କାହିଁକି ଅଲଗା ହେଲେ ଧନୁଷ-ଏଶ୍ୱର୍ଯ୍ୟା ? ଜାଣନ୍ତୁ, କାରଣ…

571

କନକ ବ୍ୟୁରୋ: ତାମିଲ୍ ସୁପରଷ୍ଟାର ଧନୁଷ ଓ ପତ୍ନୀ ଐଶ୍ବର୍ୟ୍ୟା ରଜନୀକାନ୍ତଙ୍କ ମଧ୍ୟରେ ବିବାହ ବି୍ଚ୍ଛେଦ ଘଟିଛି । ଦୀର୍ଘ ୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ଉଭୟ ପରସ୍ପରଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଦକ୍ଷିଣୀ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚା ସୃଷ୍ଟି କରିଛି। ସୋମବାର ରାତିରେ ଏ ସଂପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରି ଧନୁଷ ଏହି ସୂଚନା ଦେଇଛନ୍ତି। ତେବେ ହଠାତ୍ ଦୁହେଁ ଏଭଳି ନିଷ୍ପତ୍ତି କାହିଁକି ନେଲେ ସେ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଏହାର କାରଣ ସାମ୍ନାକୁ ଆସିଛି।

ଧନୁଷ ଓ ଐଶ୍ବର୍ୟ୍ୟାଙ୍କୁ ଜାଣିଥିବା ତାଙ୍କର ଜଣେ ଭଲ ବନ୍ଧୁ ବିବାହ ବିଚ୍ଛେଦର କାରଣ କହିଛନ୍ତି। ତାଙ୍କ କହିବା ମୁତାବକ, ଧନୁଷ ସର୍ବପ୍ରଥମେ ନିଜ କାମକୁ ରଖନ୍ତି। ସେ କାମ କରିବାକୁ କେତେ ଭଲପାଆନ୍ତି ତାହା ତାଙ୍କ ସହ ଜଡ଼ିତ ଲୋକ ଭଲ ଭାବରେ ଜାଣିଛନ୍ତି। ସବୁଠାରୁ ବଡ଼ କଥା ହେବା ଧନୁଷ କାହା ସହ ନିଜ ମନ କଥା ସେୟାର କରନ୍ତି ନାହିଁ। ନିଜ ପରିବାର କିମ୍ବା ନିଜର ଭଲ ବନ୍ଧୁ ସହ ମଧ୍ୟ ନୁହେଁ।

କେତେବେଳେ ସେ କ’ଣ ଭାବୁଛନ୍ତି ବା ତାଙ୍କ ମନରେ କ’ଣ ଚାଲିଛି, ତାହା କେହି କହିପାରିବେ ନାହିଁ। ଯେତେବେଳେ ବି ପତ୍ନୀ ଐଶ୍ବର୍ୟ୍ୟାଙ୍କ ସହ ତାଙ୍କର ଝଗଡ଼ା ହୁଏ ସେ ଆଲୋଚନା ନକରି ନୂଆ ଫିଲ୍ମ ହାତକୁ ନିଅନ୍ତି। ଝଗଡ଼ା ବଢ଼ିବା ଡରରେ ସେ ସବୁବେଳେ ନିଜକୁ କାମରେ ବ୍ୟସ୍ତ ରଖନ୍ତି। ସବୁପରେ ମଧ୍ୟ ଗତ ୬ମାସ ଧନୁଷ ଏବଂ ଐଶ୍ବର୍ୟ୍ୟାଙ୍କ ପାଇଁ ସହଜ ନଥିଲା। ଦୁହିଁଙ୍କ ମଧ୍ୟ ଅସନ୍ତୋଷ ବଢ଼ିବାଳରୁ ଶେଷରେ ଦୁହେଁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ହେଲେ ଆଗକୁ ଦୁହେଁ ସାଥୀରେ ନିଜର ଦୁଇ ପୁଅ ଯାତ୍ରା (୧୫) ଏବଂ ଲିଙ୍ଗା (୧୧)ଙ୍କ ଲାଳନପାଳନ କରିବେ ବୋଲି ଜଣାପଡ଼ିଛି।