ନେଇ ଉଠିଲା ପ୍ରଶ୍ନ ।

243

କନକ ବ୍ୟୁରୋ: ଭୁଲ ରହିଲା କେଉଁଠି? ଏତେ ବଡ଼ ବଡ଼ ଗୋଡ଼ରେ ବେଡ଼ି ପଡ଼ିଲା କାହିଁକି? ହାତୀର ବସତିରେ ଜନବସତି ଗଢ଼ିଲା ମଣିଷ, ଆଉ ମଣିଷର ବାସସ୍ଥାନ ଆଡକୁ ଯେତେବେଳେ ଦନ୍ତା ଚାଲିଆସିଲା । ଆକ୍ରୋଶର ଶିକାର ହେଲା । ମଣିଷର ସୁରକ୍ଷା ପାଇଁ କୁହନ୍ତୁ ବା ସ୍ୱାର୍ଥ ପାଇଁ କୁହନ୍ତୁ, ଦନ୍ତାକୁ କାବୁ କରିବା ପାଇଁ ପ୍ରଥମେ ହାତୀକୁ ଅଚେତ କରାଗଲା । ଆଉ ଯେତେବେଳେ ଜଙ୍ଗଲରେ ଛାଡ଼ିବାକୁ ଉଦ୍ୟମ ହେଲା, ସେଠି ବି ମଣିଷ ସ୍ୱାର୍ଥରେ ବାଧା ସୃଷ୍ଟି ହେଲା । ଜଙ୍ଗଲରେ ଛାଡ଼ିବା ପାଇଁ ବିରୋଧ ହେବାରୁ ପ୍ରାଣୀ ଉଦ୍ଧାର କେନ୍ଦ୍ରରେ ବନ୍ଦୀ ପାଲଟିଗଲା ରାଜଧାନୀରେ ବୁଲୁଥିବା ସେଇ ଜଙ୍ଗଲୀ ହାତୀ ।

ଭୁବନେଶ୍ୱରରୁ ଉଦ୍ଧାର ହୋଇଥିବା ଦନ୍ତା ହାତୀ ଗୋଡ଼ରେ ୩ଦିନ ହେଲା ବେଡ଼ି ପଡ଼ିଛି । ହାତୀକୁ ଟ୍ରାଙ୍କୁଲାଇଜ କରାଯିବା ପରେ ଚନ୍ଦକା ଅଭୟାରଣ୍ୟର କୁମାରଖୁଂଟି ପ୍ରାଣୀ ଉଦ୍ଧାର କେନ୍ଦ୍ରରେ ବନ୍ଦୀ ଅବସ୍ଥାରେ ରଖାଯାଇଛି । ଫଳରେ ହାତୀର ସ୍ୱାସ୍ଥ୍ୟବସ୍ଥା ନେଇ ଅନେକ ପ୍ରଶ୍ନ ଉଠୁଛି । ଏମିତି କି ବାରମ୍ବାର ଟ୍ରାଙ୍କୁଲାଇଜ କରାଯିବାରୁ ତାର ଅବସ୍ଥା ଭଲ ନଥିବା କୁହାଯାଉଛି । ଗୋଡ଼ ବନ୍ଧା ହେବା କାରଣରୁ ହାତୀଟି ବିରକ୍ତ ଭାବ ପ୍ରକାଶ କରିବା ସହ ଆକ୍ରମଣ କରିବାକୁ ଉଦ୍ୟମ କରୁଛି ।

ହାତୀକୁ ସ୍ଥାନାନ୍ତର କରିବା ପାଇଁ ଟ୍ରାଙ୍କୁଲାଇଜ କରିବା ପରେ ହାଇୱା ଠିଆକରି ନିଆଯାଇଥିଲା । ଏମିତି କି ଗୋଡରେ ଲୁହା ଶିକୁଳି ଓ ପ୍ଲାଷ୍ଟିକ ରଶି ବନ୍ଧାଯାଇଥିଲା । ଏତିକିରେ କଥା ସରିନଥିଲା, ଶେଷରେ ସ୍ଥାନାନ୍ତର ଉଦ୍ୟମ ବିଫଳ ହେବାରୁ ଗୋଡ଼ରେ ବେଡ଼ି ପକାଇ ରଖାଯାଇଛି ।