ନିଜ ଘରେ କାହିଁକି ମୃତ୍ୟୁକୁ ବାଛିଲେ ରାଇମୋହନ? ବେକରେ ରଶି ଲଗେଇ କାହିଁକି କଲେ ଆତ୍ମହତ୍ୟା? କାରଣ ଖୋଜୁଛି ପୋଲିସର ସାଇଣ୍ଟିଫିକ୍ ଟିମ୍…

379

କନକ ବ୍ୟୁରୋ: ଓଲିଉଡର ଭେଟେରାନ୍ ଆକ୍ଟର ତଥା ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡା ଆତ୍ମହତ୍ୟା କରିଛନ୍ତି । ଶୁକ୍ରବାର ତାଙ୍କ ଭୁବନେଶ୍ୱର ପ୍ରାଚୀ ବିହାର ବାସଭବନରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ସେ କାହିଁକି ଆତ୍ମହତ୍ୟା କଲେ? ତାଙ୍କ ମୃତ୍ୟୁ ପଛର କାରଣ କଣ?

ଶୁକ୍ରବାର ମଧ୍ୟାହ୍ନ ସମୟରେ ଅଚାନକ ରାଇମୋହନଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଘରେ ବେକରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ହେଲେ ଏହା ଆତ୍ମହତ୍ୟା ନା ତାଙ୍କୁ କେହି ଆତ୍ମହତ୍ୟା କରିବାକୁ ପ୍ରେରିତ କରିଛନ୍ତି ତାକୁ ନେଇ ସନ୍ଦେହ ବଢିବାରେ ଲାଗିଥିଲା । ତେବେ ବର୍ତ୍ତମାନ ମିଳୁଥିବା ସୂଚନା ମୁତାବକ ପାରିବାରିକ ଅଶାନ୍ତିରୁ ହିଁ ରାଇମୋହନ ଆତ୍ମହତ୍ୟା କରିଥିବା ଜଣାପଡିଛି । ପୋଲିସ ଛାନଭିନ୍ ଜାରି ରଖିଛି, ଆଗାମୀ ଦିନରେ ଏହାର ସମସ୍ତ ସୂଚନା ମିଳିପାରିବ ।

ପୋଲିସର ସାଇଣ୍ଟିଫିକ୍ ଟିମ୍ ବର୍ତ୍ତମାନ ରାଇମୋହନଙ୍କ ଆତ୍ମହତ୍ୟା ନେଇ ଛାନଭିନ୍ କରୁଛି । ତାଙ୍କ ଘରୁ ଆବଶ୍ୟକୀୟ ଜିନିଷର ଯାଞ୍ଚ କରୁଛି ସାଇଣ୍ଟିଫିକ୍ ଟିମ୍ । ଅନ୍ୟପଟେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ରାଇମୋହନଙ୍କ ଶବ ବ୍ୟବଚ୍ଛେଦ କରାଯାଉଛି । ଯାହା ଆଗାମୀ ଦିନରେ ଏହି ମୃତ୍ୟୁର ଅନେକ ଖୁଲାସା କରିପାରେ ।

ସୂଚନାଯୋଗ୍ୟ ଯେ, ୯୦ ଦଶକରେ ଯେଉଁ ଫିଲ୍ମ ହେଉଥିଲା ପ୍ରାୟ ଅନେକ ଫିଲ୍ମରେ ରାଇମୋହନ ଖଳନାୟକ ଭୂମିକା ଲିଭାଉଥିଲେ । ଆଉ ତାଙ୍କ କ୍ୟାରିୟର ଭିତରେ ସେ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ । ୯୦ଟି ଓଡିଆ ଫିଲ୍ମ ଓ ୧୫ଟି ବଙ୍ଗଳା ଫିଲ୍ମରେ ଅଭିନୟ କରି ସେ ଦର୍ଶକଙ୍କ ପ୍ରିୟ ହୋଇଥିଲେ । କେବଳ ଫିଲ୍ମରେ ସେ ଯାତ୍ରା ଦୁନିଆରେ ମଧ୍ୟ ନିଜ ଜୀବନ୍ତ ଅଭିନୟର ଯାଦୁ ଦେଖାଇଥିଲେ ।

ତାଙ୍କର ପ୍ରଥମ ଓଡିଆ ଫିଲ୍ମ ଥିଲା ପକା କମ୍ବଳ ପୋତ ଛତା । ସେଥିରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ୧୯୯୨ ମସିହାରେ ସାଗର ଫିଲ୍ମରେ ଅଭିନୟ କରିଥିଲେ । ପରେ ଲକ୍ଷେ ଶିବ ପୂଜି ପାଇଛି ପୁଅ, ରଣ ଭୂମି, ମା ପରି କିଏ ହେବ, ସରପଞ୍ଚ ବାବୁ, କଣ୍ଢେଇ ଆଖିରେ ଲୁହ, ସେଇ ଝିଅଟି, ଦାଦାଗିରି, ଯେ ପାଞ୍ଚେ ପରମନ୍ଦ, ଚକା ଆଖି ସବୁ ଦେଖୁଛି, ମଣି ନାଗେଶ୍ୱରୀ, ପାଚେରୀ ଉଠିଲା ମଝି ଦୂଆରେ, ସ୍ତ୍ରୀ, ନାଗ ପଞ୍ଚମୀ, ସମୟ ବଡ ବଳବାନ, ସୁନା ସଂସାର, ହିସାବ କରିବ କାଳିଆ, ଗଙ୍ଗ ଶିଉଳି ଭଳି ଅନେକ ଫିଲ୍ମରେ ଅଭିନୟ କରିଥିଲେ ।

ତାଙ୍କର ଅଭିନୀତ ରଣଭୂମି ଚଳଚ୍ଚିତ୍ର ପାଇଁ ସେ ବେଶ ପରିଚିତ ହୋଇଥିଲେ । ଏହି ଫିଲ୍ମରେ ହେଇଟି ଅନାନୀ… ଡାଇଲଗ ଦର୍ଶକଙ୍କ ହୃଦୟ ଜିତିଥିଲା । ଏହି ଡାଇଲଗ ଦେଇଥିଲା ତାଙ୍କୁ ବ୍ୟାଡ ବୟର ଟ୍ୟାଗ । ସେ ଏମିତି ନିଖୁଣ ଅଭିନୟ କରନ୍ତି ଯେ ସେ ଖଳନାୟକ ଭୂମିକା କରି ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଥିଲେ ।