ଆଫଗାନିସ୍ତାନକୁ କାହିଁକି ବିମାନ ଉଡାଣ ବନ୍ଦ କଲା ପାକିସ୍ତାନ? ପଢନ୍ତୁ, ଏହା ପଛର କାରଣ… 

203

କନକ ବ୍ୟୁରୋ: ତାଲିବାନ କ୍ଷମତାକୁ ଆସିବା ପାଇଁ ସବୁପ୍ରକାର ସହାୟତା କରିଥିଲା ପାକିସ୍ତାନ  । ଅସ୍ତ୍ରଶସ୍ତ୍ର, ଅର୍ଥ ଠାରୁ ଆରମ୍ଭ କରି ରାଜନୈତିକ ସହାୟତା ମଧ୍ୟ ଯୋଗାଇଥିଲା  । ହେଲେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି, ପାକିସ୍ତାନ ଓ ତାଲିବାନ ମଧ୍ୟରେ ସବୁ କିଛି ଠିକ୍ ଚାଲିଛି ତ ?

ଏପରି ଚର୍ଚ୍ଚାର କାରଣ ହେଲା, ପାକିସ୍ତାନର ଜାତୀୟ ବିମାନ ଚଳାଚଳ ସଂସ୍ଥା, ପିଆଇଏ ଆଫଗାନିସ୍ତାନକୁ ବିମାନ ଚଳାଚଳ ବନ୍ଦ କରିଦେଇଛି  । ପିଆଇଏ ପକ୍ଷରୁ କୁହାଯାଇଛି ଯେ, ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି  । ହେଲେ ଏହା ପଛରେ ରହିଛି ଆଉ କିଛି ରହସ୍ୟ  । ଟିକେଟ ମୂଲ୍ୟ ନକମାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଚେତାବନୀ ଦେଇଥିଲା ତାଲିବାନ  । ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଥିଲେ ଯେ, ପିଆଇଏ ଯଦି ବିମାନ ଟିକେଟର ମୂଲ୍ୟ ନ କମାଏ, ତାହା ହେଲେ ବିମାନ ଚଳାଚଳ ପାଇଁ ଅନୁମତି ଦିଆଯିବ ନାହିଁ  । ଏହି ଚେତାବନୀର ଠିକ୍ ଗୋଟିଏ ଦିନ ପରେ ଆଫଗାନିସ୍ତାନକୁ ପିଆଇଏ ଉଡ଼ାଣ ବନ୍ଦ କରି ଦେଇଥିବା ଡନ୍ ଖବର କାଗଜ କହିଛି  । ପରବର୍ତୀ ବିଜ୍ଞପ୍ତି ଯାଏଁ ଏହି ଉଡ଼ାଣ ବନ୍ଦ ରହିବ  ।

ଏବେ ଆଫଗାନିସ୍ତାନରେ କେବଳ ଦୁଇଟି ବିମାନ ସଂସ୍ଥା ଚଳାଚଳ କରୁଥିଲା  । ଗୋଟିଏ ହେଲା ପିଆଇଏ, ଅନ୍ୟଟି ହେଉଛି ଆଫଗାନିସ୍ତାନର ଘରୋଇ ବିମାନ ସଂସ୍ଥା କାମ୍ ଏୟାର  । ତାଲିବାନର କବଜା ପରେ ଲୋକେ କିପରି ଆଫଗାନିସ୍ତାନ ଛାଡ଼ିବାକୁ ଚାହୁଁ ଥିଲେ ତାହା ପୂର୍ବରୁ ଅନେକ ଭିଡିଓରେ ଦେଖିବାକୁ ମିଳିିଛି । ସେତେବେଳେ ଯେମିତି ବି ହେଉ, ଦେଶ ଛାଡ଼ି ବାହାରକୁ ପଳାଇ ଯିବାକୁ ଲୋକେ ଚେଷ୍ଟା କରୁଥିଲେ  । ଚାହିଦା ବଢ଼ିବା ସହ ବିମାନ ଟିକେଟର ମୂଲ୍ୟ ବଢ଼ିଥିଲା । ଫଳରେ ତାଲିବାନ ସରକାରକୁ ଆସିବା ପୂର୍ବରୁ ଟିକେଟର ମୂଲ୍ୟ ଯାହା ଥିଲା, ଏବେ ତାହା ଦଶ ଗୁଣ ବଢ଼ିଯାଇଛି  । ଏହାକୁ ନେଇ ତାଲିବାନ ଓ ପିଆଇଏ ମଧ୍ୟରେ ସୃଷ୍ଟି ହୋଇଛି ବିବାଦ  । ଟିକେଟର ମୂଲ୍ୟ କମାଇବାକୁ ତାଲିବାନ କହୁଥିବା ବେଳେ ପିଆଇଏ କଥା ଶୁଣୁନି । ଇମ୍ରାନ ଖାନ ସରକାରର ବିନା ସମର୍ଥନରେ ଯେ, ପିଆଇଏ ଏହି ନିଷ୍ପତ୍ତି ନେଇଛି, କହିହେବ ନାହିଁ  ।