ନବ ଦାସଙ୍କୁ କାହିଁକି ହତ୍ୟା କଲା ଗୋପାଳ ? କ୍ରାଇମବ୍ରାଞ୍ଚକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ସୂଚନା

1,229

କନକ ବ୍ୟୁରୋ : ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ଗୋପାଳ ? ହତ୍ୟାର ୮ ଦିନ ପରେ କାରଣ ଅସ୍ପଷ୍ଟ ରହିଥିବା ବେଳେ ଜେରା ବେଳେ ଗୋପାଳ କ୍ରାଇମବ୍ରାଞ୍ଚକୁ କିଛି ତଥ୍ୟ ଦେଇଥିବା କୁହାଯାଉଛି । କ୍ରାଇମବ୍ରାଞ୍ଚକୁ ଗୋପାଳ ଜେରା ବେଳେ କହିଛି ଯେ, ରାଜ୍ୟ ସରକାରଙ୍କୁ କିଛି ନେତା ବଦନାମ କରୁଛନ୍ତି । ଲୋକଙ୍କ ଦୁଃଖ ବୁଝିବା ବଦଳରେ ଏହି ନେତାମାନେ ସେମାନଙ୍କ ଦୁଃଖ ପାଲଟି ଯାଉଛନ୍ତି । ଲୋକଙ୍କୁ ଆତଙ୍କିତ କରିବା ସହ ନିର୍ଯାତନା ଦେଉଛନ୍ତି ।

ଏମାନଙ୍କ ମଧ୍ୟରେ ମନ୍ତ୍ରୀ ନବ ଦାସ ମଧ୍ୟ ଜଣେ ଥିଲେ । ସେଥିପାଇଁ ସେ ନବ ଦାସଙ୍କୁ ହତ୍ୟା କଲେ ବୋଲି କ୍ରାଇମବ୍ରାଞ୍ଚକୁ ଜେରା ବେଳେ କହିଥିବା କୁହାଯାଉଛି । ଗୋପାଳଙ୍କ ପକେଟରେ ଯେଉଁ କାଗଜ ରହିଥିଲା, ସେଥିରେ ସେ ଏସବୁ କଥା ଲେଖିଥିବା କ୍ରାଇମବ୍ରାଞ୍ଚକୁ କହିଥିବା ସୂଚନା ମିଳିଛି । ନବ ଦାସଙ୍କ ସହିତ ତାଙ୍କର କୌଣସି ଶତ୍ରୁତା ନଥିଲା, ହେଲେ ସେ ତାଙ୍କୁ ଭଲ ପାଉନଥିବା କ୍ରାଇମବ୍ରାଞ୍ଚକୁ କହିଥିବା କୁହାଯାଉଛି । ନବ ଦାସଙ୍କୁ ହତ୍ୟା କରିବା ପାଇଁ ଗତ ୪ ମାସ ହେଲା ସୁଯୋଗ ଅପେକ୍ଷାରେ ଥିଲା । ଶେଷରେ ଗତ ୨୯ ତାରିଖ ରବିବାର ଦିନ ସେ ନବ ଦାସଙ୍କୁ ହତ୍ୟା କରିଥିଲା ।

ସେପଟେ ମୃତ୍ୟୁ ରହସ୍ୟ ଖୋଜିବାକୁ ଗୋପାଳଙ୍କୁ ପଚରାଉଚରା ଜାରି ରଖିଛି କ୍ରାଇମବ୍ରାଞ୍ଚ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ଅଧିକାରୀ ମାରାଥନ ଜେରା କରୁଛନ୍ତି । ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଜାଣିବା ପାଇଁ ତଦନ୍ତ ପରିସରକୁ ଆହୁରି ବ୍ୟାପକ କରିଛି କ୍ରାଇମବ୍ରାଞ୍ଚ । ଗୋପାଳର ମାନସିକ ସ୍ଥିତି ପରୀକ୍ଷା କରାଯାଉଛି । ଏସସିବିର ୫ ଜଣ ବିଶେଷଜ୍ଞ ଝାରସୁଗୁଡ଼ାରେ ପହଂଚି ଅଭିଯୁକ୍ତ ଗୋପାଳର ମାନସିକ ଅବସ୍ଥାର ଟିକିନିକ ପରୀକ୍ଷା କରୁଛନ୍ତି । ବିଶେଷଜ୍ଞ ଦଳ ଗୋପାଳର ପୂର୍ବ ପ୍ରେସ୍କ୍ରିପସନକୁ ମଧ୍ୟ ଯାଂଚ କରିଛନ୍ତି । ଗୋପାଳର ମାନସିକ ସ୍ଥିତି ପରୀକ୍ଷା କରିବା ସମୟରେ ଭିଡିଓ ରେକର୍ଡିଂ ମଧ୍ୟ କରାଯାଇଛି ।

ଏହି ଭିଡିଓ ରେକର୍ଡିଂକୁ ବିଶେଷଜ୍ଞଙ୍କ ଦ୍ୱାରା ତର୍ଜମା କରାଯିବ । ଗୋପାଳର ମାନସିକ ସ୍ଥିତି ଯାଂଚ କରାଯାଇ ମେଡିକାଲ ବୋର୍ଡର ରିପୋର୍ଟ ପରେ ହିଁ ସିନ୍ ରିକ୍ରିଏସନ୍ କରାଯିବା ସମ୍ଭାବନା ରହିଛି । ଅନ୍ୟପଟେ ତଦନ୍ତରେ ସହାୟତା ପାଇଁ କ୍ରାଇମବ୍ରାଞ୍ଚ ଆଉ ଏକ ୬ ଜଣିଆ ଟିମ୍ ଗଠନ କରିଛି । ଡିଏସ୍ପି ଆରତିଙ୍କ ନେତୃତ୍ୱରେ ଏହି ଟିମ୍ ଝାରସୁଗୁଡ଼ା ଯାଇଛି । ସେହିପରି ଗୋପାଳଙ୍କ ଆର୍ମସ୍ ଆଣ୍ଡ ଆମ୍ୟୁନିସନ୍ ଇସ୍ୟୁ ରେଜିଷ୍ଟର ଓ ଆନୁଆଲ ରେଞ୍ଜ କୋର୍ସ ରେକର୍ଡକୁ ମଧ୍ୟ ଯାଂଚ କରାଯାଉଛି । ମନ୍ତ୍ରୀଙ୍କୁ ହତ୍ୟା ସମ୍ପର୍କିତ କାଗଜପତ୍ର ଓ ସଂଗ୍ରୃହୀତ ପ୍ରମାଣଗୁଡ଼ିକୁ ଯାଂଚ କରାଯିବା ସହ ବିଭିନ୍ନ ଦିଗକୁ ଆଧାର କରି ବିଶ୍ଳେଷଣ ମଧ୍ୟ କରାଯାଉଛି ।